କଳାବାଡିଆ: ଗତକାଲି ବାଙ୍ଗିରିପୋଷି ଥାନା ଅଧୀନ କତରା ଛକ ନିକଟରେ ଏକ ସ୍କୋର୍ପିଓ ଧକ୍କାରେ ସ୍କୁଟି ଆରୋହୀ ଗୋଷାଣୀପାଳ ଗ୍ରାମର ହରିହର ସେଠୀ(୬୭)ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉତ୍ୟକ୍ତ ଜନତା ଓ ସ୍ଥାନୀୟ ଗ୍ରାମବାସୀ ସ୍କୋର୍ପିଓରେ ଥିବା ମଣ୍ଟେକାଲ ନାମକ ସଂସ୍ଥାର ଦୁଇ ଜଣ ଅଧିକାରୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ସତ୍ୟନାରାୟଣ ନନ୍ଦ (୪୫) ଓ ଉତ୍ତରପ୍ରଦେଶ ରାଜ୍ୟର ଫୁଲଚନ୍ଦ୍ର ଶର୍ମା (୪୫), ଗାଡ଼ି ଚାଳକ କେନ୍ଦୁଝର ଜିଲ୍ଲା ତୁରୁବୁଙ୍ଗା ଥାନା ଖିରେଇଟାଙ୍ଗିରିର ସଂଜୟ ନାଏକଙ୍କୁ ନିର୍ଘାତ ମାଡ଼ ମାରିଥିଲେ। ଏଥିରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଥିବା ବେଳେ ଫୁଲଚନ୍ଦ୍ର ଏବେ ବି ଚିକିତ୍ସାଧୀନ ଅଛନ୍ତି। ଗାଡ଼ି ଚାଳକ ସଞ୍ଜୟଙ୍କର ଏ ଯାଏ ପତ୍ତା ପାଉନି ପୁଲିସ।
ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଂଚଲ୍ୟ ଖେଳିଯିବା ପରେ ଏସ୍ପିଙ୍କ ନିର୍ଦ୍ଦେଶରେ ତଦନ୍ତକୁ ଜୋରଦାର କରାଯାଇଛି। ମଣ୍ଟେକାଲ କମ୍ପାନି ଅଧିକାରୀଙ୍କ ଲିଖିତ ଅଭିଯୋଗ ପରେ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଭାର ହାତକୁ ନେଇଛନ୍ତି। ଏଥିସହ ଗତକାଲି ବିଳମ୍ବିତ ରାତିରେ ୧ ପ୍ଲାଟୁନ ପୁଲିସ ଫୋର୍ସ ସ୍ଥାନୀୟ ଗ୍ରାମରେ ଚଢ଼ଉ କରି ୫ଜଣଙ୍କୁ ଉଠାଇ ନେଇଥିଲା। ଆଜି ଜଣକୁ ଛାଡ଼ିଦେଇ ଥିବାବେଳେ ୪ଜଣଙ୍କୁ ଅଟକ ରଖି ଏସ୍ପି ନିଜେ ପଚରାଉଚରା କରୁଥିବା ଜଣାପଡିଛି।
ଦୁର୍ଘଟଣା ଘଟିଥିବା ସ୍ଥାନରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜ ଆଧାରରେ ଅଧିକ ତଦନ୍ତ ଚଳାଇଛି ପୁଲିସ। ଏହି ଘଟଣାରେ ଆହୁରି ଅନେକଙ୍କ ସଂପୃକ୍ତି ଥିବାରୁ ଗିରଫଦାରୀ ସଂଖ୍ୟା ବଢ଼ିପାରେ। ଏପଟେ ଆଜି ସତ୍ୟନାରାୟଣଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ। ଏଥିସହ ମଣ୍ଟେକାଲ କମ୍ପାନି ପକ୍ଷରୁ ସତ୍ୟନାରାୟଣଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ତେବେ ମାମଲାରେ ପୁଲିସ ଏବେ ଯେମିତି ତତ୍ପରତା ଦେଖାଉଛି ଜନସାଧାରଣଙ୍କ ମାଡ଼ ସମୟରେ ଦେଖାଇଥିଲେ ହୁଏତ ଜଣଙ୍କ ଜୀବନ ରକ୍ଷା ପାଇ ଯାଇଥାନ୍ତା ବୋଲି ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/3-20.jpg)