ଚିଲିଗୁଡ଼ା/ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବୁଢ଼ୀଦର ପଞ୍ଚାୟତ ଶଙ୍କରପଲା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ବୃଦ୍ଧଙ୍କ ସହ ମହିଳା ଓ ତାଙ୍କ ଶିଶୁ ପୁତ୍ରକୁ ହତ୍ୟା କରାଯାଇଛି। କିଏ ଓ କାହିଁକି ଏମାନଙ୍କୁ ହତ୍ୟା କଲା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ମୃତକମାନେ ହେଲେ ଗାଁର ରାଇମତୀ ମାଝୀ (୩୫), ତାଙ୍କ ଶିଶୁପୁତ୍ର ଶିବଶକ୍ତି ମାଝୀ (୩) ଏବଂ ଗାଁର ମହେନ୍ଦ୍ର କୁମାର (୬୦)। ମା ଓ ପୁଅଙ୍କ ହତ୍ୟାକାଣ୍ଡ ସ୍ଥଳ ଠାରୁ ପ୍ରାୟ ୧୫୦ ମିଟର ଦୂରରେ ମହେନ୍ଦ୍ରଙ୍କ ମୃତ ଦେହ ମିଳିଛି।
ଶଙ୍କରପଲା ଗାଁ ମାଲପଡ଼ା ରାସ୍ତାକଡ଼ରେ ରବିବାର ଅପରାହ୍ଣରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉକ୍ତ ତିନିଜଣଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ରାଇମତୀ ଗାଁର ସ୍କୁଲପଡ଼ାସ୍ଥିତ ଭାଇ ଘରକୁ ଯାଇ ଘରକୁ ଫେରୁଥିବା ବେଳେ ହତ୍ୟାକାଣ୍ଡର ଶିକାର ହୋଇଥିବା ସୂଚନା ମିଳିଛି। ମୃତ ମହେନ୍ଦ୍ର ଓ ରାଇମତିଙ୍କ ମଧ୍ୟରେ କୌଣସି ରକ୍ତ ବା ପାରିବାରିକ ସମ୍ପର୍କ ନାହିଁ। ଏହି ସିରିଜ୍ ହତ୍ୟାକାଣ୍ଡ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ଜୁନାଗଡ଼ ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ପୁଲିସ୍ ଅଧିକାରୀ ଧୀରଜ ଚୋପଦାର, ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ପ୍ରମୁଖ ପହଞ୍ଚି ତଦନ୍ତ ଜାରିରଖିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ହତ୍ୟାକାରୀର କୌଣସି ସୁରାକ୍ ମିଳିନଥିବା ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ହତ୍ୟାର ଶିକାର ହୋଇଥିବା ରାଇମତୀଙ୍କ ସ୍ୱାମୀ ବ୍ରଜ ମାଝୀ ଏକ ହତ୍ୟାକାଣ୍ଡ ମାମଲାରେ ଏବେ ଜେଲ୍ରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/murder-1.jpg)