ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଟ୍ରକ ଚପାଇ ହତ୍ୟା

ତେଲକୋଇ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତକାଲି ରାତିରେ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୋଳାଗାଡିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଟ୍ରକ ଚପାଇ ହତ୍ୟା କରାଯାଇଥିବା ନେଇ ତେଲକୋଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ଗ୍ରାମର ସ୍ବର୍ଗତ ଚନ୍ଦ୍ରମଣି ମହାକୁଡଙ୍କ ପୁଅ ସନାତନ ମହାକୁଡ଼(୫୫) ଏକ ବାଇକ୍(ଓଆର ୧୯ ଏଲ ୪୮୩୯) ଯୋଗେ ପଡୋଶୀ ଉଦୟଗିରି ଗ୍ରାମରୁ ଘରକୁ ଫେରୁଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ସ୍ବର୍ଗତ ଗୌତମ ମହାନ୍ତଙ୍କ ପୁଅ ଅରୁଣ କୁମାର ମହାନ୍ତ(୩୫) ଉଦୟଗିରି ଆମ୍ବ ବଗିଚା ପଞ୍ଚୁସାହି ନିକଟରେ ତାଙ୍କ ଉପରେ ଟ୍ରକ(ଓଆର ୦୯ ଏଲ ୨୯୩୧) ଚଢ଼ାଇ ଦେଇଥିଲା। ପ୍ରଥମେ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ସନାତନ ରାସ୍ତା କଡକୁ ଛିଟିକି ପଡ଼ିଥିଲେ। ଅରୁଣ ପୁନଶ୍ଚ ଟ୍ରକଟିକୁ ସନାତନଙ୍କ ଉପରେ ଚଢ଼ାଇ ହତ୍ୟା କରିଥିବା ନେଇ ସନାତନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ସନାତନଙ୍କ ପୁଅ ସୁଦାମ ଚରଣ ମହାକୁଡ଼ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅରୁଣ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଟ୍ରକ୍ ଚପାଇ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପୁଲିସ କେସ୍ ନଂ ୯୫/୨୦୨୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଟ୍ରକ୍ ଚାଳକ ଅରୁଣ ଗତକାଲି ରାତିରେ ଥାନାରେ ଆତ୍ମସମର୍ପଣ କରିବା ସହିତ ଏହା ହତ୍ୟା ନୁହେଁ ଦୁର୍ଘଟଣା ବୋଲି କହିଛି। ଘଟଣାକୁ ନେଇ ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଦୁର୍ଘଟଣା ସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ପହଞ୍ଚି ଶବ ଉଦ୍ଧାର ସହିତ ଟ୍ରକକୁ ଜବତ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର