ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ଥାନା କନଗାଁ ପଞ୍ଚାୟତ ବୁଡ଼ାମାଲ ଗ୍ରାମରେ ଅନୈତିକ ପ୍ରେମସଂପର୍କକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏହି ମାମଲାରେ ସେହି ଗ୍ରାମର ୩ ଜଣ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟକୁ ଚାଲାଣ କରିଛି। ମୃତ ଯୁବକ ଜଣକ ହେଲେ ସାନନ୍ଦ ସା (୩୫)। ଗିରଫ ଅଭିଯୁକ୍ତମାନେ ସେହି ଗାଁର ଅଜୟ ଭୁଏ, ଦୁଇ ବନ୍ଧୁ ଦୁଃଖନାଶନ ସାହୁ (୨୫) ଓ ପ୍ରସନ୍ନ ସା (୪୨)।
ପୁଲିସ୍ ସୂଚନାନୁସାରେ, ଅଜୟଙ୍କ ପତ୍ନୀ ସହିତ ସାନନ୍ଦଙ୍କ ଅନୈତିକ ପ୍ରେମ ସଂପର୍କ ରହିଥିଲା। ୧୫-୨୦ ଦିନ ପୂର୍ବରୁ ଦିନେ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଅଜୟ ଉଭୟଙ୍କୁ ଅସଂଜତ ଅବସ୍ଥାରେ ଦେଖିଥିଲେ। ସେହି ଦିନରୁ ଅଜୟ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ। ଘଟଣା ସଂପର୍କରେ ସେ ନିଜ ଦୁଇ ବନ୍ଧୁ ଦୁଃଖନାଶନ ଓ ପ୍ରସନ୍ନଙ୍କୁ ଜଣାଇଥିଲେ। ସମସ୍ତେ ମିଶି ସାନନ୍ଦଙ୍କୁ ହତ୍ୟା କରିବା ପାଇଁ ଷଡ଼୍ଯନ୍ତ୍ର କରିଥିଲେ।
ଯୋଜନା ଅନୁସାରେ ଶନିବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ମଦ ପିଇବା ପାଇଁ ଅଭିଯୁକ୍ତମାନେ ସାନନ୍ଦଙ୍କୁ ଡାକିଥିଲେ। ସେମାନେ ମଦ ପିଇବା ପରେ ଅଜୟ ଏକ ଟାଙ୍ଗିଆରେ ସାନନ୍ଦଙ୍କ ମୁଣ୍ଡରେ ପ୍ରଥମେ ଚୋଟ ମାରିଥିଲେ। ସାନନ୍ଦଙ୍କ ମୁଣ୍ଡରୁ ରକ୍ତସ୍ରାବ ହୋଇଥିଲା।
ଏହା ପରେ ଦୁଃଖନାଶନ ଓ ପ୍ରସନ୍ନ ମିଶି ସାନନ୍ଦଙ୍କୁ ଧରି ପକାଇଥିଲେ। ଏତିକି ବେଳେ ଅଜୟ ଏକ ବ୍ଲେଡ୍ ସହାଯ୍ୟରେ ସାନନ୍ଦଙ୍କ ଗୁପ୍ତାଙ୍କୁ କାଟି ପକାଇଥିଲେ। ସେହି କଟା ଗୁପ୍ତାଙ୍ଗକୁ ଏକ ପଲିଥିନରେ ଭର୍ତ୍ତି କରି ଅନ୍ୟତ୍ର ଫିଙ୍ଗି ଦେଇଥିଲେ। ସାନନ୍ଦ ମରିଯିବା ଜାଣିବା ପରେ ତିନି ଜଣ ଯାକ ନିକଟରେ ଥିବା ଏକ ପୋଖରୀକୁ ଯାଇଥିଲେ। ସେମାନେ ପାଣି ଭିତରକୁ ଟାଙ୍ଗିଆ, କପଡ଼ା ଓ ମୋବାଇଲକୁ ଫିଙ୍ଗି ଦେଇ ଘରକୁ ଚାଲିଯାଇଥିଲେ। ରବିବାର ସକାଳେ ଖବର ପାଇ ସୋହେଲା ଥାନା ଆଇଆଇସି ହରିବନ୍ଧୁ ଗଡ଼ତିଆ ଏବଂ ପୁଲିସ୍ ଟିମ୍ ଘଟଣାସ୍ଥଳରେ ପହଂଚି ତନାଘନା କରିଥିଲେ। ବରଗଡ଼ରୁ ଅନୁସନ୍ଧାନୀ କୁକୁରକୁ ଏଥିରେ ନିୟୋଜିତ କରାଯାଇଥିଲା। ତଦନ୍ତ ପରେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜାଣିବା ପରେ ପୁଲିସ ପ୍ରଥମେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଥିଲା। ଜେରା ପରେ ସେମାନେ ସାନନ୍ଦଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପୁଲିସ ଟାଙ୍ଗିଆ, ବ୍ଲେଡ୍, କଟା ଗୁପ୍ତାଙ୍ଗ ଓ ମୋବାଇଲକୁ ଜବତ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)