ଛୋଟରାୟପୁରରେ ଜବରଦଖଲ ଉଚ୍ଛେଦ

କୋରେଇ,: କୋରେଇ ବ୍ଲକ ତଥା ବ୍ୟାସନଗର ତହସିଲ ଅନ୍ତର୍ଗତ ଜହ୍ନା ପଞ୍ଚାୟତ ଛୋଟରାୟପୁର ଗାଁ ଛକରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ସମୟରେ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ୍ ପୁଲିସ୍‌ ମୁତୟନ କରାଯାଇଥିଲା।

ଛୋଟରାୟପୁର ଛକରେ ଏବେ ୨୦ ଏକରରୁ ଅଧିକ ସରକାରୀ ଜମି ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଗ୍ୟାସ ବିତରଣ ପ୍ରକଳ୍ପ ଠାରୁ ଆରମ୍ଭ କରି ୮ରୁ ଅଧିକ କାଠ ମିଲ୍, ମିନି ଷ୍ଟାଡିୟମ ଆଦି ବହୁ ସରକାରୀ ପ୍ରକଳ୍ପ ଆରମ୍ଭ ହୋଇଛି। ଗ୍ୟାସ ପ୍ରକଳ୍ପ ନିକଟରେ ଛୋଟରାୟପୁର ଗ୍ରାମର ଚିତରଞ୍ଜନ ନାୟକ ନାମକ ବ୍ୟକ୍ତି ଏକ ଦୋକାନ ଘର କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ଏନେଇ କିଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଏହି ଘରକୁ ଭାଙ୍ଗିବା ପାଇଁ ବ୍ୟାସନଗର ତହସିଲ ପକ୍ଷରୁ ନୋଟିସ କରାଯାଇଥିଲା।

ଆଜି ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ, ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କ ସମେତ ରାଜସ୍ବ ବିଭାଗର ବହୁ କର୍ମଚାରୀ ଏବଂ ପାଣିକୋଇଲି ପୁଲିସ ଉପସ୍ଥିତ ରହି ନିର୍ମାଣ ହୋଇଥିବା ବେଆଇନ୍ ଦୋକାନକୁ ଜେସିବି ସାହାଯ୍ୟରେ ଭାଙ୍ଗି ଦେଇଥିଲେ।  ଅନ୍ୟ ପକ୍ଷରେ ତହସିଲ ପ୍ରଶାସନ ବରୋଧରେ ପାଲଟା ଅଭିଯୋଗ କରିଛନ୍ତି ଦୋକାନୀ । ଘର ଭାଙ୍ଗିବା ପାଇଁ ତାଙ୍କୁ କୌଣସି ନୋଟିସ ହୋଇନଥିବା ବେଳେ ରାଜନୈତିକ ଚାପରେ ବଳପୂର୍ବକ ଭାବେ ପ୍ରଶାସନ ପକ୍ଷରୁ ତାଙ୍କ ଦୋକାନ ଭଙ୍ଗା ଯାଇଥିବା ଅଭିଯୋଗ କରିଛନ୍ତି। ଛକରେ ଅନେକ ଦୋକାନ ସରକାରୀ ଜାଗାରେ ହୋଇଥିବା ବେଳେ କେବଳ ତାଙ୍କ ଦୋକାନକୁ କାହିଁକି ଭଙ୍ଗାଗଲା ପାଲଟା ପ୍ରଶ୍ନ କରିଛନ୍ତି। ତହସିଲଦାର ଶ୍ରୀ ମାଝୀ କହିଛନ୍ତି ଯେ ଆଗାମୀ ଦିନରେ ଛକରେ ଥିବା ସମସ୍ତ ବେଆଇନ୍ ଜବରଦଖଲକୁ ପ୍ରଶାସନ ଉଚ୍ଛେଦ କରିବ।

ସମ୍ବନ୍ଧିତ ଖବର