ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ରେଢ଼ାଖୋଲ ଥାନା ରାଇଲ ନିକଟସ୍ଥ ଝାଟକିମାଲ ନାଳକଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ନାକଟିଦେଉଳ ଗ୍ରାମର ପ୍ରଦ୍ୟୁମ୍ନ ଦାସ ଓରଫ ଦୀନବନ୍ଧୁ (୩୬) ଏବଂ ସେ ଘୋଷରାମାଳ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବରେ କାର୍ଯ୍ୟ କରୁଥିଲେ। ଘଟଣାସ୍ଥଳରୁ ପ୍ରଦ୍ୟୁମ୍ନଙ୍କ ବାଇକ୍ ଓ ମୋବଇଲ ଫୋନ୍ ଜବତ କରାଯାଇଥିବା ବେଳେ ତାଙ୍କୁ କେହି ହତ୍ୟାକରି ସେଠାରେ ଫିଙ୍ଗିଛି ନା ସେ ବାଇକରୁ ଖସିପଡ଼ି ପ୍ରାଣ ହରାଇଛନ୍ତି, ତାହା ଅସ୍ପଷ୍ଟ ରହିଛି।

Advertisment

ସୂଚନା ଅନୁସାରେ, ପ୍ରଦ୍ୟୁମ୍ନ ବୁଧବାର ଅଫିସ କାମରେ ଘୋଷରାମାଳ ଯାଇଥିଲେ। ସେଠାରୁ ପତ୍ନୀଙ୍କ ସହ ପ୍ରାୟ ୧୦ଟା ବେଳେ ଫୋନ୍‌ରେ କଥା ମଧ୍ୟ ହୋଇଥିଲେ। ଅଫିସରେ ମିଟିଂ ଥିବାରୁ ଶୀଘ୍ର ଫେରିଯିବେ ବୋଲି କହିଥିଲେ। ତେବେ ସେ ନ ଆସିବାରୁ ତାଙ୍କ ସ୍ତ୍ରୀ ଫୋନ୍ କରିଥିଲେ। ବାରମ୍ବାର ଫୋନ୍‌ କରିବା ସତ୍ତ୍ବେ ଫୋନ୍ ନ ଉଠାଇବାରୁ ଘରଲୋକ ତଥା ଶିମିଳିପାଳସ୍ଥିତ ତାଙ୍କ ଭିଣୋଇ ଘରକୁ ଖବର ଦେଇଥିଲେ। ଭିଣୋଇ ଘର ଲୋକେ ଖୋଜାଖୋଜି କରି ରାତି ପ୍ରାୟ ୧୦ଟା ବେଳେ ପ୍ରଦ୍ୟୁମ୍ନଙ୍କ ମୃତଦେହକୁ ଘଟଣାସ୍ଥଳରେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।

ଗୁରୁବାର ପରିବାର ଲୋକେ ଏହା ଦୁର୍ଘଟଣା ନୁହେଁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଲିଖିତ ଅଭିଯୋଗ କରିଥିଲେ। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରଦ୍ୟୁମ୍ନଙ୍କ ମୋବାଇଲ କଲ୍ ଡିଟେଲ୍ସ ଡିଲିଟ୍ କରାଯାଇଥିବା ଏବଂ ତାଙ୍କ ବେକ, ମୁଣ୍ଡ ଓ ପେଟରେ ଦାଗ ଥିବାନେଇ ଶାଳକ ରାକେଶ ଦାସ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ। ରେଢ଼ାଖୋଲ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅପରାହ୍ନରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ସମ୍ପର୍କରେ ଏସ୍‌ଡିପିଓ ପ୍ରଶାନ୍ତ ମେହେରଙ୍କୁ ପଚାରିବାରୁ କହିଛନ୍ତି, ‘ମାମଲାରେ ହତ୍ୟା ଦିଗକୁ ନେଇ ତଦନ୍ତ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଯିବ। ତେବେ ଡିଲିଟ୍ ହୋଇଥିବା କଲ୍ ରେକର୍ଡ ରି-ଷ୍ଟୋର କରାଗଲେ ମଧ୍ୟ ରହସ୍ୟ ଉପରୁ ପର୍ଦା ହଟିପାରିବ ବୋଲି ଚର୍ଚ୍ଚା ହେଉଛି।