ବ୍ରହ୍ମପୁର/ପାତ୍ରପୁର, : ସାଢ଼େ ୭ ବର୍ଷ ପୁରୁଣା ଗୋଷ୍ଠୀବିବାଦକୁ କେନ୍ଦ୍ରକରି ଆଜି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଅଧୀନ ସାମନ୍ତିଆପଲ୍ଲୀ ଗ୍ରାମରେ ହିଂସା ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସର୍ବସାଧାରଣଙ୍କ ଉପସ୍ଥିତିରେ ତଥା ଭିଡ଼ ଭିତରେ ପ୍ରତିପକ୍ଷ ଗୋଷ୍ଠୀର ମରଣାନ୍ତକ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ, ଆମ୍ବଗାଁର ଏମ୍.ରାମାରାଓ (୩୫)। ସେହିପରି ମୃତକଙ୍କ ସାନଭାଇ ଏମ.ଲାଛାୟା ଓ ସଂପର୍କୀୟ ଏମ.କ୍ରିଷ୍ଣା ରାଓ ଗୁରୁତର ହୋଇଛନ୍ତି।
ସୂଚନାନୁସାରେ, ଗୁରୁବାର ସକାଳ ୧୦ଟାରେ ଆମ୍ବଗାଁ ଗ୍ରାମବାସୀ ସାମନ୍ତିଆପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟାଯାଉଥିଲା। ରାମାରାଓ, ଲାଛାୟା ଓ କ୍ରିଷ୍ଣା ମଧ୍ୟ ଚାଉଳ ନେବାକୁ ଆସି ଧାଡ଼ି ବାନ୍ଧି ଛିଡ଼ା ହୋଇଥିଲେ। ଏହିସମୟରେ ପ୍ରତିପକ୍ଷ ଗୋଷ୍ଠୀର ୪ରୁ ୫ ଜଣ ଯୁବକ କାତି ସମେତ ବିଭିନ୍ନ ମାରଣାସ୍ତ୍ର ସହ ସେଠାରେ ପହଞ୍ଚି ଆତଙ୍କ ଖେଳାଇବା ସହ ତିନିଜଣଙ୍କୁ ଟାର୍ଗେଟ୍ କରି ଗୋଡ଼ାଇଗୋଡ଼ାଇ ଆକ୍ରମଣ କରିଥିଲେ। ମାରଣାସ୍ତ୍ରରେ ହାଣିବା ସହ ପେଟରେ ଛୁରୀ ଭୁସି ଦେଇଥିଲେ। କଲେଜ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ ଏହା ଦେଖି ଭୟଭୀତ ପାଲଟିଯିବା ସହ ଆକ୍ରମଣକାରୀଙ୍କୁ ପ୍ରତିହତ କରିବାକୁ ସାହସ ଜୁଟାଇ ପାରି ନଥିଲେ। ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇଥିଲେ।
ଆକ୍ରମଣକାରୀମାନେ ପଳାଇବା ପରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ସରପଞ୍ଚ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ରାମାରାଓଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଭାଇ ଲାଛାୟା ଓ ସଂପର୍କୀୟ କ୍ରିଷ୍ଣାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଓ ସେଠାରୁ କଟକ ସ୍ଥାନାନ୍ତର କରାଯାଇଛି।