କେନ୍ଦ୍ରାପଡ଼ା/ଇନ୍ଦୁପୁର: କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁର ନିକଟ ବିରୂପା ପୋଲ ନିକଟରେ ଜଣେ ଯୁବକଙ୍କୁ ସ˚ଘବଦ୍ଧ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଯୁବକ ନିକିରାଇ ପଶ୍ଚିମସାହିର ମଣ୍ଟୁ ମଳିକଙ୍କ ପତ୍ତା ମିଳୁନି। ଆକ୍ରମଣର ଦୃଶ୍ୟ ସିସି କ୍ୟାମେରାରେ କଏଦ୍‌ ହୋଇଛି। ତାଙ୍କୁ ହତ୍ୟା ପରେ ନଦୀକୁ ଫିଙ୍ଗି ଦିଆଯାଇଛି ନା ସେ ନିଜେ ନଦୀକୁ ଡେଇଁ ପଡ଼ିଛନ୍ତି, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କେନ୍ଦ୍ରାପଡ଼ା ଅଗ୍ନିଶମ ବାହିନୀ ନଦୀରେ ଖୋଜାଖୋଜି କରିଥିଲେ ମଧୢ ରିପୋର୍ଟ ଲେଖାହେଲା ବେଳକୁ ତାଙ୍କର ପତ୍ତା ମିଳିନାହିଁ। ପୁଲିସ ନଦୀଠୁ ପ୍ରାୟ ୭ କିଲୋମିଟର ଦୂର ବରୀର କୃଷ୍ଣନଗର ରାସ୍ତାରୁ ମଣ୍ଟୁଙ୍କ ବାଇକ୍‌ ଜବତ କରିଛି।

Advertisment

ଅପରାହ୍ନ ପ୍ରାୟ ୪ଟାରେ ୩ ଜଣ ଦୁର୍ବୃତ୍ତ ମଣ୍ଟୁଙ୍କୁ ଇନ୍ଦୁପୁର ନିକଟ ବିରୂପା ସେତୁ ନିକଟରେ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଥିବା କିଛି ଲୋକ ମଣ୍ଟୁଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ଧମକଚମକ ଦେବାରୁ ସେମାନେ ପଳାଇ ଯାଇଥିଲେ। ଦୁର୍ବୃତ୍ତମାନେ ମଣ୍ଟୁଙ୍କୁ ଘୋଷାଡ଼ି ଘୋଷାଡ଼ି ପୋଲ ଉପରକୁ ନେଇ ଯାଇଥିଲେ। ଏହି ଘଟଣା ପରେ ମଣ୍ଟୁଙ୍କର ଆଉ ପତ୍ତା ମିଳୁନାହିଁ। ତାଙ୍କୁ ଦୁର୍ବୃତ୍ତମାନେ ନଦୀରେ ଫିଙ୍ଗି ଦେଇଥିବା କିଛି ଲୋକ କହୁଥିବା ବେଳେ ଆଉ କେହି ସେ ନିଜକୁ ବଞ୍ଚାଇବା ଲାଗି ନଦୀକୁ ଡ଼େଇଁ ପଡ଼ିଥିବା କହୁଛନ୍ତି। ଅନ୍ୟପଟେ ନଦୀଠାରୁ ପ୍ରାୟ ୭ କିମି ଦୂର ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ କୃଷ୍ଣନଗର ନିକଟ ରାସ୍ତା କଡ଼ରେ ମଣ୍ଟୁଙ୍କ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ବରୀ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଚଳାଇଛି। ସେହିପରି ନିକିରାଇ ଥାନା ଆଇଆଇସି ସଞ୍ଜୟ ମଲିକ ବିରୂପା ସେତୁ ନିକଟରେ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛନ୍ତି। କେନ୍ଦ୍ରାପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରେ ଖୋଜାଖୋଜି କରୁଥିଲେ ହେଁ ଖବର ଲେଖାଯିବା ପର୍ଯ୍ୟନ୍ତ ମଣ୍ଟୁଙ୍କ ପତ୍ତା ମିଳି ପାରିନି। ମଣ୍ଟୁ ଟ୍ରାକ୍ଟର ସମେତ ଚାରିଚକିଆ ଗାଡ଼ି ଚାଳକ ଭାବେ କାର୍ଯ୍ୟ କରନ୍ତି। ପୂର୍ବ ବିବାଦକୁ କେନ୍ଦ୍ର କରି ତାଙ୍କ ଉପରେ ଆକ୍ରମଣ ହୋଇଥିବା ‌ସନ୍ଦେହ କରାଯାଉଛି। ଆକ୍ରମଣ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିବା ବେଳେ ୩ ଦୁର୍ବୃତ୍ତ ବିରୂପା ସେତୁ ଦେଇ ବରୀ ବ୍ଲକ୍‌ର ଗମୁ ପଟକୁ ଯାଉଥିବା ଏଥିରେ ଦେଖିବାକୁ ମିଳିଛି। ସେତୁର ଉଭୟ ପାର୍ଶ୍ବ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ପୁଲିସ ଯାଞ୍ଚ କରୁଛି।