ବିଷଦେଇ ୬ କୁକୁରଙ୍କୁ ହତ୍ୟା! ଥାନାରେ ମାମଲା, ଶବ ବ୍ୟବଚ୍ଛେଦ

ଏସ୍‌ପି, ଥାନା ଅଧିକାରୀଙ୍କ ସହ କଥା ହେଲେ ମାନେକା, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଏମ୍‌ସିଏଲ୍‌ ଜାଗୃତିବିହାର କଲୋନିରେ ବିଷ ଦେଇ ୬ କୁକୁରଙ୍କୁ ହତ୍ୟା କରାଯାଇଛି! ଏହି ଘଟଣାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ସାଂସଦ ତଥା ପରିବେଶ୍‌ବିତ୍‌ ମାନେକା ଗାନ୍ଧୀ। କାର୍ଯ୍ୟାନୁଷ୍ଠାନ ପାଇଁ ସେ ସମ୍ବଲପୁର ଏସ୍‌ପି ଓ ବୁର୍ଲା ଥାନା ଅଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଅନ୍ୟପଟେ, ଏମ୍‌ସିଏଲ୍‌ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏନେଇ ବୁର୍ଲା ଥାନାରେ ମିସ୍‌ଚିଭ୍‌ ଓ ଆନିମଲ୍ କ୍ରୁଏଲ୍‌ଟି ଆଇନ୍‌ରେ ଏକ ମାମଲା ରୁଜୁ ହୋଇଛି।

ଗତ ୨୮ ତାରିଖରେ ଜାଗୃତିବିହାର କଲୋନିରେ ୬ଟି ବୁଲା କୁକୁରଙ୍କ ମୃତଦେହ ମିଳିଥିବା ନେଇ ସୁରକ୍ଷା ଅଧିକାରୀ କେଡି ପ୍ରସାଦ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୨୯ ତାରିଖରେ କଲୋନିର ଜଣେ ଅଧିବାସୀଙ୍କଠାରୁ ସୂଚନା ପାଇ ‘ପିପୁଲ୍‌ସ ଫର୍‌ ଆନିମଲ୍’ ସମ୍ବଲପୁର ଶାଖାର କର୍ମକର୍ତ୍ତା ମାନେ ଏମ୍‌ସିଏଲ୍‌ର ସୁରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା ଅଧିକାରୀ ଥାନାରେ ଦେଇଥିବା ଅଭିଯୋଗର ନକଲ ପ୍ରଦାନ କରିବା ସହ ୩ଟି ମୃତ କୁକୁରଙ୍କ ଫଟୋ ପ୍ରଦାନ କରିଥିଲେ। ମୃତ କୁକୁର ମାନଙ୍କ ବିରୋଧରେ କଲୋନିରେ ରହୁଥିବା ଜଣେ ମହିଳା କିଛିଦିନ ପୂର୍ବରୁ ତାଙ୍କ ଗାଡ଼ି ଓ ସିଟ୍‌ କଭର ନଷ୍ଟ କରିଥିବା ନେଇ ସୁରକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ।

ଏହାପରେ ପିଏଫ୍‌ଏ କର୍ମକର୍ତ୍ତା ଖୋଜିଖୋଜି କରି ମହାନଗର ନିଗମ ଡମ୍ପିଂ ୟାର୍ଡରୁ ଗୋଟିଏ କୁକୁର ମୃତଦେହ ଠାବ କରିଥିଲେ।
ଏହାପରେ ମୃତ କୁକୁରର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ପରେ ପ୍ରାଣୀ ଚିକିତ୍ସକ କହିଥିଲେ ଯେ ୩ ଦିନ ବିତି ଯାଇଥିବାରୁ ଶରୀର ନଷ୍ଟ ହୋଇଯାଇଛି। ତେଣୁ ଏଥିରୁ କିଛି ଜାଣିବା କଷ୍ଟ। ତେବେ ଏହାର ଏକ ଅଂଶ ବାୟୋପ୍‌ସି ପାଇଁ ଭୁବନେଶ୍ବରସ୍ଥିତ ଫରେନ୍‌ସିକ୍ ବିଭାଗକୁ ପଠାଯାଇପାରିବ। ତେବେ ପୁଲିସ୍‌ କୁକୁର ଶରୀରର ଏହି ନମୁନାକୁ ଏ ପର୍ଯ୍ୟନ୍ତ ଗ୍ରହଣ କରି ନଥିବା ପିଏଫ୍‌ଏ ସମ୍ବଲପୁର ସଂଯୋଜକ ଜିତେନ୍ଦ୍ର ଶର୍ମା ଅଭିଯୋଗ କରିଛନ୍ତି।

ଏ ସଂପର୍କର ଜାଣିବା ପରେ ମଙ୍ଗଳବାର ମାନେକା ଗାନ୍ଧୀ ସମ୍ବଲପୁର ଏସ୍‌ପି ବି ଗଂଗାଧର ଏବଂ ଥାନା ଅଧିକାରୀଙ୍କ ସହ କଥା ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଏସ୍‌ପି ପିଏଫ୍‌ଏ ସଦସ୍ୟଙ୍କୁ ଡାକି ଆଲୋଚନା କରିବା ସହ ସେମାନଙ୍କଠାରୁ ଆଉ ଏକ ଲିଖିତ ଅଭିଯୋଗ ନେଇଛନ୍ତି। ଅପରପକ୍ଷରେ କାହାକୁ ଅଭିଯୁକ୍ତ ବୋଲି ଥାନାକୁ ଡାକିବା ପୂର୍ବରୁ ପ୍ରଥମେ ସିସିଟିଭି ଯାଞ୍ଚ କରିବା ସହ ପ୍ରକୃତରେ କୁକୁରଙ୍କୁ ହତ୍ୟା କରାଯାଇଛି କି ନାହିଁ ତାହା ଜାଣିବା ଦରକାର ବୋଲି ବୁର୍ଲା ଥାନା ଅଧିକାରୀ କମଳ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର