ଅନୁଗୁଳରେ ପୁଣି କଲରାପତରିଆକୁ ହତ୍ୟା

କିଶୋରନଗର : ଅନୁଗୁଳ ଜିଲ୍ଲା ଜଙ୍ଗଲ ଇତିହାସରେ ପୁଣି ଯୋଡ଼ି ହୋଇଛି ଆଉ ଏକ କଳଙ୍କିତ ଫର୍ଦ୍ଦ। ୧୧ଦିନ ତଳେ ସାତକୋଶିଆ ଅଭୟାରଣ୍ୟରେ ଦୁଇ ଦୁଇଟା କଲରାପତରିଆ ବାଘକୁ ଶିକାର କରି ନାଳକୂଳରେ ପୋଫାଡ଼ି ଦିଆଯାଇଥିଲା। ଏହି ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ରବିବାର ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜ୍ ଫୁଲ୍‌ଝରୀ ଗାଁରେ ଆଉ ଏକ କଲରାପତରିଆ ବାଘକୁ ହତ୍ୟା କରାଯାଇଛି। ଚମଡ଼ା, ଦାନ୍ତ ଏବଂ ନଖ ପାଇଁ ତାକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ବାଘକୁ ହତ୍ୟା କରିବାପରେ ଜଙ୍ଗଲ ଭିତରେ ତା’ ଦେହରୁ ଛାଲ ଉତାରି ପଥର ଉପରେ ଶୁଖାଇବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଚମଡ଼ା ଶୁଖାଇବା ସମୟରେ ବନ ବିଭାଗ ଚଢ଼ଉ କରିଛି। ଘଟଣାରେ ସମ୍ପୃକ୍ତ ଜିଅନ୍ତାନାଳୀ ଗାଁର ରଞ୍ଜିତ୍‌ ବେହେରା(୧୮), ଫୁଲଝରୀ ଗାଁର ଗୟା ମିର୍ଦ୍ଧା (୩୦), ବାବି ନାୟକ(୨୮) ଓ ଘନଶ୍ୟାମ ନାୟକ(୫୫)ଙ୍କୁ ଗିରଫ କରାଯାଇଛି।

ମାରିବା ପାଇଁ ବିଦ୍ୟୁତ୍‌ ଫାଶ ବସାଇଥିଲେ
ଜଙ୍ଗଲକୁ ବୋହିନେଇ ଚମଡ଼ା, ଦାନ୍ତ ଓ ନଖ ଛଡ଼ାଇଲେ
ଚମଡ଼ା ଶୁଖାଉଥିବା ବେଳେ ଚଢ଼ଉ, ବନ୍ଧାହେଲେ ଚାରି

ସୂଚନା ମୁତାବକ, ଗତ ୪ ତାରିଖ ରାତିରେ ଶିକାରୀମାନେ ଜନ୍ତୁ ଶିକାର କରିବା ପାଇଁ ଯୋଜନା କରିଥିଲେ। ଗାଁଠାରୁ କେଇ ମିଟର ଦୂରରେ ସେଥିପାଇଁ ବିଦ୍ୟୁତ୍‌ ଫାଶ ପକାଇଥିଲେ। ବିଦ୍ୟୁତ୍‌ ଫାଶରେ ପଡ଼ି ପ୍ରାୟ ୩/୪ବର୍ଷ ବୟସର ଏ ଅଣ୍ଡିରା ବାଘଟି ଛଟପଟ ହୋଇ ମୃତ୍ୟୁବରଣ କରିଥିଲା। ଘଟଣା ଜଣାପଡ଼ିବା ପରେ ଚତୁର ଶିକାରୀମାନେ ବାଘଟିକୁ ଜଙ୍ଗଲ ଭିତରକୁ ବୋହି ନେଇଥିଲେ। ଶାବଳ ଏବଂ ଛୁରିରେ ମଲା ବାଘଟିକୁ କାଟିଥିଲେ। କୌଶଳ କ୍ରମେ ବାଘ ଦେହରୁ ଛାଲ, ଦାନ୍ତ ଏବଂ ନଖ ସବୁ ବାହାର କରିଥିଲେ। ପଥର ଖୋଲ ମଧ୍ୟରେ ବାଘର ମାଂସ ପିଣ୍ଡୁଳାକୁ ଫୋପାଡ଼ି ଦେଇଥିଲେ। ମୂଲ୍ୟବାନ ଛାଲକୁ ପଥର ଉପରେ ପକାଇ ଶୁଖାଇଥିଲେ। ଏହିସବୁ କାଣ୍ଡକାରନାମା ସରିଲା ପରେ ବନ ବିଭାଗକୁ ଖବର ମିଳିଥିଲା।

ରବିବାର ସକାଳୁ ବାମୁର ରେଞ୍ଜର୍‌ ସରୋଜ କୁମାର ମିଶ୍ର, ବନପାଳ ଲିଙ୍ଗରାଜ ବେହେରା, ଶାନ୍ତନୁ ଦେହୁରୀ, ପ୍ରଦୀପ ନାୟକ, ବନରକ୍ଷୀ ଲୋପାମୁଦ୍ରା ସାହୁଙ୍କ ସମେତ ବାମୁର ବନାଞ୍ଚଳର ସ୍କ୍ବାଡ୍‌ ଅତିର୍କିତ ଭାବେ ଚଢ଼ଉ କରି ଘଟଣାସ୍ଥଳରୁ ରଞ୍ଜିତ୍‌ଙ୍କୁ ଗିରଫ କରିଥିଲେ। ଘଟଣାସ୍ଥଳରୁ ଗୋଟିଏ ଶାବଳ, ଛୁରି ସହିତ ବାଘ ଶରୀରରୁ ସଦ୍ୟ ବିଚ୍ଛେଦ କରାଯାଇଥିବା ଚମଡ଼ା, ସବୁ ଦାନ୍ତ, ନଖ, ଶାବଳ, ଛୁରି ଏବଂ ଜିଆଇ ତାର ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରାଯାଇଛି। ଅନୁଗୁଳ ଆର୍‌ସିସିଏଫ୍‌, ଆଠମଲ୍ଲିକ ଡିଏଫ୍‌ଓ ଏସ୍‌. ଆନନ୍ଦ, ଏସିଏଫ୍‌ ଗୌରୀଶଙ୍କର ଦାଶଙ୍କ ସମେତ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଯେଉଁ କୌଶଳରେ ବାଘ ଦେହରୁ ଚମଡ଼ାକୁ ଛଡ଼ାଯାଇଛି, ଏଥିରେ ପେସାଦାର ଶିକାରୀଙ୍କର ସମ୍ପୃକ୍ତି ଜଳଜଳ ଦିଶୁଛି। କଲରାପତରିଆ ବାଘ ଅଙ୍ଗ ତସ୍କରଙ୍କ ରୢାକେଟ୍‌ ଆଠମଲ୍ଲିକ ଯାଏ ଲମ୍ବିଛି ଏ ଘଟଣା ସ୍ପଷ୍ଟ କରୁଛି।

ଅପରପକ୍ଷେ, ବାଘ ଅଙ୍ଗ ଚୋରି ଘଟଣାକୁ ଅସ୍ବୀକାର କରିଛନ୍ତି ଆଠମଲ୍ଲିକ ଡିଏଫ୍‌ଓ ଶ୍ରୀ ଆନନ୍ଦ। ସେ କହିଛନ୍ତି, ଏମାନେ ବାର୍‌ହା କିମ୍ବା ଅନ୍ୟ ଜନ୍ତୁ ଶିକାର କରିବା ପାଇଁ ଜଙ୍ଗଲରେ ବିଦ୍ୟୁତ୍‌ ଫାଶ ପକାଇଥିଲେ। କିନ୍ତୁ, ଫାଶରେ କଲରାପତରିଆ ବାଘ ପଡ଼ିଥିଲା। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା। ତେଣୁ, ବାଘ ଚମଡ଼ାରୁ ଅଧିକ ଟଙ୍କା ପାଇବା ଲୋଭରେ ଏମାନେ ଜଙ୍ଗଲ ଭିତରକୁ ନେଇ ବାଘର ଚମଡ଼ା ଉତାରିଥିଲେ। ‘ ଖବର ପାଇ ଆମେ ଚଢ଼ଉ କରି ବାଘ ଦେହର ସବୁ ଜିନିଷ ଜବତ କରିଛୁ। ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତା’ର ଖୋଳତାଡ଼ ଚାଲିଛି। ଏନ୍‌ଟିସିଏ ଗାଇଡ୍‌ଲାଇନ୍‌ ଅନୁସାରେ, ବାଘର ମୃତ ଶରୀର ବ୍ୟବଚ୍ଛେଦ କରାଯାଇଛି। ନିୟମ ଅନୁସାରେ କମିଟି ଗଠନ କରାଯାଇ ମୃତଦେହ ଦାହ କରାଯାଇଛି,’ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର