ଠିକାକାମ ପାଇଁ ବିଜେଡି କର୍ମୀଙ୍କୁ ହତ୍ୟା

କେନ୍ଦୁଝର: ଠିକାକାମକୁ କେନ୍ଦ୍ରକରି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଉରୀପଦା ପଞ୍ଚାୟତ ମନୋହରପୁର ଗ୍ରାମରେ ଜଣେ ବିଜେଡି କର୍ମୀଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ପୂର୍ବତନ ୱାର୍ଡସଭ୍ୟା ସବିତା ଘଣାଙ୍କ ସ୍ବାମୀ ଭାଗ୍ୟଧର ଘଣା (୩୯) ଓରଫ କାଳିଆ। ଏହି ଘଟଣାରେ ପୁଲିସ ମାମୁଭଣଜାଙ୍କ ସମେତ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କାଳିଆ ବାଉରୀପଦା ଅଞ୍ଚଳରେ ବିଜେଡିର ଜଣେ ଆଗଧାଡ଼ିର କର୍ମୀ ଥିଲେ। ସ୍ଥାନୀୟ ଅଞ୍ଚଳରେ ସେ ଠିକାକାମ କରୁଥିଲେ। ଗତକାଲି ରାତି ପ୍ରାୟ ୧୦ଟାବେଳେ ୪ ଜଣ ଯୁବକ କାଳିଆଙ୍କ ଘରେ ପହଞ୍ଚିଥିଲେ। ମଦ ପିଇବା ପାଇଁ ତାଙ୍କୁ ଗାଁମୁଣ୍ଡ‌ ଖମାର ମଝିରେ ଥିବା ଏକ ପୋଖରୀ ନିକଟକୁ ଡାକିଥିଲେ। କାଳିଆ ଓ ତାଙ୍କ ସାଙ୍ଗ ତରଣୀସେନ ଦେହୁରୀ ସେଠାକୁ ଯାଇଥିଲେ। ମଦ ପିଇବା ସମୟରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଫଳରେ ସମ୍ପୃକ୍ତ ଯୁବକମାନେ କାର୍‌ରୁ ଜ୍ୟାକ୍‌ରଡ୍‌ ବାହାର କରି କାଳିଆଙ୍କୁ ଆକ୍ରମଣ କରିଥିଲେ। ସାଙ୍ଗରେ ଯାଇଥିବା ତରଣୀସେନ ସେଠାରୁ ଦୌଡ଼ି ପଳାଇ ଆସିବାରୁ ବର୍ତ୍ତି ଯାଇଥିଲେ। ତରଣୀସେନ ଗାଁକୁ ଆସି ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଲୋକେ ପୁଲିସକୁ ଖବର ଦେବାସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ କାଳିଆ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଥିଲା। ଆଜି ସକାଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉଲ୍ଲେଖଯୋଗ୍ୟ ଯେ, ଠିକାକାମକୁ ନେଇ ଅପରଗୋଷ୍ଠୀଙ୍କ ସହ କଥା କଟାକଟି ହୋଇଥିଲା। ଏହାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର