ଆଳି/ଚାନ୍ଦୋଳ : କେନ୍ଦ୍ରାପଡା ଜିଲ୍ଲା ଆଳି ଓ ଡେରାବିଶ ବ୍ଲକ୍‌ ଚାନ୍ଦୋଳରେ ଦୁଇଟି ହତ୍ୟାକାଣ୍ଡ ଘଟିଛି। ଆଳିରେ ରାଜନୈତିକ ଶତ୍ରୁତା ଓ ଚାନ୍ଦୋଳରେ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ଜଣଙ୍କ ଜୀବନ ଯାଇଛି। ଉଭୟ ଘଟଣାରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।

Advertisment

ରାଜନୈତିକ ଶତ୍ରୁତାରୁ ଆଳି ଥାନା ସହିରା ଗ୍ରାମ ନିବାସୀ ଅମିତ୍ ପାତ୍ରଙ୍କୁ ଗତକାଲି ବିଳମ୍ବିତ ରାତିରେ ଆକ୍ରମଣ କରାଯାଇଥିଲା। ତାଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ ରଶ୍ମିରଞ୍ଜନ ରାଉଳଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଅପରପକ୍ଷରେ ଏହି ହତ୍ୟାକାଣ୍ଡ ପରେ ସହିରା ଗ୍ରାମ ଶୂନଶାନ ହୋଇଯାଇଛି। ମୃତ ଅମିତଙ୍କ ଦାଦା ମନୋରଞ୍ଜନ ପାତ୍ର ଆଳି ଥାନାରେ ଦାଏର କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଗତକାଲି ରାତିରେ ସହିରା ନିକଟସ୍ଥ ଦହିଅଣ୍ଟା ଗ୍ରାମରୁ ହରିହାଟ ଭୋଜି ଖାଇ ଅମିତ୍ ଓ ତାଙ୍କର ଶଳା ସଞ୍ଜୟ ଜେନା ଫେରୁଥିଲେ। ଏହି ସମୟରେ ଦହିଅଣ୍ଟା ଛକ ନିକଟରେ ରଶ୍ମିରଞ୍ଜନ ଓ ତାର ଅନ୍ୟ ଦୁଇ ସହଯୋଗୀ ଅମିତ୍ ଓ ସଞ୍ଜୟଙ୍କ ଉପରେ ଆକ୍ରମଣ କରିଥିଲେ। ରଶ୍ମିରଞ୍ଜନଙ୍କ ଛୁରି ମାଡ଼ରେ ଅମିତ୍ ରକ୍ତ ଜୁଡୁବୁଡୁ ହୋଇ ରାସ୍ତା ଉପରେ ପଡ଼ି ରହିଥିବା ବେଳେ ଗୁରୁତର ଆହତ ସଞ୍ଜୟ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ନିଆଯାଇଥିବା ବେଳେ ସେଠାରେ ଅମିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆହତ ସଞ୍ଜୟଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଅଭିଯୁକ୍ତ ରଶ୍ମିରଞ୍ଜନକୁ କାବୁ କରି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ପୁଲିସ ଏସଡିପିଓ ସନ୍ଧ୍ୟାରାଣୀ ବେହୁରା ସୂଚନା ଦେଇଛନ୍ତି।

ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଅମିତ୍ ଓ ରଶ୍ମିରଞ୍ଜନ ମଧ୍ୟରେ ରାଜନୈତିକ ବିବାଦ ଲାଗି ରହିଥିଲା ବୋଲି ମୃତ ଅମିତଙ୍କ ଦାଦା କିଶୋର ପାତ୍ର ଅଭିଯୋଗ କରିଛନ୍ତି। ଏହି ବିବାଦ କାରଣରୁ ଅନେକ ସମୟରେ ଊଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହେଉଥିଲା। ଗତରାତିରେ ଭୋଜି ଖାଇବା ସମୟରେ ପରସ୍ପରକୁ ଆକ୍ଷେପ ଓ ପ୍ରତି ଆକ୍ଷେପ ପରେ ଏଭଳି ହତ୍ୟାକାଣ୍ଡ ଘଟିଥିବା କେତେକ ଗ୍ରାମବାସୀ କହିଛନ୍ତି। ତେବେ ଏହି ଘଟଣାକୁ ନେଇ ସହିରା ପଞ୍ଚାୟତରେ ଚାପା ଉତ୍ତେଜନା ଲାଗି ରହିଛି।

ଅନ୍ୟପଟେ୦ ଜମିବାଡ଼ି ବିବାଦରୁ କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ତି ଅନ୍ତର୍ଗତ ଗଣେଶପୁର (ଅନାମ ଦାଶ ଛକ) ଗ୍ରାମରେ ବସନ୍ତ ଦାସ(୭୨)ଙ୍କ ଜୀବନ ଯାଇଛି। ଅନାମ ଦାଶ ଛକର ବସନ୍ତ ଓ ତାଙ୍କ ସାନ ଭାଇ ଶରତ ଦାସଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ହେବ ଜମିବାଡ଼ି ବିବାଦ ଲାଗି ରହିଥିଲା। ଏହାକୁ ନେଇ ବହୁବାର ଗଣ୍ଡଗୋଳ ବି ଘଟୁଥିଲା। ତେବେ ଆଜି ଏହି ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଏହି ଜମିବାଡ଼ି ବିବାଦକୁ ନେଇ ବସନ୍ତ ଓ ଶରତଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା। ଉଭୟ ପରିବାରର ସଦସ୍ୟ ମାଡ଼ପିଟ୍‌ ଲାଗିଥିଲେ। ଏତିକିବେଳେ ଶରତ, ତାଙ୍କ ସ୍ତ୍ରୀ ଓ ପୁଅ ଅଜୟ ମିଶି ବସନ୍ତଙ୍କୁ ମାଡ଼ ମାରିଥିଲେ। ଅଭିଯୋଗ ଅନୁସାରେ, ଅଜୟ ବଡ଼ବାପା ବସନ୍ତଙ୍କ ଛାତିକୁ ଶକ୍ତ ଆଘାତ ଦେଇ ତଂଟିକୁ ବି ଚିପି ଦେଇଥିଲେ। ଘଟଣାସ୍ଥଳରେ ବସନ୍ତ ଅଚେତ ହୋଇପଡ଼ିଥିଲେ। ପୁଅ ସଂଜୟ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ସେଠାରେ ବସନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବସନ୍ତଙ୍କ ଶବ ଉଦ୍ଧାର କରିଛି। ସଦର ଥାନା ଅଧିକାରୀ ସରୋଜ ସାହୁ, ଚାନ୍ଦୋଳ ଫାଣ୍ତି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ଶରତଙ୍କ ସ୍ତ୍ରୀ ଓ ପୁଅ ଅଜୟକୁ ଅଟକ ରଖି ପଚରାଉଚୁରା କରୁଛନ୍ତି।