ରାଖି ବାନ୍ଧିବାକୁ ଡାକି ନାବାଳକଙ୍କୁ ହତ୍ୟା; ଥାନା ଘେରାଉ

ବଡ଼ବିଲ: ରାଖି ବାନ୍ଧିବାକୁ ଡାକି ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ବାଲାଗୁଡ଼ା ବସ୍ତିର ମୁଣ୍ଡାସାହିରେ। ମୃତକ ଜଣଙ୍କ ହେଲେ ଡବ୍ଲ୍ୟୁହଟିଂର ସନ୍ଦୀପ ରଜକଙ୍କ ପୁଅ ସମୀର (୧୬)। ଆଜି ମଧ୍ୟାହ୍ନରେ ସମୀରଙ୍କ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ବଲାଣି ଥାନା ଘେରାଉ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ ଗୁରୁବାର ରକ୍ଷାବନ୍ଧନ ଥିଲା। ସମୀରଙ୍କୁ ରାଖି ବାନ୍ଧିବା ପାଇଁ ବାଲାଗୋଡ଼ା ବସ୍ତି ମୁଣ୍ଡାସାହିର ଜଣେ ଯୁବତୀ ଫୋନ୍‌ କରି ଘରକୁ ଡକାଇଥିଲେ। ସମୀର ମଧ୍ୟ ତାଙ୍କ ଘରକୁ ଯାଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ବଲାଣି ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନଥିଲା। ଆଜି ମଧ୍ୟାହ୍ନ ସାଢ଼େ ୧୨ଟା ବେଳେ ବାଲାଗୋଡ଼ା ବସ୍ତି ନିକଟରେ ଏକ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ। ତାହା ସମୀରଙ୍କ ମୃତଦେହ ବୋଲି ଚିହ୍ନଟ କରିବା ସହ ବଲାଣି ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ବିଲ ଡାକ୍ତରଖାନା ପଠାଇଛି।

ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭ‌ିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗତକାଲି ରାତିରେ ସମୀର ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି ତତ୍ପରତା ପ୍ରକାଶ କରି ନଥିଲା। ପୁଲିସ ପକ୍ଷରୁ ଗତକାଲି ରାତିରେ ଛାନ୍‌ଭିନ୍‌ କରାଯାଇଥିଲେ ହୁଏତ ସମୀରଙ୍କ ଜୀବନ ବଞ୍ଚି ଯାଇପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ବସ୍ତି ବାସିନ୍ଦ‌ା ଅପରାହ୍‌ଣ ୫ଟାରୁ ଥାନା ଘେରାଉ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରଛି। ରାଖି ବାନ୍ଧିବା ପାଇଁ ଫୋନ୍‌ କରି ଡକାଇଥିବା ଯୁବତୀଙ୍କ ଘରୁ ସମୀରଙ୍କ ରକ୍ତ ଲଗା ମୋବାଇଲ ଫୋନ୍‌ ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ୪ଜଣକୁ ଅଟକ ରଖି ପଚରାଉଚରା କରୁଛି। ସମୀରଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ଏଠାରେ ଆଣି ପକା ଯାଇଥିବା ସନ୍ଦେହ କରାଯାଉଛି। ସେହିପରି କିଏ କାହିଁକି ତାଙ୍କୁ ହତ୍ୟା କଲା ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। ଏନେଇ ବଲାଣି ଥାନା ପୁଲିସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପୁଲିସ କୌଣସି ସୂଚନା ଦେବାକୁ ମନା କରିଛି। ସେହିପରି ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲା। ସେ ଫୋନ୍‌ ଉଠାଇ ନଥିଲେ।

ସମ୍ବନ୍ଧିତ ଖବର