ଗୁଣିଗାରେଡ଼ି ସନ୍ଦେହରେ ନାରକୀୟ କାଣ୍ଡ: ହତ୍ୟାକରି ଶବ ପୋଡ଼ିଦେଲେ

କାଲିମେଳା : ବର୍ବରତାର ସବୁ ସୀମା ଟପିଗଲେ ଦୁର୍ବୃତ୍ତ। ବୀଭତ୍ସ ହତ୍ୟା ପରେ ଶବକୁ ପୋଡ଼ି ପ୍ରମାଣ ନଷ୍ଟ କରି ଦେଇଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କସଲକୋଣ୍ଡା ଗାଁରେ ଏଭଳି ଗୋଟିଏ ଲୋମଟାଙ୍କୁରା ତଥା ଅଭାବନୀୟ ଘଟଣା ଘଟିଛି। ମୃତକ କସଲକୋଣ୍ଡା ଗାଁର ରାମା ମାଡ଼କାମୀ ବୋଲି ସୂଚନା ମିଳିଛି। ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନଥିଲେ ସୁଦ୍ଧା ଗୁଣିଗାରେଡ଼ି ସନ୍ଦେହରେ ଦୁର୍ବୃତ୍ତ ଏଭଳି ନିର୍ମମ ଘଟଣା ଘଟାଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ରାମା ମାଡ଼କାମୀଙ୍କୁ କିଛି ଦୁର୍ବୃତ୍ତ ଯୋଜନାବଦ୍ଧ ହତ୍ୟା କରିଥିଲେ। ଏହାପରେ ଘଟଣାସ୍ଥଳରୁ ଶବକୁ ହଟାଇ ଦେଇଥିବା ବେଳେ କୌଣସି ପ୍ରମାଣ ମଧ୍ୟ ଛାଡ଼ି ନଥିଲେ। ଏପରିକି ଶବ ମିଳିଲେ ପୁଲିସ ତନାଘନା କରି ଦୁର୍ବୃତ୍ତଙ୍କ ନିକଟରେ ପହଞ୍ଚି ଯିବାର ସମ୍ଭାବନା ରହିଥିବାରୁ ରାତାରାତି ଗାଁ ଶ୍ମଶାନରେ ‌ପୋଡ଼ି ଦେଇଥିଲେ। ଅନ୍ୟପକ୍ଷରେ, ରାତିରେ ଘଟଣା ଘଟିଥିବାରୁ ଗ୍ରାମବାସୀ ଟେର୍‌ ପାଇ ନଥିଲେ। ଆଜି ସକାଳେ ଘଟଣା ଲୋକଲୋଚନକୁ ଆସିବା ପରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। କୌଣସି ପ୍ରକାର କାଲିମେଳା ଥାନାରେ ଖବର ପହଞ୍ଚିବାରୁ ଥାନା ଭାରପ୍ରାପ୍ତ ଅଧିକାରୀ ଭବାନୀ ଶଙ୍କର ସାହୁଙ୍କ ନେତୃତ୍ବରେ ପୁଲିସ ଟିମ୍‌ ଗାଁରେ ପହଞ୍ଚିଥିଲା। ଗ୍ରାମବାସୀଙ୍କୁ ପଚରାଉଚୁରା କରିବା ସହ ଶ୍ମଶାନରେ ଛାନ୍‌ଭିନ୍‌ କରିଥିଲା।

ତେ‌ବେ, ଗ୍ରାମବାସୀ ମୁହଁ ଖୋଲୁ ନଥିବାରୁ ବିଶେଷ ତଥ୍ୟ ପୁଲିସକୁ ମିଳିପାରି ନାହିଁ। କିଏ ଏବଂ କେଉଁ ଉଦ୍ଦେଶ୍ୟରେ ରାମାଙ୍କୁ ହତ୍ୟା କଲା ତାହାର ସୁରାକ ମଧ୍ୟ ମିଳୁ ନଥିବାରୁ ପୁଲିସକୁ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସେତେଟା ସହଜ ହେବନାହିଁ ବୋଲି କୁହାଯାଉଛି। ବିଶ୍ବସ୍ତ ସୂତ୍ର ଅନୁସାରେ, ରାମା କାଳେ ଗୁଣିଗାରେଡ଼ି କରୁଥିଲେ ବୋଲି ସନ୍ଦେହ କରାଯାଉଥିଲା। ଏଥିପାଇଁ କେହି ତାଙ୍କୁ ଟାର୍ଗେଟ କରି ରାସ୍ତାରୁ ହଟାଇବାକୁ ସୁଯୋଗ ଅପେକ୍ଷାରେ ରହିଥିଲା। ଶୀତୁଆ ରାତିରେ ଗାଁ ଦାଣ୍ଡ ଶୂନ୍‌ଶାନ୍‌ ହୋଇଯିବା ପରେ ହତ୍ୟା କରିଥିଲେ । ଯେଉଁଭଳି ରାତିରେ ପ୍ରମାଣ ନଷ୍ଟ କରାଯାଇଛି, ସେଥିରୁ ଏକାଧିକ ବ୍ୟକ୍ତିଙ୍କ ସିଧାସଳଖ ସଂପୃକ୍ତି ଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର