ପାଇକସାହି: ବାର୍‌ହା ଶିକାର ପାଇଁ ବସାଯାଇଥିଲା ବିଦ୍ୟୁତ୍‌ ଫାଶ। ‌ହେଲେ ଏହି ବିଦ୍ୟୁତ୍‌ ଫାଶରେ ଲାଗିଗଲା ଦନ୍ତାହାତୀ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡର ଧଣ୍ଡାତୋପା ରେଞ୍ଜ୍‌ ଶିଶୁକଟା ଫରେଷ୍ଟ ବିଟ୍‌ ନିକଟ ଏକ ବିଲରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତାହାତୀର ମୃତ୍ୟୁ ଘଟିଛି।

Advertisment

ସାପଘରା ପଞ୍ଚାୟତ ଅନ୍ତର୍ଗତ ଶିଶୁକଟା ଫରେଷ୍ଟ ବିଟ୍‌ ନିକଟ ଏକ ବିଲରେ ବାର୍‌ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ୍‌ ଲାଇନ୍‌ରେ ହୁକ ପକାଇ ତାର ବିଛାଯାଇଥିଲା। ଏହି ତାର ସଂସ୍ପର୍ଶରେ ଆସି ଦନ୍ତାହାତୀଟି ମରି ପଡ଼ିଥିବା ଆଜି ସକାଳେ ଦେଖିବା ପରେ ଶିକାରୀମାନେ ବିଦ୍ୟୁତ୍‌ ତାର ନେଇ ପଳାଇଥିଲେ। ସ୍ଥାନୀୟ ଅଞ୍ଚଳବାସୀ ଏ ସଂପର୍କ‌ରେ ଆଠମଲ୍ଲିକ ବନଖଣ୍ଡ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ଅନୁଗୁଳ ଆର୍‌ସିସିଏଫ୍‌ ସୁଧାଂଶୁ ଶେଖର ଖୋରା, ଆଠମଲ୍ଲିକ ଡିଏଫ୍‌ଓ ସନ୍ତୋଷ କୋପୁଲା, ଏସିଏଫ୍‌ ଦିବ୍ୟସିଂହ ମାଝୀ, ରେଞ୍ଜର୍‌ ବବ୍ରୁବାହନ ସାହୁଙ୍କ ସମେତ ବନ ବିଭାଗର ଏକ ଟିମ୍‌ ପହଞ୍ଚି ଘଟଣାସ୍ଥଳରେ ତଦନ୍ତ କରିଥିଲେ। ମୃତ ହାତୀର ବୟସ ପ୍ରାୟ ୨୦ ବର୍ଷ ହେବ। ବିଦ୍ୟୁତ୍‌ ତାର ଲାଗି ହାତୀର ମୃତ୍ୟୁ ଘଟିଥିବାରୁ ଏହାର ଗୋଡ଼ରେ ଏକ ଚିହ୍ନ ଥିବା ଦେଖାଯାଇଥିଲା। ଆଠମଲ୍ଲିକ ପ୍ରାଣୀ ଚିକିତ୍ସକ ହାତୀର ଶବ ବ୍ୟବଚ୍ଛେଦ କରିବା ପରେ ଗାତ ‌ଖୋଳି ସେଠାରେ ପୋତି ଦିଆଯାଇଛି। ଏହି ଘଟଣାରେ ବନ ବିଭାଗ ଶିଶୁକଟା ଗାଁର ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

କୂଅରୁ ଉଦ୍ଧାର ହେଲା ମାଈହାତୀ 
ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌ ପାଟଖଳି ଗ୍ରାମରେ ଏକ ମାଈହାତୀ କୂଅରେ ପଡ଼ିଯାଇଥିଲା। ଦୁଇଘଣ୍ଟାର ପରିଶ୍ରମ ପରେ ବନ ବିଭାଗ କର୍ମଚାରୀ ହାତୀଟିକୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରିଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏବେଳେ ଖାଦ୍ୟ ଅନ୍ୱେଷଣରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗାଁରେ ହାତୀପଲ ପଶିଥିଲେ। ଗ୍ରାମବାସୀ ହୋହଲ୍ଲା କରି ସେମାନଙ୍କୁ ତଡ଼ି ଦେଇଥିଲେ। ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଦଳନାୟକଙ୍କ ବାଡ଼ିରେ ଥିବା ଏକ କୂଅ ଅନାବନା ଗଛଲତାରେ ଢାଙ୍କି ହୋଇ ରହିଥିଲା। ହାତୀପଲ ଉକ୍ତ ରାସ୍ତା ଦେଇ ଯିବାବେଳେ କୂଅରେ ଏକ ୧୭/୧୮ ବର୍ଷର ମାଈହାତୀ‌ ପଡ଼ିଯାଇଥିଲା। ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସମିତିର ସୁପରଭାଇଜର ମନୋରଞ୍ଜନ ମହାନ୍ତ ଘଟଣା ସମ୍ପର୍କରେ ଫରେଷ୍ଟର ଓ ରେଞ୍ଜରଙ୍କୁ ଖବର ଦେଇଥିଲେ। ରାତି ପ୍ରାୟ ସାଢ଼େ ୩ଟାବେଳେ ଜେସିବି ମେସିନ ସାହାଯ୍ୟରେ ବନ ବିଭାଗ କର୍ମଚାରୀମାନେ ହାତୀଟିକୁ ସୁରକ୍ଷିତ ଉଦ୍ଧାର କରିଥିବା ତେଲକୋଇ ରେଞ୍ଜର ଶିବାଜୀ ମୋହନ ରାଓ ପ୍ରକାଶ କରିଛନ୍ତି। ବେଣାମୁଣ୍ଡା ସଂରକ୍ଷିତ ଜଙ୍ଗଲର ମଣିପୁରଠାରେ ମାଈହାତୀଟି ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ଦଳରେ ୧୦ଟି ହାତୀ ଅଛନ୍ତି। ସେହିପରି ତେଲକୋଇ ରେଞ୍ଜରେ ୨୪ଟି ହାତୀ ବୁଲୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।