ପାତ୍ରପୁର : ବୃଦ୍ଧାଙ୍କୁ ହତ୍ୟା କରି ସୁନା ଲୁଟ୍‌

ଘରେ ଭଙ୍ଗା ଲାଲ୍‌ ଚୁଡ଼ି, ମହିଳାଙ୍କ ସମ୍ପୃକ୍ତି ସନ୍ଦେହ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଘଟିଛି ଚାଞ୍ଚଲ୍ୟକର ଲୁଟ୍‌ ଓ ହତ୍ୟା। ମହାଦେଇପୁର ଗ୍ରାମର ଜଣେ ବୃଦ୍ଧା ଘରେ ଏକା ଥିବା ବେଳେ ଦୁର୍ବୃତ୍ତ ମାନେ ପଶି ସୁନା ଗହଣା ଲୁଟି ନେବା ସହ ତାଙ୍କୁ ହତ୍ୟା କରିଛନ୍ତି। ମୃତା ବୃଦ୍ଧା ଜଣକ ହେଲେ ସ୍ବର୍ଗତ ପର୍ଶୁରାମଙ୍କ ପତ୍ନୀ ମୁକ୍ତା ପ୍ରଧାନ(୬୫)।

ଜରଡ଼ା ଥାନା ଠାରୁ ୪କିମି ଦୂର ମହାଦେଇପୁର ଗାଁ। ଗାଁ ଶେଷ ମୁଣ୍ଡରେ ମୁକ୍ତାଙ୍କ ଘର। ଦୁଇ ପୁଅଙ୍କ ମଧ୍ୟରେ ମୁକ୍ତା ସାନପୁଅ କୃଷ୍ଣ ଘରେ ରହୁଥିଲେ। ସାନପୁଅ ଗାଡ଼ି ଚାଳକ ଓ ‌ବୋହୂ ଗତ ଚାରିଦିନ ହେଲା ନିଜ ବାପ ଘରକୁ ଯାଇଛନ୍ତି। ସାନ ପୁଅ ଗାଡ଼ି ନେଇ ବାହାରକୁ ଯାଇଥିବା ବେଳେ ଆଜି ଘରେ ମୁକ୍ତା ଏକୁଟିଆ ଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ତାଙ୍କ ପଡ଼ୋଶୀଙ୍କ ଘରେ ଜଣେ ବଢ଼େଇ କାମ କରୁଥିବା ବେଳେ ତାଙ୍କୁ ଚା’ ପିଇବାକୁ ମୁକ୍ତା ଆଣି ଦେଇଥିଲେ। ଘର ଭିତର ପାର୍ଶ୍ବରୁ କବାଟ ବନ୍ଦ ଥିଲା। ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସି କବାଟ ବାଡ଼େଇ ଡାକିଥିଲେ ହେଁ କେହି ଶୁଣି ନ ଥିଲେ। ସନ୍ଦେହ ହେବାରୁ ସାହି ପଡ଼ୋଶୀ ଘରର ବାଡ଼ି ପଟେ ଯାଇ ଦେଖିଲା ବେଳକୁ କବାଟ ଖୋଲା ଥିଲା। ଘର ଭିତରେ ମୁକ୍ତାଙ୍କ ଶବ ପଡ଼ି ରହିଥିଲା। ନାକରୁ ରକ୍ତ ବାହାରୁଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗ୍ରାମରେ ମୁକ୍ତାଙ୍କ ବଡ଼ ପୁଅ ତାଙ୍କ ପରିବାର ସହ ରହୁଛନ୍ତି। ପଡ଼ୋଶୀ ଏହା ଜାଣିବା ପରେ ତାଙ୍କ ବଡ଼ ପୁଅକୁ ଜଣାଇଥିଲେ। ସେ ଥାନାକୁ ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ।

ଅନ୍ୟପକ୍ଷରେ ଖବର ପାଇ ମୁକ୍ତାଙ୍କ ସାନ ବୋହୂ ବାପ ଘରୁ ଆସି ପହଞ୍ଚିଥିଲେ। ଜରଡ଼ା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ମୁକ୍ତା ରୋଷେଇ କରି ରଖିଥିବା ଖାଦ୍ୟ ଯେମିତି ସେମିତି ରହିଛି। ଏଥିରୁ ମୁକ୍ତା ରୋଷେଇ ପରେ ଖାଇ ନ ଥିବା ଜଣାପଡ଼ିଛି। ମୁକ୍ତା ପିନ୍ଧିଥିବା ନାକ ଦଣ୍ଡି, ପୁଡ଼ା କାନର ଗୁଣା, ନାଗୁଲ ଆଦି ୩ ଭରି ସୁନା ନ ଥିବାରୁ ଘରେ କେହି ନ ଥିବାର ସୁଯୋଗ ନେଇ କୌଣସି ଦୁର୍ବୃତ୍ତ ଲୁଟ୍‌ ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଘର ଭିତର କାନ୍ଥରେ ରକ୍ତ ଛିଟା ଲାଗିଥିବା ବେଳେ ଘର ଭିତରେ ଲାଲ୍ ଚୁଡ଼ି ଭାଙ୍ଗି ଟୁକୁଡ଼ା ପଡ଼ିଥିବାରୁ ଏହି ହତ୍ୟାକାଣ୍ଡ ପଛରେ କୌଣସି ମହିଳାଙ୍କ ହାତ ଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି। ତଦନ୍ତ ପରେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଜରଡ଼ା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର