ଓଡ଼ଗାଁ: ୧୪ ବର୍ଷର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ। ଘଟଣାକୁ ୧୦ ଦିନ ବିତି ଗଲାଣି। ଆଜି ପୁଲିସ ଗାଁରେ ପହଞ୍ଚି ସ୍ତ୍ରୀ ଓ ଶାଶୂକୁ ଉଠାଇ ଆଣିଛି। ପ୍ରେମିକ ଫେରାର ହେବାକୁ ଚେଷ୍ଟା କରି ପୁଲିସ ଜାଲରେ ଧରାପଡ଼ିଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ତରେ ଏଭଳି ଅଭାବନୀୟ ଘଟଣା ଘଟିଛି। ରାତି ୯ଟା ସମୟରେ ପୁଲିସ, ତହସିଲଦାର ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ସ୍ବାମୀକୁ ମାରି ଘର ଭିତରେ ପୋତି ଦେଇଥିବା ସ୍ତ୍ରୀ ପୁଲିସ ଆଗରେ ସତ ମାନିଯାଇଛି। ରୋହିବାଙ୍କ ଗ୍ରାମର ଗୋକୁଳ ଚନ୍ଦ୍ର ସାମଲଙ୍କ ପୁଅ ପ୍ରକାଶ ସାମଲ (୩୭) ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି। ୧୪ ବର୍ଷ ପୂର୍ବରୁ ସେ କୋମଣ୍ତ ଗ୍ରାମର ନାଟୁଆ ପ୍ରଧାନଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ନାୟକ (୩୨)କୁ ବିବାହ କରିଥିଲେ। ସେମାନଙ୍କର ୭ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ପୁଅ ଅଛନ୍ତି। ଜ୍ୟୋତ୍ସାରାଣୀ ମକରପଦାର ସୋନୁ ବେହେରାଙ୍କୁ କିନ୍ତୁ ଭଲ ପାଇ ଆସୁଥିଲା। ତେବେ ସ୍ବାମୀ ଓ ପୁଅ, ଝିଅ ସହ ରହୁଥିିଲା। କିଛିଦିନ ତଳେ ସ୍ବାମୀକୁ ହଟାଇବାକୁ ସ୍ତ୍ରୀ ଓ ପ୍ରେମିକ ଯୋଜନା କରିଥିଲେ। ସ୍ବାମୀକୁ ମାରି କେହି କିଛି ଜାଣିବା ପୂର୍ବରୁ ଘର ଭିତରେ ଗାତ ଖୋଳି ପୋତି ଦେଇଥିଲେ। ତା’ ଉପରେ ଶିଳ, ଘୋରଣା ମଡ଼ାଇ ରଖିଥିଲେ।

Advertisment

ପାପ ପାତାଳରୁ ଫୁଟି ବାହାରିଲା ଭଳି ଧିରେ ଧିରେ ଏହି କଥା ବାହାରକୁ ବାହାରିବା ପରେ ସାହି ପଡ଼ିଶା ଘର ଲୋକେ ଟୁପୁରୁ ଟାପୁରୁ ହେଲେ। କଥା ଯାଇ ପ୍ରକାଶଙ୍କ ଘର ଲୋକଙ୍କ ପାଖରେ ପହଞ୍ଚିଲା। ପରେ ବାପା ଗୋକୁଳ ସାମଲ ଓଡ଼ଗାଁ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଖୋଳତାଡ଼ ଆରମ୍ଭ କରି ସ୍ତ୍ରୀ ଓ ଶାଶୂ ଡମୁଣି ପ୍ରଧାନକୁ ଥାନାକୁ ଆଣି ପଚରାଉଚରା କରିବାରେ ସେମାନେ ଘଟଣା ସତ ବୋଲି ମାନି ଯାଇଥିଲେ। ଖବର ପାଇ ପ୍ରେମିକ ସୋନୁ ବେହେରା ଖସି ଯାଉଥିବା ବେଳେ ତାକୁ ମାଛିପଡ଼ା ନିକଟରୁ ପୁଲିସ କାବୁ କରିଥିଲା। ଶରଣକୁଳ ଏସ୍‌ଡିପିଓ ସୁଧାକର ସାହୁ, ଓଡ଼ଗାଁ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ତହସିଲଦାର ମାନସ ରଞ୍ଜନ ଭୋଇ ପ୍ରମୁଖ ପୋତା ଯାଇଥିବା ଗାତ ଖୋଳି ମୃତଦେହ ବାହାର କରିଛନ୍ତି। ଡେମୋ ଦେଖାଇଲେ ମା’, ଝିଅ ସ୍ବାମୀକୁ କିଭଳି ବୀଭତ୍ସ ଭାବେ ହତ୍ୟା କରି ଗାତ ଖୋଳି ଘର ଭିତରେ ପୋତିଛନ୍ତି ତାହାର ଡେମୋ ଦେଖାଇଛନ୍ତି ମା’, ଝିଅ। ୧୦ ଦିନ ତଳେ ଯୋଜନାବଦ୍ଧ ଭାବେ ପ୍ରେମିକ ପ୍ରକାଶ ସହ ମିଶି ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏହି ହତ୍ୟାକାଣ୍ତ ଘଟଣାରେ ଜ୍ୟୋସ୍ନାରାଣୀର ମାଆ ଡମୁଣିକୁ ମଧ୍ୟ ସାମିଲ୍‌ କରିଥିଲେ। ସ୍ବାମୀକୁ ହତ୍ୟା କରିବା ପରେ ଘର ଭିତରେ ୫ ଫୁଟ ଗଭୀର ଓ ୮ ଫୁଟ ଲମ୍ବର ଗାତ ଖୋଳି ତା’ ଭିତରେ ପୋତି ଦେଇଥିଲେ। ଆଜି ରାତିରେ ମା’ ଓ ଝିଅଙ୍କୁ ପୁଲିସ ଘଟଣାସ୍ଥଳକୁ ନେଇ କିପରି ହତ୍ୟାକାଣ୍ତ ଭିଆଇଥିଲେ ତାହାର ଡେମୋ ଦେଖାଇଥିଲେ।