ଠେଙ୍ଗାରେ ପିଟି ସମ୍ପର୍କୀୟ ଭାଇକୁ ହତ୍ୟା

କାଞ୍ଜିପାଣି : ସାମାନ୍ୟ ବଚସାକୁ କେନ୍ଦ୍ରକରି ସମ୍ପର୍କୀୟ ଭାଇଙ୍କୁ ହତ୍ୟା କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ବାଂଶପାଳ ବ୍ଲକ୍‌ କୁଆଁର ଗ୍ରାମ କଲୋନି ସାହିର ରାଘବ ସନଗୀ (୨୮)। ଶନିବାର ଦିନ ତାକୁ କୋର୍ଟଚାଲାଣ କରାଯାଇଥିବା ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ରାଘବ ଏବଂ ତାଙ୍କ ପିୟୁସୀ ପୁଅ ଟିକ ସନଗୀ (୩୦) ସାଙ୍ଗ ହୋଇ ପଣ୍ଡାଧର ହାଟକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ନଫେରି ବୈତରଣୀ ନଦୀକୁ ଆଡ଼କୁ ଯାଉଥିଲେ। ଅଧାବାଟରେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲ। ଏଥିରେ ଉତ୍ତ୍ୟକ୍ତ ହୋଇ ରାଘବ ଏକ ଠେଙ୍ଗାରେ ଟିକଙ୍କୁ ନିସ୍ତୁକ ପିଟିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଟିକଙ୍କ ମୃତ୍ୟୁ ହୋଇଯିବା ଜାଣି ରାଘବ ଘରକୁ ଆସି ଶୋଇପଡ଼ିଥିଲେ। ଅନ୍ୟପକ୍ଷରେ ଟିକ ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବୈତରଣୀ ନଦୀକୁ ଯିବା ରାସ୍ତାରେ ତାଙ୍କ ମୃତଦେହ ପଡ଼ିଥିବା ‌ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକେ କାଞ୍ଜିପାଣି ଥାନାରେ ଜଣାଇଥିଲେ।

ଥାନା ଅଧିକାରୀ ପି.କେ. ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ରାତି ହୋଇଯାଇଥିବାରୁ ଶବକୁ ମୃତକଙ୍କ ଘରେ ରଖି ପୁଲିସ ମୁତୟନ କରିଥିଲେ। ଶନିବାର ସକାଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏନେଇ କେସ୍‌ ନମ୍ବର ୩୭/୨୧ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ରାଘବକୁ ଗିରଫ କରିଛି। ମୃତ ଟିକ ସନଗୀଙ୍କ ଚାରିପୁଅ ଏବଂ ପତ୍ନୀ ଅଛନ୍ତି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର