ସୋର: ସରକାରଙ୍କ ତରଫରୁ ବିଭନ୍ନ ସହରରେ ଶିଶୁ ଉଦ୍ୟାନମାନ ନିର୍ମାଣ କରାଯାଇଛି। ଏହାଦ୍ୱାରା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ସମସ୍ତେ ଉପକୃତ ହୋଇଥାନ୍ତି। ହେଲେ ସୋର ପୌରପାଳିକା ଅନ୍ତର୍ଗତ ମୋବାରକପୁରଠାରେ ଥିବା ଶିଶୁ ଉଦ୍ୟାନଟି ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିରହିଛି।
ଏଠାରେ ଦିନରାତି ସବୁବେଳେ ତାଲା ପଡ଼ିରହୁଛି। ସେପଟେ ପାଣି ପାଇପ ବ୍ୟବସ୍ଥା ରହିଥିଲେ ବି ପାଣି ଆସୁନଥିବାରୁ ଗଛରେ ପାଣି ଦିଆଯାଇ ପାରୁନି। ଫଳରେ ଉଦ୍ୟାନଟି ଶ୍ରୀହୀନ ହୋଇପଡ଼ିଲାଣି। ସେହିପରି ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏଠାରେ ସର୍ବଦା ଅନ୍ଧକାର ବିରାଜମାନ କରୁଛି। ଏହାର ସୁଯୋଗରେ ଅସାମାଜିକ ଲୋକେ ଏହାକୁ ସେମାନଙ୍କ ଆଡ୍ଡାସ୍ଥଳୀ କରିନେଲେଣି। ପିଲାମାନଙ୍କ ଖେଳିବା ପାଇଁ ରହିଥିବା ସାମଗ୍ରୀ ସବୁ ଭାଙ୍ଗିରୁଜି ଯାଇଛି। ସୌନ୍ଦର୍ଯ୍ୟୀକରଣ ପାଇଁ ହୋଇଥିବା ସମସ୍ତ ବ୍ୟବସ୍ଥା ଏବେ ନଷ୍ଟ ହୋଇଗଲାଣି। ଉଦ୍ୟାନର ରକ୍ଷଣାବେକ୍ଷଣ ତ ଦୂର କଥା, ଏହା ଉପରେ କାହାର ଶୁଭଦୃଷ୍ଟି ମଧ୍ୟ ପଡୁନି। ୨୦୧୫ରେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଉଦ୍ୟାନ ନିର୍ମାଣ କରାଯାଇଥିଲା। ଗତ ୪ ବର୍ଷ ହେବ ଉଦ୍ୟାନଟି ଅବହେଳିତ ହୋଇ ପଡ଼ିରହିଛି। ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଶିଶୁ ଉଦ୍ୟାନଟିର ପୁନରୁଦ୍ଧାର କରାଯିବା ସହିତ ଯଥାଶୀଘ୍ର ଏହାକୁ ଖୋଲିବାକୁ ବିଭିନ୍ନ ମହଲରୁ ଦାବି କରାଯାଇଛି।