ଥଇଥାନ ଓ ପୁନର୍ବାସ ନୀତିକୁ ହତ୍ୟା! କଂପାନି ସିଧାସଳଖ କିଣିପାରିବେ ୫୦୦ ଏକର ଜମି

ଦଲାଲଙ୍କୁ ପ୍ରୋତ୍ସାହନ, ବଢିବ ଶିଳ୍ପପତିଙ୍କ ମନମାନି

କଟକ, (ଗଦାଧର ପଣ୍ଡା): ଥଇଥାନ ଓ ପୁନର୍ବାସ ନୀତି (ଆରଆର ପଲିସ)କୁ ମାରିଦେବାକୁ ଏକ ବିରାଟ ଷଡ଼୍‌ଯନ୍ତ୍ର ‌ହୋଇଛି। ଶିଳ୍ପାୟନ ଓ ବିକାଶ ଆଳରେ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ଗୁରୁତର ବିଭ୍ରାଟକୁ ଡାକି ଆଣୁଛନ୍ତି। ଏଭଳି ଥଇଥାନ ନୀତିରେ କେବଳ ଦଲାଲ ପ୍ରୋତ୍ସାହିତ ହେବେ ନାହିଁ, କଂପାନି ମାଲିକଙ୍କ ମନମାନି ବି ବଢିବ ବୋଲି ଅଭିଯୋଗ ହୋଇଛି। ଶିଳ୍ପର ବିକାଶ ଆଳରେ ଆରଆର ପଲିସିକୁ ଏଥିରେ ଦୁର୍ବଳ କରି ଦିଆଯାଇଛି।

ଗତକାଲି ଏଭଳି ଏକ ବିଜ୍ଞପ୍ତି ଜରିଆରେ ଘରୋଇ କଂପାନିମାନଙ୍କ ଜମିକିଣା କ୍ଷମତାକୁ ୪ ଗୁଣ ବଢାଇ ଦେଇଛନ୍ତି ସରକାର। ଗ୍ରାମାଞ୍ଚଳରେ କଂପାନିର ଜମି କିଣା ସୀମାକୁ ୨୦୦ରୁ ୫୦୦ ଏକରକୁ ଓ ସହରାଞ୍ଚଳରେ ୫୦ରୁ ୪୦୦ ଏକରକୁ ବଢାଇ ଦେଇଛନ୍ତି। ନୂଆ ନୀତିରେ ଘରୋଇ କଂପାନି ଜମିମାଲିକଙ୍କ ସହିତ ମୁଲଚାଲ କରି ସିଧାସଳଖ ଜମି କିଣିପାରିବେ। ଫଳରେ ପୁନର୍ବାସ ଓ ଥଇଥାନ ନୀତିକୁ ଏକ ପ୍ରକାର ଅକାମି କରିଦିଆଯାଇଛି। ସରକାରଙ୍କ ଏହି ବିଜ୍ଞପ୍ତି ଆଗକୁ ରାଜ୍ୟରେ ହୁଏତ ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି କରିବାର ଆଶଙ୍କା କରାଯାଉଛି।

ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଗତକାଲି ଏହି ବିଜ୍ଞପ୍ତି (ଚିଠି ନଂ ୪୪୯) ଜାରି କରିଛନ୍ତି। ପ୍ରମୁଖ ସଚିବ ବିଷ୍ଠୁପଦ ସେଠୀଙ୍କ ସ୍ବାକ୍ଷରରେ ପ୍ରକାଶିତ ଏହି ବିଜ୍ଞପ୍ତି ଅନୁଯାୟୀ ଗ୍ରାମାଞ୍ଚଳରେ ଶୁଖିଲା ବା ଡ୍ରାଏ ଲ୍ୟାଣ୍ଡ କିଣିବା କ୍ଷମତା ୨୦୦ରୁ ୫୦୦ ଏକରକୁ ବଢାଇଥିବା ବେଳେ ଗ୍ରାମାଞ୍ଚଳ‌ରେ ସହରାଞ୍ଚଳରେ ଏକାଥରକେ ୫୦ରୁ ୪୦୦ ଏକରକୁ ବଢାଇ ଦେଇଛନ୍ତି। ସରକାରଙ୍କ ଆରଆର ପଲିସ-୨୦୧୩ ଓ ୨୦୧୬ ନିୟମର ଅନୁଧ୍ୟାନ କରି ଏହା କରାଯାଇଛି। ସରକାରଙ୍କ ଏଭଳି ବିଜ୍ଞପ୍ତି ରାଜ୍ୟବାସୀଙ୍କ ସହିତ ଏକ ବିରାଟ ଧୋକ୍କା ବୋଲି ଆଇନଜୀବୀ ଶଙ୍କର ପାଣି କହିଛନ୍ତି। ଏଭଳି ନିଷ୍ପତ୍ତି ନେଇ ସରକାର ପୁନର୍ବ‌ାସ ଓ ଥଇଥାନ ନୀତିକୁ ସଂପୂର୍ଣ୍ଣ ମାରି ଦେଇଛନ୍ତି। ଏହାଦ୍ବାରା ଜମିହରା ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ହରାଇବେ, ଜମିକିଣା ବିକାରେ ନିରୀହ ଲୋକେ ଠକାମିର ଶିକାର ହେବେ। ଦଲାଲଙ୍କୁ ଏହି ନୀତି ସୁହାଇବ। ଅନ୍ୟପକ୍ଷରେ ଜମିହରା ‌ସେମାନଙ୍କ ହକ ପାଇଁ ଆଉ ଲଢେଇ କରିପାରିବେ ନାହିଁ। ନିଯୁକ୍ତି ପାଇଁ ବି ମୁହଁ ଖୋଲି ପାରିବେ ନାହିଁ। ସିଧାସଳଖ ଜମି ଅଧିଗ୍ରହଣ‌ ହେଲେ ଏଠାରେ ଆରଆର ପଲିସି ଆଉ ଲାଗୁ ହୋଇପାରିବ ନାହିଁ। ଫଳରେ ଶିଳ୍ପପତି ଓ ପୁଞ୍ଜିପତିଙ୍କ ପ୍ରାଦୁର୍ଭାବ ବଢିବ। ଗରିବ ଓ ଦଳିତଙ୍କ ଜମିକୁ ଦଲାଲମାନେ ଶାଗ ମାଛ ଦର‌ରେ କିଣି ଲାଭବାନ ହେବେ। ସିଧାସଳଖ ଜମି କିଣା ବିକା ହେଲେ ପୁନର୍ବାସ ଓ ଥଇଥାନର କଥା ମଧ୍ୟ ରହିବ ନାହିଁ। ସରକାର କେବଳ କର୍ପୋରେଟ ସେକ୍ଟରକୁ ଜମି ଦେବା ପାଇଁ ଏଭଳି ଏକ ମସ୍ତବଡ଼ ଷଡଯନ୍ତ୍ର କରିଛନ୍ତି ବୋଲି ପୁନର୍ବାସ ଓ ଥଇଥାନ ନୀତି ଗବେଷକ ସନ୍ଦୀପ ପଟ୍ଟନାୟକ କହିଛନ୍ତି।

ଏହାଦ୍ବାରା କଂପାନିର ଉତ୍ତରଦାୟିତ୍ବ ରହିବ ନାହିଁ। ସରକାରଙ୍କ ଏହି ବିଜ୍ଞପ୍ତି ଶିଳ୍ପାୟନକୁ ପ୍ରୋତ୍ସାହନ ନୁହେଁ ବରଂ ଏଥିରେ ଗରିବଙ୍କ ଅଧିକ‌ାରକୁ ଛଡାଇ ନିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର