ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନର ୪୮ଘଣ୍ଟା ପୂର୍ବରୁ କାଙ୍କେର ଜିଲ୍ଲାରେ ହିଂସା ଘଟାଇଛନ୍ତି ମାଓବାଦୀ। ଗତ ୧୬ତାରିଖରେ ଛୋଟେବେଠିଆ ଥାନା ଅଞ୍ଚଳରେ ହୋଇଥିବା ଏନ୍‌କାଉଣ୍ଟର ପ୍ରତିଶୋଧ ନେଇଛନ୍ତି। ପୁଲିସ ଇନ୍‌ଫର୍ମର ଦର୍ଶାଇ ଏହି ଥାନା ଅଞ୍ଚଳର ହିନ୍ଦୁର ଗାଁର ଜଣେ ବାସିନ୍ଦାଙ୍କୁ ଗତକାଲି ହତ୍ୟା କରିଛନ୍ତି। ଶବ ରାସ୍ତା କଡ଼ରେ ଫିଙ୍ଗିବା ସହ ଗୋଟିଏ ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଉଲ୍ଲେଖ ହୋଇଛି, ମୋଡ୍ଡା ପଦ୍ଦାକୁ ସଂଗଠନ ମୃତ୍ୟୁଦଣ୍ଡ ଦେଇଛି। ସୁଖ ରଂଜନ ଉସେଣ୍ଡି ନାମକ ଜଣେ ବ୍ୟକ୍ତଙ୍କ ସହ ମିଶି ‌ପଦ୍ଦା ଲୋକଙ୍କ ଟଙ୍କା ହଡ଼ପ କରୁଥିଲା। ଠିକାଦାର ଏବଂ ବନ ବିଭାଗ କର୍ମଚାରୀଙ୍କ ଠାରୁ ଟଙ୍କା ନେଇ ଲୋକଙ୍କୁ ଅସୁବିଧାରେ ପକାଉଥିଲା। ଏଥିପାଇଁ ପୂର୍ବରୁ ପଦ୍ଦାକୁ ପ୍ରଜାକୋର୍ଟରେ ହାଜର କରି ଦଣ୍ଡ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ କାକୁତି ମିନତି ହୋଇ ଆଗକୁ ଏମିତି କାମ କରିବ ‌ନାହିଁ ବୋଲି କ୍ଷମା ମାଗିଥିଲା। କିନ୍ତୁ ପ୍ରଜାକୋର୍ଟରୁ ଫେରିବା ପରେ ପୁଣି ଜନବିରୋଧୀ କାମ କରୁଥିଲା ବୋଲି ସଂଗଠନର ବସ୍ତର ଡିଭିଜନ୍‌ ପକ୍ଷରୁ ସ‌ଫେଇ ଦିଆଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି।

Advertisment

ଅନ୍ୟପଟେ ୧୬ତାରିଖ ଏନ୍‌କାଉଣ୍ଟରକୁ ବିରୋଧ କରି ଉତ୍ତର ବସ୍ତର ମାଓ ସଂଗଠନ ୨୫ ତାରିଖରେ କାଙ୍କେର ଏବଂ ନାରାୟଣପୁର ଜିଲ୍ଲା ବନ୍ଦରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଥିଲା। କିନ୍ତୁ ମାଓବାଦୀଙ୍କ ଏହି ଡାକରାର ବିଶେଷ ପ୍ରଭାବ ଉଭୟ ଜିଲ୍ଲାର ମହକୁମାରେ ପଡ଼ିନଥିବା ଦେଖିବାକୁ ମିଳିଛି। କିଛି ଅଞ୍ଚଳରେ ସାମାନ୍ୟ ପ୍ରଭାବ ପଡ଼ିଥିଲା ବେଳେ ମାଓବାଦୀଙ୍କ ପ୍ରଭାବ ରହିଥିବା ଅଞ୍ଚଳରେ ଦୋକାନବଜାର ବନ୍ଦ ରହିଥିଲା।