ଦୋକାନରେ ପଶି ଦୋକାନୀଙ୍କୁ ହତ୍ୟା

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆଗାଁ ଛକରେ ଦୋକାନରେ ପଶି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ସାଇଁକୁଳ ଗ୍ରାମର ଦିଲୀପ ବେହେରା। ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଦିଲୀପ ବେହେରା (ଖୋକନ) ନୂଆଗାଁ ଛକରେ ଦୀର୍ଘଦିନ ହେଲା ଏକ ତେଜରାତି ଦୋକାନ କରିଥିଲେ। ଆଜି ଦିନ ପ୍ରାୟ ୧୧ଟା ସମୟରେ ପ୍ରବଳ ଖରା ଯୋଗୁଁ ପାଖ ଦୋକାନ ଗୁଡ଼ିକ ବନ୍ଦ ରହିଥିଲା। ଦିଲୀପ ଦୋକାନ ଖୋଲି ଏକୁଟିଆ ବସିଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ଦୋକାନରେ ପଶି କୌଣସି ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଛି। ଦିଲୀପ ରକ୍ତାକ୍ତ ଅବସ୍ଥାରେ ଦୋକାନ ଭିତରେ ପଡ଼ିରହିଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି। ତେବେ ଦିଲୀପଙ୍କ ଟ୍ରକ୍‌ ବ୍ୟବସାୟ ଥିଲା। ଡ୍ରାଇଭର ଓ ହେଲପର୍‌ଙ୍କୁ ଦରମା ଦେବାକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏହାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥାଇବାରେ ବୋଲି ପୁଲିସ ସନ୍ଦେହ କରୁଛି। ରାମଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିବା ସହ ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୁଲିସ ନିଜଆଡ଼ୁ ତଦନ୍ତ ଆରମ୍ଭ କରିଥିବା ସବ୍‌ଇନ୍‌ସପେକ୍ଟର ଅଭିମନ୍ୟୁ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର