ରାଇରଙ୍ଗପୁର : ଜଣେ ଗୋରୁ ବ୍ୟବସାୟୀଙ୍କୁ ଦୁବୃର୍ତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ହତ୍ୟା ପରେ ଗୋରୁ ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ଭୋର୍ ସମୟରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡ଼ା ଗୋରୁ ହାଟରେ ଘଟିଛି ଏହି ହତ୍ୟାକାଣ୍ଡ।
ରାଇରଙ୍ଗପୁର ଉପଖଣ୍ଡ ହାଟବାଦଡ଼ାଠାରେ ଆଜି ସାପ୍ତାହିକ ଗୋରୁହାଟ ଥିଲା। ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜିଲ୍ଲା ଜାମବଣି ଥାନା ଚିଚଳା ଗ୍ରାମର ଜାମ୍ସୁ ଅଲ୍ଲୀ (୪୫)ଙ୍କ ସହ କଲିକତାର ୭ ଜଣ ବ୍ୟକ୍ତି ଏକ ସ୍କୋର୍ପିଓରେ ଗୋରୁ କିଣିବା ପାଇଁ ହାଟକୁ ଆସିଥିଲେ। ସକାଳ ପ୍ରାୟ ୫ଟା ୩୦ ମିନିଟ୍। ସେମାନେ ହାଟରେ ବୁଲାବୁଲି କରୁଥିବା ବେଳେ ହଠାତ୍ ୪ ଜଣ ଯୁବକ ଆସି ଜାମ୍ସୁଙ୍କୁ ବନ୍ଧୁକ ଦେଖାଇବା ସହ ଟଙ୍କା ମାଗିଥିଲେ। ଜାମ୍ସୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଜୀବନବିକଳରେ ଜାମ୍ସୁ ଗୋରୁ କିଣିବା ପାଇଁ ନିଜ ପାଖରେ ରଖିଥିବା ୨୦ ଲକ୍ଷ ଟଙ୍କା ଦେବା ସହ ତାଙ୍କୁ ଛାଡ଼ିଦେବାକୁ ନେହୁରା ହୋଇଥିଲେ। ହେଲେ ଟଙ୍କା ପାଇବା ପରେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କ ଛାତିକୁ ଆଉ ଦୁଇ ରାଉଣ୍ଡ ଗୁଳି ଚଳାଇ ୨ଟି ବାଇକ୍ ଯୋଗେ ସେଠାରୁ ଫେରାର୍ ହୋଇଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜାମ୍ସୁଙ୍କୁ ଆମ୍ବୁଲାନ୍ସରେ ରାଇରଙ୍ଗପୁର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/sambad/media/post_attachments/wp-content/uploads/2022/05/rairangapur-300x173.jpg)
ଖବର ପାଇବା ପରେ ରାଇରଙ୍ଗପୁର ପୁଲିସ ହାଟବାଦଡ଼ା ହାଟରେ ପହଞ୍ଚି ତଦନ୍ତ କରିବା ସହ ଆଖପାଖ ଅଞ୍ଚଳରେ ଛାନଭିନ୍ କରିଥିଲା। ଘଟଣାସ୍ଥଳରୁ କିଛି ଅଫୁଟା ଗୁଳି ଜବତ ହୋଇଥିବାବେଳେ ପୂର୍ବାଞ୍ଚଳ ପୁଲିସ ଆଇଜି ଦାୟିତ୍ବରେ ଥିବା ନରସିଂହ ଭୋଳ, ମୟୂରଭଞ୍ଜ ଏସ୍ପି ଋଷିକେଶ ଦ୍ୟାନଦେଓ ଖିଲାରୀ, ଏଏସ୍ପି ମନୋରଞ୍ଜନ ବିଶ୍ବାଳ, ଏସ୍ଡିପିଓ ରତିକାନ୍ତ ଗିରି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ହାଟବାଦଡ଼ା ରାସ୍ତା ସମେତ ସୀମାନ୍ତ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ସିଲ୍ କରାଯାଇ ଧରପଗଡ଼ ଜାରି ରହିଛି। ହେଲେ ଏଯାଏ ଦୁର୍ବୃତ୍ତଙ୍କର କୌଣସି ପତ୍ତା ମିଳିନାହିଁ। ତେବେ ଯଶିପୁର ଅଞ୍ଚଳରୁ ସଂଦିଗ୍ଧ ଅବସ୍ଥାରେ ଥିବା ଏକ ବାଇକ୍ (ଓଡି୧୧ଜେ-୪୫୦୨)କୁ ଜବତ କରିଛି ପୁଲିସ। ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ୯୨/୨୨ରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/firing.jpg)