ଦନ୍ତାକୁ ମାରି ଦାନ୍ତ ଲୁଟିଲେ, ବନ କର୍ମଚାରୀଙ୍କ ଉପରକୁ ଚଳାଇଲେ ଗୁଳି

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ କନ୍ଧରା ସଂରକ୍ଷିତ ବନାଞ୍ଚଳର ବେଜିଆ ଜଙ୍ଗଲରେ ଗତକାଲି ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ଜଙ୍ଗଲ ମାଫିଆମାନେ ଏକ ଦନ୍ତା ହାତୀକୁ ଗୁଳି କରି ଦାନ୍ତ ଲୁଟି ନେଇଛନ୍ତି। ଏଥିସହ ବନ ବିଭାଗ ବିଟ୍‌ ହାଉସ୍‌ରେ ରହୁଥିବା କର୍ମଚାରୀମାନଙ୍କ ଉପରକୁ ଗୁଳି ଚଳାଇ ଫେରାର୍ ହୋଇଯାଇଛନ୍ତି । ଦୁର୍ବୃତ୍ତମାନଙ୍କର ଏପରି ଦୁର୍ଦ୍ଦାନ୍ତ କାର୍ଯ୍ୟକଳାପ ବନ ବିଭାଗର ଚିନ୍ତା ବଢାଇଦେଇଛି । ଜିଲ୍ଲା ବନଖଣ୍ଡ ଅଧିକାରୀ ୩ଜଣ ବିଭାଗୀୟ ଅଧିକାରୀଙ୍କୁ ଧରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ତଦନ୍ତ ବେଳେ ଅନ୍ୟ ଏକ ମାଈ ହାତୀର ଗଳିତ ଶବ ସଂପୃକ୍ତ ସଂରକ୍ଷିତ ବନାଞ୍ଚଳର ଏକ ନାଳକଡ଼ରୁ ମିଳିଛି।

ସୂଚନା ଅନୁଯାୟୀ, କେତେକ ଦୁର୍ବୃତ୍ତ ନିର୍ଦିଷ୍ଟ ଏକ ଦନ୍ତହାତୀର ଗତିବିଧିକୁ ଲକ୍ଷ୍ୟ କରି ତାକୁ ଶିକାର କରିବା ଉଦ୍ଦେଶ୍ୟରେ ବନ୍ଧୁକ ନେଇ ଗତକାଲି ରାତିରେ ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ କନ୍ଧରା ସଂରକ୍ଷିତ ବେଜିଆ ଜଙ୍ଗଲକୁ ଯାଇଥିଲେ। ଦୁର୍ବୃତ୍ତମାନେ ଦନ୍ତାକୁ ଗୁଳିମାଡ଼ କରି ଶିକାର କରିବା ପରେ ଏସିଡ୍ ପକାଇ ତାର ଦାନ୍ତ ଦୁଇଟିକୁ ଲୁଟି ନେଇଥିଲେ। ସେମାନେ ଗଲାବେଳେ ଆତଙ୍କ ସୃଷ୍ଟି କରି ନିର୍ଦ୍ବନ୍ଦ୍ବରେ ଯିବା ପାଇଁ ନିକଟସ୍ଥ ବିଟ୍‌ହାଉସ୍‌ରେ ଥିବା ଫରେଷ୍ଟର ଓ ଗାର୍ଡଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଏହି ଗୁଳିମାଡ଼ରେ କୌଣସି ବନ କର୍ମଚାରୀ ଆହତ ହୋଇ ନ ଥିବାବେଳେ ଘଟଣା ସଂପର୍କରେ ଏସ୍‌ପିଙ୍କୁ ସୂଚନା ଦିଆଯାଇଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି।

ହାତୀ, ହାତୀ ଛୁଆ ମୃତ
ଭବାନୀପାଟଣା/ ନାକ୍‌ଟିଦେଉଳ : କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଗତ ୧୦ ଦିନ ମଧ୍ୟରେ ୩ଟି ମାଈହାତୀଙ୍କ ମୃତ୍ୟୁ ଘଟିଥିବାରୁ ବନ ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ବୁଧବାର କର୍ଲାପାଟ ଅଭୟାରଣ୍ୟର ଘୁଷୁରିଗୁଡ଼ି ନିକଟରେ ଏକ ମାଈହାତୀର ମୃତ୍ୟୁ ହୋଇଥିଲା। ଗୁରୁବାର ବନ ବିଭାଗ ଓ ଜିଲ୍ଲା ପ୍ରାଣୀ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁବାର ସନ୍ଧ୍ୟା ୭ଟାରେ ହାତୀର ଶବ ବ୍ୟବଚ୍ଛେଦ କରି ମାଟିରେ ପୋତି ଦିଆଯାଇଥିଲା ବୋଲି ଦକ୍ଷିଣ ବନଖଣ୍ଡ ଡିଏଫଓ ପ୍ରକାଶ କରିଛନ୍ତି। ସେହିଭଳି, ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ବନା‌ଳ ଜାମୁଯୋରୀ ପଞ୍ଚାୟତ ବିନ୍ଦପୁର ଗ୍ରାମର ଶିଆରିମାଳିଆ ଜଙ୍ଗଲରୁ ଗୁରୁବାର ଗୋଟିଏ ହାତୀ ଶାବକର ମୃତଦେହକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର