ମହିଳା ଦିବସରେ ପ୍ରେରଣା : ବଣେଇ ରାଜ ପରିବାରର ଝିଅ ଗୋ-ସେବିକା

ପୁରୀ : ରାଜ ପରିବାରରେ ତାଙ୍କର ଜନ୍ମ। କିନ୍ତୁ ମନରେ ନାହିଁ ଆତ୍ମବଡ଼ିମା। ପରିବାର ଗଢ଼ିବାର ସ୍ବପ୍ନ ଛାଡ଼ି ସେ ନିଜକୁ ସମର୍ପି ଦେଇଛନ୍ତି ଗୋ-ସେବାରେ। ଯାହା ତାଙ୍କ ପରିଚୟକୁ ଆହୁରି ଉଚ୍ଚା କରି ଦେଇଛି। ସଦାସର୍ବଦା ଗୋମାତାଙ୍କ ସେବାରେ ନିଜକୁ ବ୍ରତୀ କରିଛନ୍ତି। ଏପରି ଏକ ନିଆରା ବ୍ୟକ୍ତିତ୍ବର ଅଧିକାରୀ ଚିନ୍ମୟୀ ଦେଓ। ବୟସ ବି ସେତେ ଅଧିକ ନୁହେଁ। ପିଲାଟି ବେଳୁ ନିଜକୁ ଗୋ ସେବାରେ ନିମଗ୍ନ କରିଥିବା ଚିନ୍ମୟୀ ଆନ୍ତର୍ଜାତିକ ମହିଳା ଦିବସରେ କେବଳ ମହିଳା ନୁହେଁ, ପୁରୁଷ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ବଣେଇର ରାଜ ପରିବାରରେ ଜନ୍ମିତ ଚିନ୍ମୟୀଙ୍କ ପରିବାର ଏବେ ପୁରୀ ସ୍ବର୍ଗଦ୍ବାର ନିକଟରେ ରହୁଛନ୍ତି। ଗାଁରେ ସଂପର୍କୀୟମାନେ ରହୁଛନ୍ତି ସତ, କିନ୍ତୁ ଶ୍ରୀକ୍ଷେତ୍ର ମୋହ ଏହି ରାଜ ପରିବାରକୁ ଏଠାକୁ ଟାଣିଆଣିଛି। ଚିନ୍ମୟୀଙ୍କ ପରିବାର କହିଲେ, ବାପା-ମା, ଜଣେ ଭାଇ ଓ ଜଣେ ଭଉଣୀ। କେବଳ ଚିନ୍ମୟୀ ନୁହନ୍ତି, ଚିନ୍ମୟୀଙ୍କ ପରିବାର ଲୋକେ ବି ଗୋସେବାକୁ ଶ୍ରେୟ ଦିଅନ୍ତି । ଆଜି ପର୍ଯ୍ୟନ୍ତ ସେ ଗାଈଗୋରୁଙ୍କୁ ନିଶୁଳ୍କ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି। ଯେଉଁଠି ଝିଅମାନଙ୍କ ଭ୍ୟାନିଟିରେ ପ୍ରସାଧନ ସାମଗ୍ରୀ ଥାଏ, ସେଠି ଚିନ୍ମୟୀଙ୍କ ଭ୍ୟାନିଟିରେ ରହୁଛି ଗୋମାତାଙ୍କ ଚିକିତ୍ସା ପାଇଁ ଔଷଧ ଓ ବ୍ୟାଣ୍ଡେଜ। ଖବର ଆସିବା ମାତ୍ରେ ସେ ଦୌଡ଼ି ଯାଆନ୍ତି ଗୋ-ସେବା ପାଇଁ। ଗୋମାତାଙ୍କ ମାତା ଭାବେ ସେ ପରିଚୟ ଲାଭ କରିଛନ୍ତି। ଏଥିରୁ ସେ ଆତ୍ମତୃପ୍ତି ଲାଭ କରୁଥିବା କହିଛନ୍ତି।

ଚିନ୍ମୟୀଙ୍କ କହିବା କଥା ହେଲା, ଜଣେ ମହିଳା ହିଁ ଗୋମାତାର କଷ୍ଟ ଜାଣିପାରିବ। ମନଜାଣି ସେବାଯତ୍ନ କରିପାରିବ। ଏକ ବାଛୁରିକୁ ନିଜ ଛୁଆ ଭଳି ପାଳି ପାରିବ। ପରିବାର ଜଞ୍ଜାଳ ହେଉଛି କ୍ଷଣସ୍ଥାୟୀ। କିନ୍ତୁ ଗୋମାତାର ସେବା ଦୀର୍ଘସ୍ଥାୟୀ। ଗୋମାତାର ସେବା ତାଙ୍କୁ ପରିବାରର ସେବା ସଦୃଶ ଲାଗେ। ଆଜକୁ ୨୦ ବର୍ଷ ହେବ ସେ ନିଜକୁ ଗୋ ସେବାରେ ମନୋନିବେଶ କରିଛନ୍ତି। ଏହାକୁ ଜୀବନ ସହ ଅଙ୍ଗାଙ୍ଗି ଭାବେ ଯୋଡ଼ିଛନ୍ତି। ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ମଠରେ ସେ ଗୋସେବା କରି ଆସୁଥିଲେ। ଏବେ ବାଘଆଖଡ଼ା ମଠରେ ଶ୍ରୀଜଗନ୍ନାଥ ଗୋସେବା ସଂସ୍ଥା ଖୋଲିବା ପରେ ସେଠାରେ ଗୋମାତାଙ୍କୁ ସେବା ଯୋଗାଇ ଆସୁଛନ୍ତି। ସକାଳୁ ସଂଧ୍ୟା ଯାଏ ଗୋ ସେବାରେ ନିଜକୁ ନିମଗ୍ନ କରୁଛନ୍ତି। କେଉଁ ଗୋମାତାଙ୍କର କ’ଣ ଔଷଧ ଦରକାର, କେଉଁ କ୍ଷତକୁ କ’ଣ ଆବଶ୍ୟକ, ସବୁର ଉପଚାର ତାଙ୍କ ପାଖରେ ରହିଛି। ରାଜ ପରିବାରର ଜଣେ ଝିଅଙ୍କ ଏଭଳି ସେବା ମନୋବୃତ୍ତିକୁ ନେଇ ଅନ୍ୟ ଗୋ ସେବକମାନେ ବି ଖୁସି ପ୍ରକଟ କରିବା ସହ ଏଭଳି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟୁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର