ଭଞ୍ଜନଗର: ବିଦ୍ୟୁତ୍ ବିଲ୍ ଅଧିକ ହେଲା ବୋଲି ମିଟର୍ ରିଡର୍‌ଙ୍କୁ ଭୁଜାଲିରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କଲେ ଗ୍ରାହକ। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ତଥା ଗାଲେରୀ ଫାଣ୍ଡି ଅଧୀନ କୁପାଟି ଗ୍ରାମ‌ରେ ଆଜି ସକାଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଗ୍ରାହକ ଗୋବିନ୍ଦ ସେଠୀର ପ୍ରାଣାନ୍ତକ ଆକ୍ରମଣରେ ଘଟଣାସ୍ଥଳରେ ହିଁ ମିଟର୍ ରିଡର୍ ତଥା ଗ‌ାଲେରୀ ଗ୍ରାମର ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୦)ଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ହତ୍ୟାକାରୀକୁ ଧରିବାକୁ ଯାଇ ଗାଲେରୀ ଗ୍ରାମର ରିଙ୍କୁ ନାୟକ ନାମକ ‌ଜଣେ ଯୁବକ ଆହତ ହୋଇଛନ୍ତି। ଗୋବିନ୍ଦଙ୍କ ଆକ୍ରମଣରେ ରିଙ୍କୁଙ୍କ ବାମହାତ ଅଙ୍ଗୁଳି ଛିଣ୍ଡିଯାଇଥିବା ବେଳେ ଧସ୍ତାଧସ୍ତିରେ ଗୋବିନ୍ଦ ମଧ୍ୟ ଆହତ ହୋଇଛି। ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ଅନୁସାରେ ଭଞ୍ଜନଗର ଡିଭିଜନ ତିଳିସିଂ ସେକ୍ସନ୍‌ରେ ଟିପିଏସ୍‌ଓଡ଼ିଏଲ୍‌ ମିଟର୍ ରିଡର୍ ଭାବେ କାର୍ଯ୍ୟକରୁଥିବା ଲକ୍ଷ୍ମୀନାରାୟଣ ଓରଫ୍‌ ବାବି ଆଜି ସକାଳ ପ୍ରାୟ ୯ଟାରେ ଗୋବିନ୍ଦର ଘରେ ପହଞ୍ଚି ରିଡିଂ ନେବା ପରେ ବିଲ୍ ହସ୍ତାନ୍ତର କରିଥିଲେ। କିନ୍ତୁ ବିଲ୍‌ରେ ଅଧିକ ଟଙ୍କା ଦେଖି ଗୋବିନ୍ଦ ଉତ୍‌କ୍ଷିପ୍ତ ହୋଇଉଠିଥିଲା। ଯାହାକୁ ନେଇ ଲକ୍ଷ୍ମୀନାରାୟଣଙ୍କ ସହ ତାର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏନେଇ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ସେ ଗୋବିନ୍ଦକୁ କହିଥିଲେ ବି ସେ କିଛି ଶୁଣି ନଥିଲା।

ଶେଷରେ ରକ୍ତମୁଖା ଗୋବିନ୍ଦ ଘରୁ ଏକ ଧାରୁଆ ଭୁଜାଲି ଆଣି ଲକ୍ଷ୍ମୀନାରାୟଣଙ୍କ ବେକ ଏବଂ ମୁଣ୍ଡକୁ ଏକାଧିକଥର ଆକ୍ରମଣ କରିଥିଲା। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଲକ୍ଷ୍ମୀନାରାୟଣ ସେଠାରେ ହିଁ ଟଳି ପଡ଼ିଥିଲେ। ଖବର ପାଇ ମୃତକଙ୍କ ସଂପର୍କୀୟମାନେ ପହଞ୍ଚି ଗୋବିନ୍ଦକୁ କାବୁ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଘରର କବାଟ କୋଣରେ ଲୁଚି ସମସ୍ତଙ୍କୁ ଆକ୍ରମଣ ଧମକ ଦେଇଥିଲା। କିନ୍ତୁ ଗାଲେରୀ ଗ୍ରାମର ରିଙ୍କୁ ସାହସ ଜୁଟାଇ ତାକୁ କାବୁ କରିବାକୁ ବାହାରିଥିଲେ। ଗୋବିନ୍ଦର ପାଲଟା ଆକ୍ରମଣରେ ରିଙ୍କୁଙ୍କ ବାମହାତର ଅଙ୍ଗୁଳି ଛିଣ୍ଡିଯାଇଥିଲା। ଧସ୍ତାଧସ୍ତିରେ ଗୋବିନ୍ଦର ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା।
ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ମିଟର ରିଡର୍‌ ଓ ଗାଲେରୀ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବି କରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଟିପିଏସ୍‌ଓଡ଼ିଏଲ୍‌ର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ମିଟର ରିଡର୍ ସଂଘର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଆହୁରି ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଭଞ୍ଜନଗର ଏସ୍‌ଡିପିଓ ବିଶ୍ବାମିତ୍ର ହରପାଲ୍‌ ଓ ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ୬ ଘଣ୍ଟା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଯାଇଥିଲା। ଆକ୍ରମଣକାରୀ ଗୋବିନ୍ଦକୁ ଭଞ୍ଜନଗର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ତାରସିଂ ଥାନାରେ କେସ୍ ନମ୍ବର ୨୬୭ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଭାଗୀରଥି ନାୟକ ସୂଚନା ଦେଇଛନ୍ତି।