କବିସୂର୍ଯ୍ୟନଗର : ପ୍ରଶାସନ ଓ ପୁଲିସର ସଚେତନତା ସତ୍ତ୍ବେ ଗଞ୍ଜାମ ଜିଲ୍ଲାରେ ଗୁଣିଗାରେଡ଼ିକୁ ନେଇ ହିଂସା ଓ ଆକ୍ରମଣ ଥମିବା ନାଁ ନେଉନି। ଅନ୍ଧବିଶ୍ବାସ ଯେମିତି ଏବେ ସମସ୍ତଙ୍କୁ କବଳିତ କରି ରଖିଛି। ବରଂ ଏଭଳି କୁପ୍ରଥା ହ୍ରାସ ପାଇବା ବଦଳେ ବରଂ ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହୋଇପଡୁଛି। ଗୁଣିଗାରେଡି ଜନିତ ହିଂସା ଯୋଗୁଁ ଉଡୁଡ଼ି ଯାଉଛି ସୁନାର ସଂସାର। କେଉଁଠି ନା କେଉଁଠି ନିତି ଗଡୁଛି ମୁଣ୍ଡ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତର ମଧୁରଝୋଳ ଗ୍ରାମରେ। ଗୁଣିଗାରେଡ଼ିକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ଗ୍ରାମବାସୀ ସଂଘବଦ୍ଧ ଭାବେ ପିଟି ପିଟି ନିର୍ମମ ହତ୍ୟା କଲେ। ୫ ଜଣ ଗୁରୁତର ଆହତ ହୋଇ ଏବେ ମେଡିକାଲରେ।
ମାଷ୍ଟର୍ମାଇଣ୍ଡ୍ ତାନ୍ତ୍ରିକ ପଛରେ ପୁଲିସ
ତାଲା ଠୁଙ୍କି ଘରଛାଡ଼ି ପଳାଇଛନ୍ତି ୨ଶହ ପରିବାର
୫ ମାମଲାରେ ୩୩ କୋର୍ଟ ଚାଲାଣ
ଏହା ପରେ ପୁଲିସ ଗିରଫଦାରି ଭୟରେ ଗ୍ରାମ ଏବେ ଜନଶୂନ୍ୟ ହୋଇପଡ଼ିଛି। କିଛି ବୃଦ୍ଧବୃଦ୍ଧା କୁଆଡ଼େ ଯାଇ ନପାରି ଗାଁ’ରେ ପଡ଼ି ରହିଛନ୍ତି। ଗାଁରେ ରହୁଥିବା ପ୍ରାୟ ୨ଶହ ପରିବାର ଗାଁ ଛାଡ଼ି ପଳାଇଥିବା ବେଳେ ପ୍ରାୟ ସମସ୍ତଙ୍କ ଘରେ ତାଲା ଝୁଲୁଛି। ଗାଁରେ ଥିବା କିଛି ହାତଗଣତି ବୟସ୍କ ବ୍ୟକ୍ତି କହିଛନ୍ତି, ଏଭଳି ଅଭାବନୀୟ ଘଟଣା କେବେ ଘଟିନଥିଲା। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପୁଲିସ ମୋଟ ୫ଟି ମାମଲା ରୁଜୁ କରି ୩୩ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନେକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। କିଛି ଅଭିଯୁକ୍ତ ଫେରାର ରହିଥିବା ବେଳେ ଘଟଣା ପଛର ମାଷ୍ଟର୍ମାଇଣ୍ଡ୍ ତାନ୍ତ୍ରିକକୁ ମଧ୍ୟ ପୁଲିସ ଖୋଜୁଥିବା କହିଛି। ଆଗକୁ ଗିରଫଙ୍କ ସଂଖ୍ୟା ବଢ଼ିପାରେ ବୋଲି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ସୂଚନା ଦେଇଛନ୍ତି। ଗ୍ରାମରେ ଶାନ୍ତି ପ୍ରତିଷ୍ଠା ଲାଗି ଶାନ୍ତି କମିଟି ଗଠନ କରା ଯାଇଥିଲେ ବି ଏଭଳି ଘଟଣା ଘଟିଥିବା ସେ କହିଛନ୍ତି।
ଗ୍ରାମରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ପଛର ସତ ବଖାଣିଛନ୍ତି ଗ୍ରାମରେ ରହିଯାଇଥିବା କିଛି ବୃଦ୍ଧ। କିଛିଦିନ ପୂର୍ବରୁ ଗ୍ରାମରେ ଅନେକ ଶିଶୁ ଅସୁସ୍ଥ ହୋଇଥିଲେ ଏବଂ ଅନେକଙ୍କ ଜୀବନ ଅକାଳରେ ଚାଲି ଯାଇଥିଲା। ହେଲେ ଏହାର ପ୍ରତିକାର ନିମନ୍ତେ ଗ୍ରାମବାସୀ ବୈଠକ କରିଥିଲେ। ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଗୁଣିଗାରେଡ଼ି ସନ୍ଦେହରେ ତାନ୍ତ୍ରିକ ମଧ୍ୟ ଡକାଇଥିଲେ। ତାନ୍ତ୍ରିକ ଆସି ଗ୍ରାମରେ ଗୁଣିଆ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ଓ ଭୂତ ସବାର ହୋଇ କିଛି ବ୍ୟକ୍ତିଙ୍କ ନାମ ପ୍ରଘଟ କରିବା ଯୋଗୁଁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ବୟାନ ଦେଇଛନ୍ତି।
ଅନ୍ୟପଟେ ଗ୍ରାମ ବାହାରେ ଏବେ ପୁଲିସ କଡ଼ାପହରା ଦେଉଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବି ବନ୍ଦ ହୋଇ ଯାଇଥିବା ନେଇ ପ୍ରଧାନଶିକ୍ଷକ ସୁବ୍ରତ ରାଓ ଦୋରା କହିଛନ୍ତି। ଗ୍ରାମବାସୀ ଗିରଫ ଭୟରେ ଅନ୍ୟ ଗ୍ରାମରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ପଳାଇଯାଇଥିବା ବେଳେ ଅନେକଙ୍କ ଗୃହପାଳିତ ପଶୁ ଓ ଯାନବାହନ ପାଖ ଗାଁ ଓ ସମ୍ପର୍କୀୟଙ୍କ ନିକଟରେ ଛାଡ଼ି ପଳାଇଥିବା କୁହାଯାଇଛି। ତେବେ ଗ୍ରାମର ଅଧିକାଂଶ ପରିବାର ଖଟିଖିଆ ଓ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ଜୀବନଜୀବିକା ଉପରେ ମଧ୍ୟ ବହୁ ପ୍ରଭାବ ପଡ଼ିବ ବୋଲି କୁହାଯାଇଛି।