କିନ୍ନର କର୍ମଚାରୀଙ୍କ ପ୍ରତି ଭେଦଭାବ ହୋଇପାରିବନି

ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ, ସବୁ ବିଭାଗକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର : କୌଣସି ସରକାରୀ ଅଫିସରରେ କିନ୍ନର କର୍ମଚାରୀଙ୍କ ସହ କେହି ଭେଦଭାବ କରିପାରିବେ ନାହିଁ। ପଦବି, ତାଲିମ, ପଦୋନ୍ନତି ଓ ବଦଳି ଆଦି କ୍ଷେତ୍ରରେ ସେମାନଙ୍କ ସହ କୌଣସି ପ୍ରକାର ଭେଦଭାବ ରହିବ ନାହିଁ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ କିନ୍ନରଙ୍କ ପାଇଁ ସମାନ ସୁଯୋଗ ନୀତି ପ୍ରଣୟନ କରାଯାଇଛି। ଆଜି ଏହି ମର୍ମରେ ସବୁ ସରକାରୀ ବିଭାଗକୁ ନି‌ର୍ଦ୍ଦେଶନାମା ଜାରି ହୋଇଛି। ଏଥିରେ ସତର୍କ କରାଇ ଦିଆଯାଇଛି କିନ୍ନର କର୍ମଚାରୀଙ୍କ ସହ ଅଫିସରେ ଭେଦଭାବ କରାଗଲେ ତାହାକୁ ଚାକିରି ସର୍ତ୍ତାବଳୀ ଆଚରଣର ଉଲ୍ଲଂଘନ ଭାବେ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଜ୍ଞପ୍ତିରେ ଥିବା ବ୍ୟବସ୍ଥା ଅନୁଯାୟୀ କିନ୍ନରମାନଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବା ପାଇଁ କେନ୍ଦ୍ର ସରକାରଙ୍କ ୨୦୨୦ ମସିହାର ରୁଲସ୍ ଏବଂ କିନ୍ନର(ସୁରକ୍ଷାର ଅଧିକାର) ଆଇନ ୨୦୧୯ ଅନ୍ତର୍ଗତ ବ୍ୟବସ୍ଥାରେ କିନ୍ନରମାନଙ୍କୁ କାର୍ଯ୍ୟସ୍ଥଳୀରେ ଭେଦଭାବପୂର୍ଣ୍ଣ ପରିବେଶରୁ ସୁରକ୍ଷା ଦେବା ପାଇଁ କୁହାଯାଇଛି। ଲିଙ୍ଗଗତ କାରଣରୁ କିନ୍ନରଙ୍କୁ କୌଣସି ପ୍ରକାରର ସୁଯୋଗରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ। ଯଦି ସେଭଳି ହୁଏ, ତେବେ କିନ୍ନର କର୍ମଚାରୀମାନେ ତୁରନ୍ତ ଅଭିଯୋଗ କରିପାରିବେ। କିନ୍ନରଙ୍କ ଅଭିଯୋଗ ଶୁଣିବା ପାଇଁ ପ୍ରତ୍ୟେକ ବିଭାଗ ଜଣେ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ କ୍ଷମତାପ୍ରାପ୍ତ କରାଇବେ। ଅଭିଯୋଗ ଉପରେ ତଦନ୍ତ ରିପୋର୍ଟ ଆସିବାର ୧୫ ଦିନ ମଧ୍ୟରେ ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ ମୁଖ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଯଦି କିନ୍ନରଙ୍କ ଅଭିଯୋଗ ଉପରେ ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହୋଇନଥିବ ତା’ହେଲେ ସମ୍ପୃକ୍ତ ପ୍ରଶାସନିକ ବିଭାଗ ଏ ଦିଗରେ ନିଜ ଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଅଫିସରେ କିନ୍ନର କର୍ମଚାରୀମାନେ ଯେପରି ସୁରୁଖୁରୁରେ ନିଜ କାର୍ଯ୍ୟ କରିପାରିବେ, ସେଥି ପାଇଁ ଉପରିସ୍ଥ ଅଧିକାରୀ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବେ। କିନ୍ନରଙ୍କ ପାଇଁ ସମାନ ସୁଯୋଗ ନୀତି ସମ୍ପର୍କରେ ସବୁ କର୍ମଚାରୀଙ୍କୁ ଅବଗତ କରାଇବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନେବା ନିମନ୍ତେ କୁହାଯାଇଛି।

ସମ୍ବନ୍ଧିତ ଖବର