ପ୍ରଚାରକୁ ଓହ୍ଲାଇଲେ କେନ୍ଦୁଝର ରାଜାରାଣୀ: ରାସ୍ତାରେ ପଥର, କାଠ ପକାଇ ଅଟକାଇବାକୁ ଉଦ୍ୟମ

କେନ୍ଦୁଝର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦୁଝରଗଡ଼ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଏବଂ ମହାରାଣୀ ସୁନେନ୍ଦିନୀ ଭଞ୍ଜଦେଓ। ରବିବାର ଦିନ ଉଭୟ ୨୫ ନମ୍ବର ଜିଲ୍ଲାପରିଷଦ ଜୋନ୍‌ର ବିଜେପି ପ୍ରାର୍ଥୀ ରଂଜିତ ବାରିକଙ୍କ ସପକ୍ଷରେ ପ୍ରଚାର ପାଇଁ ପାଞ୍ଚପିଢ଼ ସର୍ଦ୍ଦାର କୁଞ୍ଜ ଦେହୁରୀଙ୍କ ଘରକୁ ଯାଇଥିଲେ। ରାସ୍ତାରେ ଯିବାବେଳେ ଦଅଁଳା ଛକରେ କିଛି ବିଜେଡି ନେତା ଓ କର୍ମୀ ରାସ୍ତାରେ ପଥର, କାଠ ପକାଇ ରାସ୍ତା ଅବରୋଧ କରିବା ପ୍ରଚାର ପାଇଁ ଯିବାକୁ ବାରଣ କରିଥିବା ଅଭିଯୋଗ ହୋଇଛି। ରାଜାରାଣୀ ସେହି ରାସ୍ତାରେ ନଯାଇ ଅନ୍ୟ ଏକ ରାସ୍ତାରେ ଯାଇ ପ୍ରଚାର କରିଥିବା ଜଣାପଡ଼ିଛି।

ବିଭିନ୍ନ ଭୂୟାଁ, ଜୁଆଙ୍ଗ ଗ୍ରାମରେ ରାଜାରାଣୀଙ୍କୁ ପାଖରେ ପାଇ ଲୋକେ ଭାବବିହ୍ବଳ ହୋଇପଡ଼ିଥିଲେ। ଉଭୟଙ୍କୁ ବନ୍ଦାପନା କରି ଗାଁ ବୁଲାଇଥିଲେ। ରାଜାରାଣୀ ମଧ୍ୟ ଲୋକଙ୍କ ସୁଖଦୁ୍ଃଖ ବୁଝିଥିଲେ। ତାଙ୍କ ସହିତ ବିଜେପି ପ୍ରାର୍ଥୀ ରଂଜିତ ବାରିକ, ବିଜେପି ଜିଲ୍ଲା ଉପସଭାପତି ଗୋପୀନାଥ ରାମ ଏବଂ ସମର୍ଥକମାନେ ଥିଲେ। ଏନେଇ ରାଜା ଶ୍ରୀ ଭଞ୍ଜଦେଓ କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କ ସମାନ ଅଧିକାର ଅଛି। କେହି କାହାରିକୁ ପ୍ରଚାର କରିବାରେ ରୋକିପାରିବେ ନାହିଁ। ସମାଜରେ ଯେଉଁମାନେ ଉନ୍ନତି କରିପାରିବେ ଏବଂ ଦୁର୍ନୀତିକୁ ଦୃଢ଼ହସ୍ତରେ ଦମନ କରିପାରିବେ ସେହିପରି ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିବାକୁ ବାହାରିଛନ୍ତି। ଯେଉଁମାନେ ତାଙ୍କ ରାସ୍ତା ଅଟକାଇଥିଲେ ସେମାନେ ପ୍ରବଳ ମାତ୍ରାରେ ମଦ୍ୟପାନ କରିଥିଲେ। ସେମାନେ ନିଜ ଇଚ୍ଛାରେ ଏପରି କରିନାହାନ୍ତି। କେହି ସେମାନଙ୍କୁ ଏପରିକ କରିବାକୁ ପ୍ରୋତ୍ସାହିତ କରିଥିବା ସେ ସନ୍ଦେହ କରୁଛନ୍ତି ବୋଲି କହିଛନ୍ତି। ତେବେ ଏହି ଘଟଣାରେ ସେ ‌ଥାନାରେ କୌଣସି ପ୍ରକାର ଅଭିଯୋଗ କରିବେ ନାହିଁ ବୋଲି କହିଛନ୍ତି।

ଏ ସଂପର୍କରେ ବିଜେପି ପ୍ରାର୍ଥୀ ରଂଜିତ ବାରିକ କହିଛନ୍ତି, ବିଜେଡି ଦୀର୍ଘଦିନ ହେଲା ଏହି ଅଞ୍ଚଳରେ ଗୁଣ୍ଡାରାଜ ଚଳାଇଛି। ଲୋକେ ଭୟରେ ମୁହଁ ଖୋଲୁ ନାହାନ୍ତି। ବିଜେଡି ନେତାମାନେ ଭଲ ଭାବରେ ଜାଣି ସାରିଲେଣି ଯେ ତାଙ୍କ ପରାଜୟ ସୁନିଶ୍ଚିତ। ତେଣୁ ସେମାନେ ଏପରି କରୁଛନ୍ତି ବୋଲି ଶ୍ରୀ ବାରିକ ଅଭିଯୋଗ କରିଛନ୍ତି। ବିଜେପି ଜିଲ୍ଲା ଉପସଭାପତି ଶ୍ରୀ ରାମ କହିଛନ୍ତି ଯେ, ବିଜେଡି ନେତାମାନେ ଗାଁରେ ବୁଲିବୁଲି ଭୋଟ୍‌ ପାଇଁ ଟଙ୍କା ବାଣ୍ଟୁଛନ୍ତି। ଏହାସତ୍ତ୍ବେ ରାସ୍ତାରୋକ କରିବାର କ’ଣ ଆବଶ୍ୟକ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ହାରିବା ଭୟ ଘାରିଲାଣି। ତେଣୁ ସେମାନେ କ’ଣ କରୁଛନ୍ତି କିଛି ବୁଝିପାରୁ ନାହାନ୍ତି ବୋଲି ଶ୍ରୀ ରାମ କହିଛନ୍ତି।

ସମ୍ବନ୍ଧିତ ଖବର