ସୁକପାଇକାକୁ ମାରିଦେଲେ! ଫାଇଲ୍‌ରେ ସୀମିତ ପୁନରୁଦ୍ଧାର ଯୋଜନା

୪୪ କୋଟି ଅନୁଦାନ ବିନିଯୋଗ ପାଇଁ ଲକ୍ଷ୍ୟ ଥିଲା, ଡିପିଆର୍ ପ୍ରସ୍ତୁତି ବି ଶୀତଳଭଣ୍ଡାରରେ

କଟକ : ମହାନଦୀର ଶାଖା ସୁକପାଇକା ନଦୀ ଏବେ ମୃତ! ନଦୀଶଯ୍ୟା ଏବେ ଖେଳପଡ଼ିଆର ଭ୍ରମ ସୃଷ୍ଟିକରୁଛି। ଅନେକ ଅଞ୍ଚଳ ଇଟା ମାଫିଆ କବ୍‌ଜା କରିନେଇଛନ୍ତି। ଆଉ କିଛି ଅଞ୍ଚଳରେ ନିର୍ମାଣ କାମ ବି ହୋଇସାରିଛି। ଫଳରେ, କଟକ ଜିଲ୍ଲା ସଦର ଅଞ୍ଚଳ ବିଶେଷକରି ଚିର ମରୁଡ଼ିଗ୍ରସ୍ତ କିଶନନଗରରେ ଜଳସେଚନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି ନଈକୁ ଜାଣିଶୁଣି ମାରିଦିଆଯାଇଥିବା ଅଭିଯୋଗ ହେଉଛି।

କିଶନନଗର ଅଞ୍ଚଳ ଅନ୍ତର୍ଗତ ୧୬ଟି ପଞ୍ଚାୟତର ୪୨୫ଟି ଗାଁର ଜୀବନଧାରଣର ମୁଖ୍ୟ ଉତ୍ସ ଥିଲା ସୁକପାଇକା ନଦୀ। ଏହି ନଦୀ ଉପରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭରଶୀଳ ଥିଲେ। ଏହି ନଈ ମରିଯିବା ଫଳରେ ନଦୀ ପାର୍ଶ୍ବବର୍ତ୍ତୀ ୮ଶହ ଏକର ଜମି ଏବେ ପଡ଼ିଆ ପଡ଼ିଛି। ଅଞ୍ଚଳର ଭୂତଳ ଜଳସ୍ତର ଉପରେ ସିଧାସଳଖ ପ୍ରଭାବ ପଡିଛି। ନଦୀ ପାର୍ଶ୍ବବର୍ତ୍ତୀ ଗାଁଗୁଡିକରେ ଥିବା ବଡ଼ବଡ଼ ଜଳାଶୟ ସବୁ ଶୁଖିଲା ପଡ଼ିଲାଣି। ବୋଧପୁର, ପ୍ରହରାଜପୁର, ସୋମପୁର ଆଦି ବିଭିନ୍ନ ଗାଁରେ ଥିବା ପୋଖରୀ ସବୁ ଶୁଖିଯିବା ଫଳରେ ମାଛଚାଷ ସବୁ ଉଜୁଡି ଯାଇଛି। ଫଳରେ କୈବର୍ତ୍ତ ସମାଜ ତାଙ୍କର ଜୀବିକା ହରାଇ ଏବେ ଦାଦନ ଖଟୁଛନ୍ତି। ନଳକୂଅ ହେଉ ବା ବୋର ପଏଣ୍ଟ, ଅନେକ ଗଭୀରତା ଯାଏ ଖୋଳିଲେ ବି ଅନେକ ସ୍ଥାନରେ ପାଣି ବାହାରୁନି। ନଈର ପାଖାପାଖି ୫ଶହ ଏକରରୁ ଅଧିକ ଅଞ୍ଚଳ ଏବେ ଜବରଦଖଲକାରୀଙ୍କ କବ୍‌ଜାରେ। ନଈକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ମାମଲା ଗଡୁଛି।

ସୁକପାଇକା କଟକ ସଦର ତହସିଲ ଅନ୍ତର୍ଗତ ଆୟତପୁରଠାରୁ ବାହାରି ଦୀର୍ଘ ୨୭.୫ କିଲୋମିଟର ପରେ କିଶନନଗର ତହସିଲର ବଙ୍କାଳଠାରେ ପୁଣି ମହାନଦୀରେ ମିଶିଛି। ଏହି ନଦୀ ସହିତ କଟକ ଓ ଜଗତ୍‌ସିଂହପୁର ଜିଲ୍ଲାର ତିନୋଟି ବ୍ଲକ୍‌ ଜଡିତ। କଟକ ସଦର, ନିଶ୍ଚିନ୍ତକୋଇଲି ଓ ଜଗତ୍‌ସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ୍ ଅଞ୍ଚଳ ଏହି ନଦୀ ପାର୍ଶ୍ବରେ ରହିଛି।

ତଥ୍ୟ ଅନୁଯାୟୀ, କିଶନନଗର ଅଞ୍ଚଳକୁ କେନାଲ ଯୋଗେ ଜଳସେଚନର ସୁବିଧା ପାଇଁ ମହାନଦୀର ଶାଖା ନଦୀ ସୁକପାଇକାର ମୁହାଣକୁ ୧୯୫୧ରେ ବନ୍ଦ କରାଯାଇଥିଲା। ତାଳଦଣ୍ଡା କେନାଲ ଖୋଳା ଯାଇ କିଶନନଗର ଅଞ୍ଚଳର ଜଳସେଚନ ବ୍ୟବସ୍ଥାକୁ ତାଳଦଣ୍ଡା ସହିତ ସଂଯୁକ୍ତ କରାଗଲା। କିନ୍ତୁ ସୁକପାଇକା ମୁହାଣକୁ ଆଉ ଖୋଲାଗଲାନି। ସେହିଦିନଠାରୁ ଦିନକୁଦିନ ନଈରେ ଜଳପ୍ରବାହ କମିବାରେ ଲାଗିଲା। ସୁକପାଇକାର ଉତ୍ପତ୍ତିସ୍ଥଳକୁ ବନ୍ଦ କରାଯିବା ଫଳରେ ମହାନଦୀ ସହିତ ଏହାର ସଂଯୋଗ ବିଚ୍ଛିନ୍ନ ହୋଇଗଲା। ମହାନଦୀରେ ବି ଦିନକୁ ଦିନ ଜଳପ୍ରବାହ କମିବା ଫଳରେ ସୁକପାଇକା ମରିଗଲା। ବର୍ଷା ହେଲେ କେଉଁଠି ଚବକାଏ ପାଣି ଭର୍ତ୍ତି ହୁଏ। ତା’ ପରେ ସବୁବେଳେ ପଡ଼ିଆ।

 

ଅନ୍ୟପକ୍ଷ‌ରେ, ସୁକ ପାଇକାର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଆସିଛି। ଏଥିପାଇଁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବି ବସିଛି। କିନ୍ତୁ କିଛିଦିନର ଘଣ୍ଟାଚକଟା ପରେ ସବୁକିଛି ଏବେ ଶୀତଳଭଣ୍ଡାରରେ। ୨୦୨୧, ଜୁଲାଇ ୨ ତାରିଖରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ କରାଯାଇ ବିସ୍ତୃତ ଯୋଜନା କରାଯାଇଥିଲା। ଡିପିଆର୍‌ ପ୍ରସ୍ତୁତି ସହ କେତେ ଅଞ୍ଚଳ ଜବରଦଖଲରେ ରହିଛି, ସେ ସଂପର୍କରେ ସଦର ଓ କିଶନନଗର ତହସିଲଦାରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଦଶ ମାସ ତଳେ ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜ୍‌ର ପୁନରୁଦ୍ଧାର ନିମନ୍ତେ ୪୪ କୋଟି ଅନୁଦାନ ରାଶିର ବିସ୍ତୃତ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବାପାଇଁ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ, ଆଜି ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ରିପୋର୍ଟ ପ୍ରସ୍ତୁତ ହୋଇପାରିନାହିଁ। ଫଳରେ, ସୁକପାଇକାର ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ନିଆ ନଯିବାରୁ ନଈ ପୋତିହୋଇ କେଉଁଠି ପଡ଼ିଆ ତ କେଉଁଠି ବଣବୁଦାରେ ପରିଣତ ହୋଇଛି। ଏହାର ସୁଯୋଗରେ ନଦୀଶଯ୍ୟାରେ ଇଟା ଭାଟି ଗଢ଼ିଉଠିଛି।

ପ୍ରାଥମିକ ଆକଳନ ଅନୁସାରେ ସୁକପାଇକା ନଦୀର ୫ଶହରୁ ଅଧିକ ଏକର ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ଥିବାବେଳେ ସେଥିରୁ କିଛି ଜମିର ସ୍ଥିତିବାନ ପଟ୍ଟା ବି ବାହାରି ସାରିଛି। କିଛିସ୍ଥାନରେ ସରକାରୀ କାର୍ଯ୍ୟାଳୟ ମଧ୍ୟ ନିର୍ମାଣ ହୋଇସାରିଛି।

ସମ୍ବନ୍ଧିତ ଖବର