ବନ୍ତଳା: ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ କରଡାପଡା ଗ୍ରାମରୁ ଆଜି ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ସାପଟି ଅନ୍ୟ ଏକ ଅଜଗର ସାପକୁ ଗିଳିବା ପରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରୁ ଉଦ୍ଧାର ହୋଇଥିଲା। ସୂଚନା ଅନୁଯାୟୀ ପୃଥିବୀର ସବୁଠୁ ବଡ (ଲମ୍ବ) ବିଷଧର ସାପ ଅହିରାଜର ପ୍ରିୟ ଖାଦ୍ୟ ସାପ ଓ ସରୀସୃପ।ତେବେ ଆଜି ସାତକୋଶିଆ ଅଭୟାରଣ୍ୟର କରଡାପଡା ଗ୍ରାମରେ ୧୧ ଫୁଟର ଅହିରାଜ ସାପଟି ୬ଫୁଟ ଲମ୍ବର ଅଜଗର ସାପକୁ ଗିଳି ଦେଇ କରଡାପଡା ଗ୍ରାମର ଗଡ ଦଳବେହେରାଙ୍କ ରୋଷେଇ ଘର ଭିତରକୁ ପଶି ଯାଇଥିଲା। ପରିବାର ଲୋକେ ଘର ଭିତରେ ଏତେ ବଡ ସାପ ଦେଖି ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ।

Advertisment

ଖବର ପାଇ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧାଙ୍କ ସହ ଅନୁଗୋଳର ସର୍ପମିତ୍ର ଆଦିତ୍ୟ ବେହେରା, ସର୍ପ ଉଦ୍ଧାରକାରୀ ଶିବାନୀ ଦେହୁରୀ, ସିପୁନ ସାହୁ, ବନ୍ୟଜନ୍ତୁ ପ୍ରେମୀ ଶୁଭ୍ରନାରାୟଣ ଦଳବେହେରା, କୁଲଦୀପ ଦାସ, ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ଅହିରାଜ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଅଜଗର ସାପଟିକୁ ଅହିରାଜ ବାହାର କରି ଦେଇଥିଲା। ସେତେବେଳକୁ ଅଜଗର ସାପଟି ମରି ସାରିଥିଲା। ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଅଳ୍ପ ସମୟ ବ୍ୟବଧାନ ପରେ ଟିକରପଡା ବନାଞ୍ଚଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଅନିଲ ସାହୁଙ୍କ ଉପସ୍ଥିତିରେ ଅହିରାଜକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା। ଗତ ତିନି ବର୍ଷ ମଧ୍ୟରେ ଟିକରପଡ଼ା ଅଞ୍ଚଳରୁ ୪ଟି ଅହିରାଜ ସାପ ଉଦ୍ଧାର ହୋଇଥିବା ସାତକୋଶିଆ ଜୈବବିବିଧତା ପ୍ରତି ଏକ ଶୁଭ ସଙ୍କେତ ବୋଲି ସର୍ପମିତ୍ର ଆଦିତ୍ୟ ବେହେରା ପ୍ରକାଶ କରିଅଛନ୍ତି।