ଅନୁଗୁଳ: ଦୁଇ ଦିନ ତଳୁ ନିଖୋଜ ଥିଲେ ସ୍ବାମୀ। ସବୁଆଡ଼ୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳିଲାନି। ତୃତୀୟ ଦିନ ସକାଳୁ ସକାଳୁ ଘରଠାରୁ ମାତ୍ର ୩୦ମିଟର ଦୂର ଏକ କାଉଁଶି (କାଶତଣ୍ଡୀ) ବୁଦାରୁ ମୃତଦେହ ମିଳିଲା। ଅନୁଗୁଳ ଟାଉନ୍‌ ଥାନା ଏକଘରିଆ ଗାଁରେ ଆଜି ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୋଟ୍ ୫ଜଣ ବ୍ୟକ୍ତି ତାଙ୍କୁ ହତ୍ୟା କରିଛନ୍ତି ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି। ଏହି ଗ୍ୟାଙ୍ଗ୍‌ରେ ଦୁଇ ଜଣ ବିହାରୀ ମଦ ମାଫିଆଙ୍କ ସମ୍ପୃକ୍ତି ଅଛି ବୋଲି ମଧ୍ୟ ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଏତଲାରେ ସ୍ପଷ୍ଟ କରିଛନ୍ତି। ହତ୍ୟା ଅଭିଯୋଗରେ ମଦ ମାଫିଆଙ୍କ ସମ୍ପୃକ୍ତି ଏହି ଘଟଣାକୁ ଆହୁରି ସମ୍ବେଦନଶୀଳ କରି ଦେଇଛି।

Advertisment

ମୃତ ଯୁବକ ଜଣକ ହେଲେ ରତନ ନାଏକ। ତାଙ୍କ ଘର ନତଡ଼ା। ଗଲା ପ୍ରାୟ ତିନି ବର୍ଷ ହେଲା ଏକଘରିଆ ଗାଁରେ ସେ ପରିବାର ସହିତ ରହୁଥିଲେ। ରତନ ମଦ ବେପାରରେ ସମ୍ପୃକ୍ତ ମଧ୍ୟ ଥିଲେ। ଜିଲ୍ଲା ଅବକାରୀ ବିଭାଗ ଏନେଇ ରତନଙ୍କ ନାଁରେ ଦୁଇଟି ମାମଲା ରୁଜୁ କରିଥିଲା। ୪ ତାରିଖ ରାତିରେ ଦୁଇ ଜଣ ଯୁବକ ତାଙ୍କ ଘରକୁ ଆସିଥିଲେ। ମଦ ପାଇଁ ବଟି ମାଗୁଥିଲେ ବୋଲି ରତନଙ୍କ ସ୍ତ୍ରୀ ସୂର୍ଯ୍ୟା ନାଏକ ପ୍ରକାଶ କରିଛନ୍ତି। ଏହି ଦୁଇ ଯୁବକଙ୍କୁ ଦେଖି ରତନ ବାଡ଼ି ପଟେ ଘରୁ ପଳାୟନ କରିଥିଲେ। ତା ପରଠାରୁ ରତନଙ୍କ ଦେଖା ନଥିଲା। ବ୍ୟତିବ୍ୟସ୍ତ ପରିବାର ଲୋକ ଏନେଇ ରତନଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏମିତିକି, ଘରଠାରୁ ୩୦/୪୦ମିଟର ଦୂରରେ ଥିବା କାଉଁଶି ବଣରେ ବି ଖୋଜାଖୋଜି କରିଥିଲେ। କିନ୍ତୁ, କେଉଁଠି ବି ତାଙ୍କର ପତ୍ତା ପାଇନଥିଲେ। ଆଜି ଭୋର୍‌ ସମୟରେ ସେହି କାଉଁଶି ବଣରେ ତାଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ସ୍ବାଭାବିକ ମୃତ୍ୟୁ ନୁହେଁ, ଏହା ଯୋଜନାବଦ୍ଧ ଭାବେ ମିଳିତ ହତ୍ୟାକାଣ୍ଡ ବୋଲି ସ୍ତ୍ରୀ ଶ୍ରୀମତୀ ନାଏକ ଅଭିଯୋଗ ଆଣିଛନ୍ତି।

ସୂଚନା ପାଇ ଅନୁଗୁଳ ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। ଟାଉନ୍‌ ଥାନା ଅଧିକାରୀ ଧୀରେସ ଦାସଙ୍କ କହିବା ମୁତାବକ, ମୃତଦେହରେ କିଛି ଆଞ୍ଚୁଡ଼ା ଦାଗ ରହିଛି। ବାହାରୁ ବଡ଼ଧରଣର କ୍ଷତ ଚିହ୍ନ ଜଣାପଡ଼ି ନାହିଁ। ଶବ ବ୍ୟବଚ୍ଛେଦ କରାଯାଇଛି। ପୁଲିସ ଅନୁସନ୍ଧାନ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି।