ସୁନ୍ଦରଗଡ଼/ଲେଫ୍ରିପଡ଼ା: ମଙ୍ଗଳବାର ସକାଳେ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ କୁରୁମକେଲ ବେଲସରିଆପଡ଼ା ଗାଁ ନିକଟ ବୁଦୁବୁଦୁକିଆ ଜଙ୍ଗଲରୁ ଜଣେ ମହିଳା ‌ପୋଷ୍ଟମାଷ୍ଟର ସ୍ନିଗ୍ଧା ପଧାନଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ ଛୁରୀରେ ଭୁସି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସ୍ନିଗ୍ଧା ତେଲେନଡ଼ିହିରେ ପୋଷ୍ଟମାଷ୍ଟର ଥିଲେ।

Advertisment

ପରିବାର ଲୋକଙ୍କ କହିବା ଅନୁସାରେ, ସୋମବାର ହେମଗିର ଟିକିଲିପଡ଼ାସ୍ଥ ଘରୁ ସ୍ନିଗ୍ଧା କାର୍ଯ୍ୟକ୍ଷେତ୍ର ତେଲେନଡ଼ିହିକୁ ଆସିବା ପରଠାରୁ ସେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଥାନାରେ ନିଖୋଜ ଏତଲା ଦେଇଥିଲେ। ମଙ୍ଗଳବାର ସକାଳେ ତାଙ୍କ କ୍ଷତାକ୍ତ ମୃତଦେହ ପୁଲିସ ଉଦ୍ଧାରକରି ବ୍ୟବ‌‌ଚ୍ଛେଦ ପାଇଁ ପଠାଇଥିବାବେଳେ ସ୍ନିଗ୍ଧାଙ୍କୁ କିଏ, କାହିଁକି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁ। ତେବେ ସୋମବାର ସନ୍ଧ୍ୟାରେ ମୃତାଙ୍କ ମୋବାଇଲ୍‌ରୁ ତାଙ୍କ ମା’ ଶାନ୍ତି କାଲୋଙ୍କ ହ୍ବାଟସ୍‌ଆପ୍‌କୁ ଆସିଥିବା ହତ୍ୟା ସମ୍ପର୍କିତ ବାର୍ତ୍ତା (ମେସେଜ୍‌) ହତ୍ୟାକାରୀଙ୍କ ସମ୍ପର୍କରେ ଏକପ୍ରକାର ସୂଚନା ଦେଇଥିବା କୁହାଯାଇଛି।

ହ୍ବାଟସ୍‌ଆପ୍‌ରେ ବାର୍ତ୍ତା ଆସିଥିଲା, ‘ସ୍ନିଗ୍ଧାକୁ ମାରି ବେଲସରିଆପଡ଼ା କୁଲାବିରା ଜଙ୍ଗଲରେ ଫିଙ୍ଗିଦେଇଛୁ ଓ ତାର ପ୍ରେମିକ ନୟନକୁ ହତ୍ୟାକରି ସରଫଗଡ଼ ଡ୍ୟାମ୍‌ରେ ପକାଇ ଦେଇଛୁ, ଖୋଜ। ଏହି ବାର୍ତ୍ତା ସହ ହତ୍ୟାସ୍ଥଳର ଚିତ୍ର ମଧ୍ୟ ସେୟାର କରିଥିଲା ହତ୍ୟାକାରୀ। ମା’ ଶାନ୍ତି କିଏ ମଜା କରୁଛି ଭାବି ଏହାକୁ ଗୁରୁତ୍ବ ଦେଇ ନଥିଲେ। ମଙ୍ଗଳବାର ସକାଳେ ସ୍ନିଗ୍ଧାଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ଏହାପରେ ସ୍ନିଗ୍ଧା ସହ ନୟନଙ୍କୁ ମଧ୍ୟ କିଏ ହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ସକାଳେ ନୟନ ଲେଫ୍ରିପଡ଼ାରେ ବୁଲୁଥିବା ଦେଖାଯାଇଥିଲା। ‌ଯାହାକୁ ସ୍ନିଗ୍ଧା ସହ ହତ୍ୟା କରାଯାଇଥିବା ସୂଚନା ଦିଆଯାଇଥିଲା, ସେ ଜୀବିତ ଥିବା ସନ୍ଦେହଘେରକୁ ଆସିଥିଲା। ନୟନ ହିଁ ତାର ଅନ୍ୟ ସହଯୋଗୀଙ୍କ ସହ ହତ୍ୟାକରି ଭୁଆଁ ବୁଲାଇବାକୁ ସମିତର ନାଁ ନେଇ ସ୍ନିଗ୍ଧାଙ୍କ ମୋବାଇଲ୍‌ରୁ ବାର୍ତ୍ତା ପଠାଇ ଥାଇପାରେ ବୋଲି ପରିବାରଲୋକେ ସନ୍ଦେହ କରିଥିଲେ। ଏ ସମ୍ପର୍କରେ ସୂଚନା ପାଇଁ ପୁଲିସ ସ୍ନିଗ୍ଧାଙ୍କ ପୁରୁଷ ବନ୍ଧୁ ନୟନ ସେଠ୍‌ଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖବର ଅନୁସାରେ, ରବିବାର ଛୁଟିଥିବାରୁ ସ୍ନିଗ୍ଧା ନିଜଘର ଟିକିଲିପଡ଼ାକୁ ଯାଇଥିଲେ। ସୋମବାର ସକାଳେ ନିଜ ସମ୍ପର୍କୀୟ ଭାଇ ସହ ତେଲେନଡିହିକୁ ବାହାରିଥିଲେ। ତେବେ ଲେଫ୍ରିପଡ଼ାରେ କିଛି କାମ ଅଛି କହି ସମ୍ପର୍କୀୟ ଭାଇକୁ ଫେରିଯିବାକୁ କହିଥିଲେ ସ୍ନିଗ୍ଧା। କିନ୍ତୁ ପରବର୍ତ୍ତୀ ସମୟରେ ତେଲେନଡ଼ିହିର ଭଡ଼ାଘରକୁ କି ଅଫିସକୁ ସେ ଯାଇ ନଥିବା ଜଣାପଡ଼ିଥିଲା। ଘରମାଲିକ ତାଙ୍କ ମା’ଙ୍କୁ ଫୋନ୍‌ କରି ସ୍ନିଗ୍ଧା ଆସି ନଥିବା ଜଣାଇବା ପରେ ପରିବାରଲୋକେ ଲେଫ୍ରିପଡ଼ା, ତେଲେନଡ଼ିହି ଆସି ଖୋଜାଖୋଜି କରିଥିଲେ। ହେଲେ କୌଣସି ସନ୍ଧାନ ନ ମିଳିବାରୁ ସନ୍ଧ୍ୟାରେ ଲେଫ୍ରିପଡ଼ା ଥାନାରେ ନିଖୋଜ ଏତଲା ଦେଇଥିଲେ। ସ୍ନିଗ୍ଧା ଲେଫ୍ରିପଡ଼ାରୁ ସମ୍ପର୍କୀୟ ଭାଇଙ୍କୁ ଫେରିଯିବାକୁ କହି କାହା ସହ କୁଆଡ଼େ ଯାଇଥିଲେ, ତାହା ଜଣାପଡ଼ିନାହିଁ। କେଉଁସ୍ଥିତିରେ ତାଙ୍କୁ ଜଙ୍ଗଲକୁ ନେଇ ଛୁରୀ ଭୁସି ହତ୍ୟା କରାଗଲା ପୂରା ଘଟଣା ଅସ୍ପଷ୍ଟ ରହିଛି। ଅନ୍ୟପକ୍ଷରେ ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁଲିସ ଆଗରେ ଅଟକ ନୟନ ସ୍ନିଗ୍ଧାଙ୍କୁ ମାରି ନଥିବା ଓ ତାଙ୍କର ଅନେକ ଯୁବକଙ୍କ ସହ ପରିଚୟ ଥିବାରୁ ସେମାନଙ୍କ ମଧ୍ୟରୁ କିଏ ହତ୍ୟା କରିଥା‌ଇପାରନ୍ତି ବୋଲି ପ୍ରକାଶ କରିଥିବା ଚର୍ଚ୍ଚା ‌ହେଉଛି। ପୁଲିସ ତଦନ୍ତ ଜାରିରଖିଛି।