କଳମ୍ବରେ ଯୁବକଙ୍କ ଗଳାକାଟି ହତ୍ୟା: ୫ଜଣଙ୍କ ନାଁରେ ଏତଲା, ମୁଖ୍ୟ ଅଭିଯୁକ୍ତ ଅଟକ

ପୋଲସରା/କଳମ୍ବ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ଶନିବାର ରାତିରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତକୁ ଧରି ଅଟକ ରଖି ଜେରା କରୁଛି। କଳମ୍ବ ପୁରୁଷୋତ୍ତମ ଉଚ୍ଚବିଦ୍ୟାଳୟ ନିକଟ ରାସ୍ତାରେ ବିକାଶ ସାହୁ ଓରଫ୍‌ କାଉ(୨୮)ଙ୍କୁ ଗଳାକାଟି ହତ୍ୟା କରା ଯାଇଥିଲା। ବିକାଶଙ୍କ ଘର କଳମ୍ବ ଶାନ୍ତିନଗର ବୋଲି ପୁଲିସ କହିଛି। ଏ ସମ୍ପର୍କରେ ବିକାଶଙ୍କ ବାପା କେଦାର ସାହୁ ପୋଲସରା ଥାନାରେ ୫ ଜଣଙ୍କ ନାମରେ ଏତଲା ଦେଇଛନ୍ତି। ପୁଲିସ କେସ୍‌ ନଂ. ୧୯୨/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଭାଗୀରଥି ପ୍ରଧାନଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି।

ପୁଲିସର ପ୍ରାଥମିକ ତଦନ୍ତ ପରେ କହିଛି, କଳମ୍ବରେ ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଶ୍ରୀଦଧିବାମନ ସ୍ବାମୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଉକ୍ତ ଅଞ୍ଚଳର କିଛି ଯୁବକ ଜୋର୍‌ରେ ପେଁକାଳି ବଜାଇ ଗାଁରେ ବୁଲୁଥିଲେ। ଏହା ଦେଖି ବିକାଶ ସେମାନଙ୍କୁ ତାଗିଦ୍‌ କରିଥିଲେ। ଫଳରେ ସେହି ଯୁବକମାନେ ଏହାର ପ୍ରତିବାଦ କରିଥିଲେ। ସେମାନଙ୍କ ମଧ୍ୟରେ ସାମାନ୍ୟ ବଚସା ମଧ୍ୟ ହୋଇଥିଲା। ଗତକାଲି ଗ୍ରାମରେ ଜ୍ଞାନଯଜ୍ଞ ଚାଲିଥିବା ବେଳେ କିଛି ଯୁବକ ବିକାଶଙ୍କ ଘର ନିକଟକୁ ଯାଇ ଗାଳିଗୁଲଜ କରି ଫେରି ଯାଇଥିଲେ। ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ବିକାଶ ଘରକୁ ଫେରୁଥିଲେ। ଏ ସମୟରେ କଳମ୍ବ ପୁରୁଷୋତ୍ତମ ହାଇସ୍କୁଲ ଓ ନୋଡାଲ୍‌ ୟୁପି ସ୍କୁଲ୍‌ ମଝି ଛକରେ କିଛି ଦୁର୍ବୃତ୍ତ ଛପି ରହିଥିଲେ।

ବିକାଶଙ୍କୁ ଦେଖି ସେମାନେ ସଂଘବଦ୍ଧ ଭାବେ ଘେରି ଯାଇ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି, ଗଳାକାଟି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଚମ୍ପଟ ମାରିଥିଲେ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ବିକାଶଙ୍କୁ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖି ପରିବାରବର୍ଗଙ୍କୁ ଖବର ଦେଇଥିଲେ। ବିକାଶଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ତେବେ ବିକାଶଙ୍କ ବାପା କେଦାର କଳମ୍ବ ଗ୍ରାମର କାଳୁ ଚରଣ ପ୍ରଧାନ, ଭାଗୀରଥି ପ୍ରଧାନ, ସକ୍ରଜିତ ପ୍ରଧାନ, ପରମେଶ୍ବର ପ୍ରଧାନ ଓ ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ନାମରେ ପୋଲସରା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଭାଗୀରଥିଙ୍କୁ ଅଟକ ରଖି ସାଇଣ୍ଟିଫିକ୍‌ ଟିମ୍ ସହାୟତାରେ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର