ନିଶା ପାଇଁ ସ୍ତ୍ରୀକୁ ହତ୍ୟା: ଝିଅ ହେବାରୁ ରାଗ ବଢ଼ିଲା, ଆକ୍ରମଣରେ ଝିଅ ଗୁରୁତର

ଭୁବନେଶ୍ବର: ନିଶା ପାଇଁ ରାଜ୍ୟରେ ପ୍ରତିଦିନ କେଉଁଠି ନା କେଉଁଠି ଘରସଂସାର ଉଜୁଡ଼ିଯାଉଛି। ବାପା, ମା’, ସ୍ତ୍ରୀ ଓ ପିଲାଛୁଆ ନିଶାଡ଼ିଙ୍କ ଶିକାର ହେଉଛନ୍ତି। ଗତକାଲି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ବନବିହାରୀ ଗାଁରେ ନିଶାସକ୍ତ ପୁଅ ମା’କୁ ପିଟିପିଟି ହତ୍ୟା କରିଥିଲା। ଆଜି ରାଜଧାନୀ ଭୁବନେଶ୍ବରରେ ଜଣେ ନିଶାସକ୍ତ ସ୍ବାମୀ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି। ଗତ ରାତି ତିନିଟା ପରେ ଭରତପୁର ଥାନା ଘାଟିକିଆରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡ ଆଜି ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘାଟିକିଆ ଗାଁର ସଞ୍ଜିତ ଦାଶ ଘର ଭିତରେ ଗୋଡ଼ାଇ ଗୋଡ଼ାଇ ସ୍ତ୍ରୀ ସରସ୍ବତୀଙ୍କୁ ହତ୍ୟା କରିଛି। ନିଶା ପାଇଁ ନରପିଶାଚ ପାଲଟି ଯାଇଥିବା ସଞ୍ଜିତର ବର୍ବରତା ସେତିକିରେ ଅଟକିନାହିଁ। ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ବଡ଼ ଝିଅ ପରୀ(୬)ର ଗଳାକାଟି ପକାଇଛି। ସୌଭାଗ୍ୟକୁ ପରୀ ବଞ୍ଚିଯାଇଛି ଓ ତାକୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭରତପୁର ଥାନା ପୁଲିସ ଅଭିଯୁକ୍ତ ସଞ୍ଜିତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରି ଜବତ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ପୁଲିସ ସରସ୍ବତୀଙ୍କ ମୃତଦେହକୁ ଜବତ କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ହତ୍ୟାକାଣ୍ଡ ସଂପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଗତ ୪ ଦିନ ହେଲା ସରସ୍ବତୀ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ବଡ଼ ଝିଅ ପରୀ ଥିବା ବେଳେ ସରସ୍ବତୀ ପୁଣି ଏକ ଝିଅ ଜନ୍ମ ଦେବାରୁ ସଞ୍ଜିତ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ସିଧାସଳଖ ଫୋନ୍ କରି ସରସ୍ବତୀଙ୍କ ପରିବାର ଲୋକଙ୍କୁ ନବଜାତ ଝିଅକୁ ନେଇଯିବା ପାଇଁ କହିଥିଲା। ନ ହେଲେ ସରସ୍ବତୀଙ୍କୁ ହତ୍ୟା କରିବ ବୋଲି ଧମକ ବି ଦେଇଥିଲା। ସରସ୍ବତୀ ସ୍ବାମୀ ସଞ୍ଜିତର ଏଭଳି କୁତ୍ସିତ ଚିନ୍ତାଧାରାକୁ ବିରୋଧ କରିବାରୁ ସେ ବେଶି ରାଗିଯାଇଥିଲା। ପୂର୍ବରୁ ସରସ୍ବତୀ ତା’ର ନିଶା ଖାଇବାକୁ ବିରୋଧ କରୁଥିବା ବେଳେ ନବଜାତ ଝିଅକୁ ନେଇ ଗତ ୪ ଦିନ ହେଲା ସଞ୍ଜିତର ମୁଣ୍ଡକୁ ପୋକ କାମୁଡ଼ିଥିଲା। ଆଜି ସକାଳୁ ସେ ପୁଣି ନିଶା ଖାଇବାକୁ ସରସ୍ବତୀଙ୍କୁ ଟଙ୍କା ମା‌ଗିଥିଲା। ଏନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସଞ୍ଜିତ ଡାଇନିଂରେ ଥିବା ଏକ ବଡ଼ ଛୁରି ଧରି ସରସ୍ବତୀଙ୍କୁ ଆକ୍ରମଣ କରିଥିଲା। ଗୋଡ଼ାଇ ଗୋଡ଼ାଇ ସରସ୍ବତୀଙ୍କୁ ଛୁରି ଭୁସି ଚାଲିଥିଲା। ପ୍ରାଣ ବିକଳରେ ସରସ୍ବତୀ ଦୌଡ଼ି ଦୌଡ଼ି ଏକ ସୋଫା ଭିତରକୁ ପଶିଯାଇଥିଲେ। ମାତ୍ର ରକ୍ତମୁଖା ସଞ୍ଜିତ ହାବୁଡ଼ରୁ ବର୍ତ୍ତି ପାରିନଥିଲେ। ସୋଫା ଭିତରୁ ଘୋଷାରି ଆଣି ସେ ସରସ୍ବତୀଙ୍କ ପେଟ, ଛାତି, ଜଙ୍ଘ, ଗୋଡ଼ ଓ ହାତକୁ ବାରମ୍ବାର ଛୁରି ଭୁସି ପକାଇଥିଲା। ମା’କୁ ମାରୁଥିବା ଦେଖି ବଡ଼ଝିଅ ପରୀ ଚିତ୍କାର କରିବାରୁ ସଞ୍ଜିତ ତାକୁ ମଧ୍ୟ ଛାଡ଼ିନଥିଲା। ଛୁରିରେ ପରୀର ବେକ ଓ ମୁହଁକୁ କାଟି ପକାଇଥିଲା। ମାତ୍ର ୪ ଦିନର ଶିଶୁ କନ୍ୟାର କୌଣସି କ୍ଷତି କରିନଥିଲା।

ସୂଚନାଯୋଗ୍ୟ ଯେ ୨୦୧୫ ମସିହାରେ ସଞ୍ଜିତ ସେହି ଗାଁ ଝିଅ ସରସ୍ବତୀଙ୍କୁ ବିବାହ କରିଥିଲା। ସେତେବେଳେ ସଞ୍ଜିତ ନିଶାସକ୍ତ ଥିଲେ ବି ପରେ ବଦଳିଯିବା ଆଶାରେ ସରସ୍ବତୀ ତା’ ହାତ ଧରିଥିଲେ। ମାତ୍ର ଭାଗ୍ୟର ବିଡ଼ମ୍ବନା ଯାହାକୁ ସାତ ଜନ୍ମର ସାଥୀ କରିଥିଲେ, ସେହି ସ୍ବାମୀ ହାତରେ ତାଙ୍କ ଜୀବନଦୀପ ଲିଭିଗଲା। ବିବାହ ପରେ ସଞ୍ଜିତ ନିଶା ସେବନ ଛାଡ଼ିବ କ’ଣ, ବେଶି ନିଶାସକ୍ତ ହୋଇପଡ଼ିଥିଲା। ମଦ, ଗଞ୍ଜେଇ, ବ୍ରାଉନ୍‌ସୁଗାର ଓ ଚରସ୍ ଭଳି ସବୁ ନିଶା ପାର୍‌ କଲା। ପୈତୃକ ଜମିବାଡ଼ି ବିକି ପକାଇବା ସହ ଗାଡ଼ି ଓ ସ୍ତ୍ରୀଙ୍କ ଗହଣାଗାଣ୍ଠି ବିକି ପକାଇଲା। ଶେଷରେ ସରସ୍ବତୀ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ନର୍ସ ଚାକିରି କଲେ। ନିଶାଡ଼ି ସଞ୍ଜିତ ନିଶା ଖର୍ଚ୍ଚ ପାଇଁ ସରସ୍ବତୀଙ୍କ ଦରମାରେ ଭାଗ ବସାଇଲା ଓ ତାଙ୍କୁ ମାଡ଼ ମାରି ଟଙ୍କା ନେଉଥିଲା। ଗତ କିଛି ଦିନ ପୂର୍ବେ ସରସ୍ବତୀଙ୍କ ସ୍କୁଟିକୁ ବି ବିକି ନିଶା ପାଣି ଖର୍ଚ୍ଚରେ ଉଡ଼ାଇଦେଇଥିଲା।

ସମ୍ବନ୍ଧିତ ଖବର