ଜଗତସିଂହପୁର : ପାରାଦୀପ ଲକ୍ ଥାନା ଅଧୀନ ଗଡ଼ ଗାଁରେ ଥିବା ରତ୍ନମାଳି ଜେନା ଜରାଶ୍ରମରେ ଶନିବାର ଦିନ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ ନେଇ ଜରାଶ୍ରମର ମ୍ୟାନେଜର ସନ୍ତୋଷ ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ସେଠାରେ କାର୍ଯ୍ୟରତ ଜଣେ କର୍ମଚାରୀ କୀର୍ତ୍ତନ ପରିଡ଼ା। ଏହାପରେ ଘଟଣାସ୍ଥଳରେ ଲୋକମାନେ ଜମା ହୋଇଯିବାରୁ ସେମାନଙ୍କୁ ଭୟଭୀତ କରିବାକୁ ଯାଇ ସେ ସାର ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଫଳରେ, ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଅଠରବାଙ୍କୀ ସ୍ଥିତ ବିଜୁ ମେମୋରିଆଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ‘ ଛୁଟି ନେଇ ଘରକୁ ଯିବାପାଇଁ ବାରମ୍ବାର କହୁଥିଲେ ମଧ୍ୟ ସନ୍ତୋଷ ସେଥିରେ ବାଧା ଦେବାରୁ ତାଙ୍କୁ ହାଣି ଦେଲି,’ ବୋଲି ଅଭିଯୁକ୍ତ କୀର୍ତ୍ତନ ମେଡିକାଲ ଯିବା ସମୟରେ ଲୋକମାନଙ୍କୁ କହିଛି।
ସୂଚନା ମୁତାବକ, ବାଲିଝରିରେ ଥିବା ମୁଖ୍ୟ ଜରାଶ୍ରମର ଏକ ଶାଖା ପାରାଦୀପଗଡ଼ରେ ଖୋଲିଥିଲା। ଏହି ଦୁଇଟି ଆଶ୍ରମରେ ସନ୍ତୋଷ ମ୍ୟାନେଜର ଭାବେ ରହି ବୁଝାଶୁଝା କରୁଥିଲେ। ମାତ୍ର, ଅଧିକାଂଶ ସମୟ ସେ ନୂଆକରି ପାରାଦୀପଗଡ଼ରେ ଖୋଲିଥିବା ଏହି ଜରାଶ୍ରମରେ ରହୁଥିଲେ। ଏହି ଆଶ୍ରମରେ ପ୍ରାୟ ୨୦ ଜଣ ବୃଦ୍ଧ/ବୃଦ୍ଧା ରହୁଛନ୍ତି। ସେମାନଙ୍କ ସମସ୍ତ ଭଲମନ୍ଦ ବୁଝିବା ସହ କେଉଁଠୁ ସେମାନଙ୍କ ଚଳିବା ପାଇଁ ଜିନିଷ ଆସିବ, ସବୁ କିଛି ବ୍ୟବସ୍ଥା କରୁଥିଲେ ସନ୍ତୋଷ। ଭୁବନେଶ୍ବର ବରମୁଣ୍ଡା ଅଞ୍ଚଳର ଯୁବକ କୀର୍ତ୍ତନ ଉକ୍ତ ଜରାଶ୍ରମରେ କାର୍ଯ୍ୟ କରୁଥିଲେ । ସେ କିଛିଦିନ ହେଲା ଘରକୁ ଯିବାପାଇଁ ଚାହୁଁଥିଲେ। ମାତ୍ର, ଆଶ୍ରମରେ କାର୍ଯ୍ୟରତ ଆଉ ଜଣେ କର୍ମଚାରୀ ଛୁଟିରେ ଥିଲେ। ଉକ୍ତ କର୍ମଚାରୀ ଆସିଲେ ଛୁଟିରେ ଯିବ ବୋଲି କୀର୍ତ୍ତନଙ୍କୁ ସନ୍ତୋଷ ତାଗିଦ୍ କରିବା ସହ ଠିକ୍ ଭାବେ କାମ କରିବା ପାଇଁ କହିଥିଲେ। କିନ୍ତୁ କୀର୍ତ୍ତନ ଛୁଟିରେ ଯିବା ପାଇଁ ଜିଦ୍ ଧରି ରହିଥିଲେ।
ଶନିବାର ମଧ୍ୟାହ୍ନରେ ସନ୍ତୋଷ ଆଶ୍ରମକୁ ଫେରି ବିଶ୍ରାମ ନେବାପାଇଁ ଚଟାଣରେ ଶୋଇ ପଡ଼ିବା ଗାଡ଼ି ଆସିଲେ ସଉଦା ଉଠାଇ ଦେବାପାଇଁ କୀର୍ତ୍ତନଙ୍କୁ କହିଥିଲେ। ଏହି ସମୟରେ କୀର୍ତ୍ତନ ପୁଣିଥରେ ଘରକୁ ଯିବା ପାଇଁ କହିବା ସହ କିଛି ଟଙ୍କା ମାଗିଥିଲେ। ଫଳରେ, ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କୀର୍ତ୍ତନ ଏକ କଟୁରୀ ଆଣି ସନ୍ତୋଷଙ୍କ ଛାତି ଉପରେ ବସି ତାଙ୍କ ମୁଣ୍ଡକୁ ବାରମ୍ବାର ହାଣିଥିଲେ। ପରେ ଏକ କୋଦାଳ ଆଣି ସନ୍ତୋଷଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଏମିତି ଭୟାନକ ଘଟଣା ଘଟିଚାଲିଥିବା ବେଳେ ଆଶ୍ରମରେ ଥିବା କିଛି ବୃଦ୍ଧବୃଦ୍ଧା ଏହା ଦେଖିଥିଲେ। ମାତ୍ର ସେମାନେ ଭୟରେ ସ୍ତବ୍ଧ ହୋଇଯାଇଥିଲେ।
ପରେ ପରେ ସେମାନେ ପ୍ରକୃତିସ୍ଥ ହୋଇ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ। ଗାଁ ଲୋକଙ୍କୁ ଦେଖି କୀର୍ତ୍ତନ ନିକଟରେ ଥିବା ଏକ ପୋଖରୀକୁ ପଶି ଯାଇଥିଲେ। ପରେ ସେଠାରୁ ବାହାରି ଲୋକମାନଙ୍କୁ ଭୟଭୀତ କରିବାକୁ ଯାଇ ପରିବା ଚାଷ ପାଇଁ ଆଶ୍ରମରେ ରହୁଥିବା ସାରକୁ ଖାଇ ଦେଇଥିଲେ । ଏପଟେ ଖବର ପାଇ ଘଟଣାସ୍ଥଳରେ ପାରାଦୀପ ଲକ୍ ଥାନା ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ବିଜୁ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଛି।
ହତ୍ୟାକାଣ୍ଡର କାରଣ ଓ ଅଭିଯୁକ୍ତର ସ୍ବୀକାରୋକ୍ତି ପରେ ଏହି ମାମଲା ଉପରୁ ଏକପ୍ରକାର ରହସ୍ୟ ହଟି ଯାଇଥିବା ଅନୁମାନ କରାଯାଉଛି। କିନ୍ତୁ, ଏତେ ଛୋଟ କାରଣ ପାଇଁ କୀର୍ତ୍ତନ ଏଭଳି ବର୍ବର କାଣ୍ଡ ଘଟାଇବାକୁ ଅନେକ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସନ୍ତୋଷଙ୍କୁ ସେ ଯେଭଳି ନିର୍ମମ ଭାବେ ହତ୍ୟା କରିଛି, ସେଥିରେ ତା’ର ପ୍ରବଳ ଘୃଣା ଭାବ ବାରି ହୋଇ ପଡୁଛି। ଏହାପଛରେ ଥିବା ପ୍ରକୃତ ରହସ୍ୟ ଉନ୍ମୋଚନ ପାଇଁ ପୁଲିସ ତଦନ୍ତ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/old-age-muder-case-paradeep.jpg)