ବ୍ୟାବସାୟିକ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା

ସୋର: ବ୍ୟାବସାୟିକ ଶତ୍ରୁତାରୁ ଘଟିଛି ହତ୍ୟାକାଣ୍ଡ। କିଛି ଦୁର୍ବୃତ୍ତ ଯୁବକଙ୍କୁ ଘରୁ ଡାକି ନେଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଏକାଧିକ ବ୍ୟକ୍ତି ଅଟକ ଥିବା ଜଣାପଡ଼ିଛି।

ସୋର ଥାନା ଅଧୀନ ଗୋବିନ୍ଦପୁର ଗ୍ରାମୀ ବୈକୁଣ୍ଠନାଥ ମଲ୍ଲିକଙ୍କ ପୁଅ କମଳାକାନ୍ତ (୩୮)ଙ୍କ ସହ ସେହି ଗ୍ରାମର କିଛି ଯୁବକଙ୍କ ବ୍ୟବସାୟିକ ଶତୃତା ଥିଲା। ଗ୍ରାମ ନିକଟସ୍ଥ ପଥର ଖାଦାନ ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ମେସିନ୍ କ୍ରୟରେ ଅଂଶିଦାର ଥିବା କମଳାକାନ୍ତଙ୍କ ସହ ଅନ୍ୟ ଅଂଶିଦାରଙ୍କ ଝଗଡ଼ା ହୋଇଥିଲା। ଏନେଇ କମଳାକାନ୍ତ ଗତ କିଛିଦିନ ହେବ ମାନସିକ ଚାପରେ ଥିଲେ। ତେବେ ଗତ ଶନିବାର ଦିନ ରାତିରେ ପ୍ରତାପ ମଲ୍ଲିକ, ଶମ୍ଭୁନାଥ ମଲ୍ଲିକ, କରୁଣାକର ମଲ୍ଲିକ, ଅସିତ ମଲ୍ଲିକ ଓ ଜିତୁ ମଲ୍ଲିକ କିଛି ସହଯୋଗୀଙ୍କ ସହ କମଳାକାନ୍ତଙ୍କୁ ଘରୁ ଡାକି ନେଇଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ବି ତାଙ୍କର ପତ୍ତା ମିଳି ନ ଥିଲା। ତେବେ ରବିବାର ଦିନ ସକାଳେ ୬ ବର୍ଷର ପୁଅ ବାପା କମଳାକାନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାହାରୁ ଶିଡ଼ି ଥିବା ଘର ଛାତ ଉପରେ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ପାରିବାର ଲୋକ ତାଙ୍କୁ ସଂଗେ ସଂଗେ ସୋର ଡାକ୍ତରଖାନା ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ କମଳାକାନ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ କମଳାକାନ୍ତଙ୍କ ମୃତ୍ୟୁ ଘଟିଛି।

ଏ ସଂକ୍ରାନ୍ତରେ ବାପା ବୈକୁଣ୍ଠନାଥ ପୁଅକୁ ହତ୍ୟା କରାଯାଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ୨୨୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏହି ଘଟଣାରେ ଏଯାଏ ୪ ଜଣ ଅଟକ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର