ନୂଆପଡ଼: ୧୦ମାସ ଧରି ନ‌ିଖୋଜ ହୋଇଯାଇଥିଲେ ନାବାଳିକା। ଆଜି ସଂପୃକ୍ତ ନାବାଳିକାର ମୃତଦେହ ଠାବ କରାଯିବା ପରେ ଘଟଣାଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୩ ମାସର ଗର୍ଭବତୀ ଥିବା ସଂପୃକ୍ତ ନାବାଳିକାଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି। ଏଥିସହ ପ୍ରମାଣ ନଷ୍ଟ କରିବା ପାଇଁ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ମାଟିତଳେ ପୋତି ଦେଇଥିବା ଅଭିଯୋଗ ହୋଇଛି। ନୂଆପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ୍‌ ଏକ ଚାଷ ଜମିରୁ ମାଟି ଖୋଳି ନାବାଳିକାଙ୍କ ଗଳିତ ଶବ ଉଦ୍ଧାର କରିଥିବା ବେଳେ ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ତନାଘନା କରୁଛି।

Advertisment

ଏହି ନାବାଳିକାଙ୍କ ବୟସ ୧୭ବର୍ଷ। ସେ ଏକ ମଡେଲ୍‌ ସ୍କୁଲ୍‌ରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢ଼ୁଥିଲେ। ଗତବର୍ଷ ଡିସେମ୍ବର ମାସରେ ୨୭ ତାରିଖରେ ଧାନକଟା ଛୁଟିପାଇଁ ସେ ଘରକୁ ଆସିଥିଲେ। ଏହାର କିଛିଦିନ ପ‌ରେ ଅର୍ଥାତ୍‌ ଜାନୁଆରି ୩ ତାରିଖରେ ଘରୁ କୁଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା। ଶେଷରେ ତାଙ୍କ ବାପା  ଜାନୁଆରି ୯ ତାରିଖରେ ଝିଅ ନିଖୋଜ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ତେବେ, ଗତ ଅକ୍ଟୋବର ୨୫ ତାରିଖ ଗୋବର୍ଦ୍ଧନ ପୂଜାଦିନ ଗ୍ରାମର ଜଣେ ବ୍ୟକ୍ତି ନିଖୋଜ ଝିଅର ବାପାଙ୍କୁ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଥିଲେ। ସେ କହିଥିଲେ,  ଝିଲମିଲା ଗ୍ରାମର ୩ରୁ ୫ ଜଣ ବ୍ୟକ୍ତି ଝିଅକୁ ମାରି ଫିଙ୍ଗି ଦେଇଛନ୍ତି। ଠିକ୍‌ ସେହିଦିନ ବି ତାଙ୍କ ଘରକୁ ଏକ ହିନ୍ଦୀରେ ଲେଖାଯାଇଥିବା ଚିଠି ପହଞ୍ଚିଥିଲା। ସେଥିରେ ବି ସମାନ କଥା ଉଲ୍ଲେଖ ରହିଥିଲା। ଏଥିସହ ନାବାଳିକାଙ୍କୁ ହତ୍ୟା କରିଥିବା ବ୍ୟକ୍ତିର ନାମ ମଧ୍ୟ ରହିଥିଲା। ଏହି ଚିଠିକୁ ନେଇ ପରିବାର ଲୋକ ନୂଆପଡ଼ା ଥାନାରେ ପୁଣି ଏକ ଲିଖିତ ଅଭିଯୋଗ କରିଥିଲେ। ହେଲେ ପରିବାର ଲୋକ ହତ୍ୟାକାରୀଙ୍କ ପ୍ରମାଣ ଦେବାପରେ ମଧ୍ୟ ପୁଲିସ୍ ଚୁପ ରହିଥି​ଲା।

ଏହାପରେ ପରିବାର ଲୋକ ଏନେଇ ନୂଆପଡ଼ା ଏସ୍‌ପିଙ୍କୁ ଭେଟିଥିଲେ। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ନୂଆପଡ଼ା ପୁଲିସ୍‌ ଝିଲମିଲା ଗ୍ରାମର ୫ ଜଣ ଯୁବକଙ୍କୁ ଏହି ଘଟଣାକୁ ନେଇ ପଚରାଉଚରା‌ କରିଥିଲା।  ସଂପୃକ୍ତ ଯୁବକଙ୍କଠାରୁ ତଥ୍ୟ ପାଇବା ପରେ ପୁଲିସ୍‌ ଆଜି ମାଜିଷ୍ଟ୍ରେଟ, ଡଗ୍‌ସ୍କ୍ବାଡ୍‌, ଡାକ୍ତର ଟିମ୍ ସହ ଅଟକ ରଖିଥିବା ସୋନୁ ସାହୁଙ୍କୁ ନେଇ  ରତିପାଲି ଗାଁରେ ପହଞ୍ଚିଥିଲା। ଅଭିଯୁକ୍ତ ସୋନୁ ନାବାଳିକାଙ୍କୁ କିପରି ହତ୍ୟା କରାଗଲା, ତାହାର ଡେମୋ ଦେଖାଇବା ସହ  ଗ୍ରାମର ଏକ ଜମିରୁ ମୃତଦେହ ବାହାର କରିଥିଲା। ପୁଲିସ୍‌ ଏକ ଜେସିବି ସାହାଯ୍ୟରେ ​ସଂପୃକ୍ତ ସ୍ଥାନକୁ ୩ ଫୁଟ୍‌ ଖୋଳିବା ସହ ନାବାଳିକାର ଗଳିତ ଶବ ଉଦ୍ଧାର କରିଛି।

ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ୍ ଶବ ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଅନ୍ୟପକ୍ଷରେ ମୃତ ନାବାଳିକାର ବାପାମା’ଙ୍କ କହିବା ଅନୁସାରେ, ଝିଅକୁ ରାତିରେ ଝିଲମିଲା ଗ୍ରାମର କିଛି ଦୁର୍ବୃତ୍ତ ଅପହରଣ କରି ନେଇଥିଲେ। ଦୁଷ୍କର୍ମ ପରେ ତାକୁ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ କରିଛନ୍ତି। ଏଥିସହ ଦୋଷୀମାନଙ୍କୁ ତୁରନ୍ତ ଫାଶୀ ଦେବାକୁ ଦାବି କରିଛନ୍ତି। ନୂଆପଡ଼ା ଥାନା ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ନାବାଳିକାର ମୃତଦେହ ଉଦ୍ଧାର କରାଯାଇ। ଘଟଣାର ତଦନ୍ତ ଜାରି ରହିଛି। ବୁଧବାର ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯିବ।