କଟକ: ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନର କର୍ମଚାରୀଙ୍କ ହତ୍ୟା ଘଟଣାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ବିଚିତ୍ରାନନ୍ଦ ନାଥଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଭୁବନେଶ୍ବର ଆଡ୍ ହକ୍ ଅତିରିକ୍ତ ଦୌରା ଜଜ୍ (ଏଫଟିସି) ଅଦାଲତଙ୍କ ୨୦୧୦, ନଭେମ୍ବର ୩୦ର ଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ବିଚିତ୍ରାନନ୍ଦଙ୍କୁ ମାମଲାରେ ଦୋଷମୁକ୍ତ କରାଯାଇଛି ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ଦେବବ୍ରତ ଦାଶ ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଚିତ୍ରାନନ୍ଦଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୬ ନଭେମ୍ବର ୬ରେ କୈବଲ୍ୟ ଦାସ ନାମକ କଂଗ୍ରେସ ଭବନର ଜଣେ କର୍ମଚାରୀଙ୍କୁ ୟୁନିଟ୍-୨ର ଏକ କ୍ବାର୍ଟର୍ରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ମୃତକଙ୍କ ଭାଇ ଦୋଳଗୋବିନ୍ଦ କଂଗ୍ରେସ ଭବନରୁ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କୈବଲ୍ୟଙ୍କ ମୃତଦେହ ପଡ଼ିଥିବା ଦୋଳଗୋବିନ୍ଦ ଦେଖିବାକୁ ପାଇଥିଲେ। ଏ ସଂପର୍କରେ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି କଂଗ୍ରେସ ଭବନର ଅାଉ ଜଣେ କର୍ମଚାରୀ ବିଚିତ୍ରାନନ୍ଦ ନାଥଙ୍କୁ ଗିରଫ କରିଥିଲା। ତଦନ୍ତ ପରେ ବିଚିତ୍ରାନନ୍ଦଙ୍କ ବିରୋଧରେ ପୁଲିସ ଚାର୍ଜସିଟ ଦାଖଲ କରିଥିଲା। ନିମ୍ନ ଅଦାଲତ ମାମଲାର ଶୁଣାଣି କରି ଆଇପିସିର ଦଫା ୩୦୨ ଓ ୨୦୦୧ରେ ବିଚିତ୍ରାନନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡ ପ୍ରଦାନ କରିଥିଲେ। ୨୦୧୦ ନଭେମ୍ବର ୩୦ର ଦଣ୍ଡାଦେଶକୁ ଚାଲେଞ୍ଜ କରି ୨୦୧୧ରେ ବିଚିତ୍ରାନନ୍ଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବିଚିତ୍ରାନନ୍ଦଙ୍କୁ ଜାମିନ ମିଳିଥିଲା। ଅକ୍ଟୋବର ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସର୍ବେଶ୍ବର ବେହେରା ମାମଲା ପରିଚାଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/high-court-1.jpg)