ବେଙ୍ଗାଲୁରୁରେ ଓଡ଼ିଆ ଇଞ୍ଜିନିୟରଙ୍କୁ ହତ୍ୟା

ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ବେଙ୍ଗାଲୁରୁ ସାଉଥ୍‌ ବ୍ଲକ୍‌ ସାବରକର ମୁଖ୍ୟରାସ୍ତା ଚକୋଲେଟ୍‌ କମ୍ପାନି ନିକଟରେ ଜଣେ ଓଡ଼ିଆ ସଫ୍ଟେଓ୍ଵର ଇଞ୍ଜିନିୟରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ ପ୍ରଣୟ ମିଶ୍ର (୨୮)। ସେ ଆସନଚର ସଫ୍ଟେଓ୍ଵର କମ୍ପାନିରେ ଚାକିରି କରୁଥିଲେ। ତାଙ୍କ ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାରରେ ହୋଇଥିବାବେଳେ ବେଙ୍ଗାଲୁରୁରେ ସେ ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହିତ ରହୁଥିଲେ। ଆଜି ତାଙ୍କ ମୃତଦେହ ଭୁବନେଶ୍ୱର ସ୍ଥିତ ଘରେ ପହଞ୍ଚିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଯାହା ସୂଚନା ମିଳିଛି ପ୍ରଣୟ ୨୦୧୪ ମସିହାରୁ ବେଙ୍ଗାଲୁରୁରେ ରହି ଆସୁଥିଲେ। ରବିବାର ରାତିରେ ପ୍ରଣୟ ତାଙ୍କର ଜଣେ ସାଙ୍ଗଙ୍କ ଜନ୍ମଦିନ ଉତ୍ସବକୁ ଯାଇ ଭଉଣୀଙ୍କ ଘରକୁ ଫେରି ଆସିଥିଲେ। ତେବେ ହଠାତ ରାତି ପ୍ରାୟ ୨ଟାବେଳେ ସେ ତାଙ୍କର ଜଣେ ବାନ୍ଧବୀଙ୍କୁ ଭେଟିବାକୁ ଯାଉଛନ୍ତି, କହି ଘରୁ ବାଇକ୍‌ ଧରି ବାହାରି ଯାଇଥିଲେ। ସୋମବାର ସକାଳୁ ତାଙ୍କ ମୃତଦେହ ସାବରକର ମୁଖ୍ୟ ରାସ୍ତାରେ ଥିବା ଏକ ଚକୋଲେଟ ଫ୍ୟାକ୍ଟି୍ର ନିକଟରେ ପଡ଼ିଥିଲା। କେହି ଦୁର୍ବୃତ୍ତ ତାଙ୍କୁ ପିଠି ପଟୁ ୪ ଥର ଛୁରି ଭୁସିିଥିବାବେଳେ ତାଙ୍କ ତଣ୍ଟି ମଧ୍ୟ କଟାଯାଇଥିଲା। ସ୍ଥାନୀୟ ପୁଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରାଇବା ପରେ ଭୁବନେଶ୍ୱର ପଠାଇଥିଲା। ବେଙ୍ଗାଲୁରୁ ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହିତ ନେଇଥିବାବେଳେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଖୋଳତାଡ଼ କରୁଛି।
ବେଙ୍ଗାଲୁରୁ ସାଉଥ ବ୍ଲକ୍‌ ସାବରକର ଅଞ୍ଚଳ ଏକ ଭିଆଇପି ଅଞ୍ଚଳ। ସେଠାରେ ହଜାର ହଜାର ସଂଖ୍ୟାରେ ସଫ୍ଟେଓ୍ଵର ଇଂଜିନିୟର ରହୁଛନ୍ତି। ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ପ୍ରଣୟ ଯେଉଁ ବାନ୍ଧବୀଙ୍କୁ ଫୋନ୍‌ କରି ଘରୁ ବାହାରି ଯାଇଥିଲେ ତାଙ୍କର ଏବେ ପତ୍ତା ମିଳୁନି। ସେହି ଯୁବତୀଙ୍କ ସହିତ ପ୍ରଣୟଙ୍କର କିଛି ଦିନ ତଳୁ ସମ୍ପର୍କ ତୁଟି ଯାଇଥିଲା। ତେଣୁ ସେହି ଯୁବତୀ ଜଣକ କିଏ ଏବଂ ପ୍ରଣୟଙ୍କ ହତ୍ୟା ପଛରେ ସେ ସଂପୃକ୍ତ ଅଛନ୍ତି କି ନାହିଁ ତାହା ଜାଣିବା ଲାଗି ପୁଲିସ ଖୋଳତାଡ଼ ଚଳାଇଛି। ଏହା ଛଡ଼ା ପୁଲିସ ମୁଖ୍ୟ ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର