ବାଲେଶ୍ବର : ହଠାତ୍‌ ଘରେ ଥିବା ଏକ ଶିଶୁକନ୍ୟାର ମୃତ୍ୟୁ ହୋଇଗଲା। ମାଆ ଅଭିଯୋଗ କଲା, ତାର ଝିଅକୁ ହତ୍ୟା କରାଯାଇଛି। ଏ କଥାକୁ ପୁଲିସ ଗୁରୁତର ସହ ନେଇଥିଲା। ଘଟଣାର ଛାନ୍‌ଭିନ୍‌ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିଛି। ମାଆ କରିଥିବା ଅଭିଯୋଗ ସତ ହୋଇଛି। ଅଭିଯୁକ୍ତ ଜଣକ ସଂପୃକ୍ତ ମହିଳାଙ୍କୁ ବିବାହ କରିବା ପାଇଁ ତାଙ୍କ ଶିଶୁକନ୍ୟାକୁ ତଣ୍ଟିଚିପି ହତ୍ୟା କରିଥିବା ସ୍ବୀକାର କରିଛି।

Advertisment

publive-image

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ଅଞ୍ଚଳର ଜ୍ୟୋ‌ତ୍ସ୍ନା ଖନ୍ତାପଡ଼ା ଥାନା ଶେରଗଡ଼ ଫାଣ୍ଡି ଭୂଇଁପଡ଼ା ଗାଁର ଜଣେ ମନ୍ଦିରପୂଜକଙ୍କ ଘରେ କାମ କରୁଥିଲେ। ଶିଶୁକନ୍ୟା ତାଙ୍କ ପାଖରେ ଥିଲା। ଗତ ୭ ତାରିଖ ଦିନ ଘରେ ଥିବା ତାଙ୍କ ଶିଶୁକନ୍ୟାର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଜ୍ୟୋତ୍ସ୍ନା ଝିଅର ମୃତଦେହ ଧରି ବାଲେଶ୍ବର ବଡ଼ ଡାକ୍ତରଖାନାରେ ପହଞ୍ଚିଥିଲେ। ପରେ ସ୍ଥାନୀୟ ଥାନାକୁ ଯାଇଥିଲେ। ହେଲେ, କେଉଁଠାରୁ ବି ସହଯୋଗ ପାଇ ନଥିଲେ। ଅସହାୟ ହୋଇ କାନ୍ଦୁଥିବା ବେଳେ କିଛି ସ୍ବେଚ୍ଛାସେବୀ ତାଙ୍କ ଦୁଃଖ ଶୁଣିଥିଲେ। ସେମାନଙ୍କ ହସ୍ତକ୍ଷେପ ପରେ ଡାକ୍ତରଖାନାରେ ମୃତ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ କରାଯାଇଥିଲା।

ଘଟଣା ବାବଦରେ ଜ୍ୟୋତ୍ସ୍ନାଙ୍କୁ ପଚାରିବାରୁ ସେ ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଆଉ ହତ୍ୟାକାରୀ ଭଡ଼ାଘର ମାଲିକଙ୍କ ପୁଅ ମନୋଜ ଦାଶ ବୋଲି ଅଭିଯୋଗ କରିଥିଲେ। ଏନେଇ ଜ୍ୟୋତ୍ସ୍ନା ଖନ୍ତାପଡ଼ା ଥାନାରେ ଏତଲା ଦେଇଥିଲେ। ଫଳରେ, ପୁଲିସ ୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଘଟଣାର ଗୁରୁତ୍ବକୁ ଉପଲବ୍‌ଧି କରି ବାଲେଶ୍ବର ଏସ୍‌ପି ସାଗରିକା ନାଥ ଏହା ଉପରେ ସ୍ବତନ୍ତ୍ର ନଜର ରଖିଥିଲେ। ଏମିତିକି ଖନ୍ତାପଡ଼ା ଥାନା ଯାଇ ତଦନ୍ତ କରିଥିଲେ। ଏପରି ସମୟରେ ଆଜି ଖନ୍ତାପଡ଼ା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏଥିରେ ଏସ୍‌ଡିପିଓ ଶଶାଙ୍କ ଶେଖର ବେଉରା ଏବଂ ଥାନା ଅଧିକାରୀ ବିମଳ କୁମାର ନାୟକ ଉପସ୍ଥିତ ରହି ଘଟଣା ଉପରୁ ପର୍ଦ୍ଦା ଉଠାଇଛନ୍ତି।

publive-image

ସୂଚନା ଅନୁସାରେ, ଦୁଇବର୍ଷ ତଳେ ଜ୍ୟୋତ୍ସ୍ନା(୪୪ବର୍ଷ)ଙ୍କର କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଫଳରେ ସ୍ବାମୀ ତାଙ୍କୁ ଛାଡ଼ି ଅନ୍ୟଜଣେ ମହିଳାଙ୍କ ସହ ସଂସାର କଲେ। ନିରୁପାୟ ହୋଇ ଜ୍ୟୋତ୍ସ୍ନ‌ା ଭୂଇଁପଡ଼ାରେ ଚାକରାଣୀ ଭାବେ କାମ କରୁଥିଲେ। ହେଲେ, ଘର ମାଲିକଙ୍କ ପୁଅ ମନୋଜ (୩୪ବର୍ଷ) ତାଙ୍କୁ ବାହାହୋଇ ସଂସାର କରିବାକୁ ଜିଦ୍ ଧରିଥିଲେ। ଏଥିପାଇଁ ସେ ଶିଶୁକନ୍ୟାକୁ ରାସ୍ତାରୁ ହଟାଇ ଦେବାପାଇଁ କହୁଥିଲେ । ଏତଲାରେ ଏସବୁ ଉଲ୍ଲେଖ ଥିବାରୁ ଖନ୍ତାପଡ଼ା ପୁଲିସ ମନୋଜଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଏହିସମୟରେ ସେ ସବୁ ସତକଥା ମାନିଯାଇଥିଲେ। ଜ୍ୟୋତ୍ସ୍ନାଙ୍କୁ ବିବାହ କରିବା ପାଇଁ ଅଡ଼ୁଆ ସାଜିଥିବା ତାଙ୍କର ଶିଶୁକନ୍ୟା ଘରେ ଏକୁଟିଆ ଥିବାବେଳେ ସେ ତାର ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ।

ଏନେଇ ଏସ୍‌ପି ସାଗରିକା ନାଥ କହିଛନ୍ତି, ଅଭିଯୁକ୍ତ ମନୋଜଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ଜ୍ୟୋତ୍ସ୍ନାଙ୍କ ସଂପୃକ୍ତି ଅଛି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଥିବା ଜଣାଯାଇଛି।