ଅନୁଗୁଳ : ବଢ଼ିଲାଣି ଖରା। ପାଣି ପାଇଁ ଆଉଟୁପାଉଟୁ ହେଲେଣି ଲୋକେ। ପଶୁପକ୍ଷୀ ବି ଏଥିରୁ ବାଦ୍ ପଡ଼ି ନାହାନ୍ତି। ବିଭିନ୍ନ ଜଳାଶୟ ଶୁଖିଲା ପଡ଼ିଥିବାରୁ ସେମାନଙ୍କୁ ପାଣି ମିଳୁନି। ଏଭଳି ସ୍ଥିତିରେ ସେମାନଙ୍କୁ ପିଇବା ପାଣି ଯୋଗାଇବା ପାଇଁ ୨୦୦ ଫୁଟ ପାହାଡ଼ ଚଢ଼ିଛନ୍ତି କିନ୍ନର ଓ ବନ କର୍ମଚାରୀ। ପକ୍ଷୀମାନେ ପିଇବା ପାଣି ପାଇଁ ଯେମିତି ଅସୁବିଧାରେ ପଡ଼ିବେ ନାହିଁ ସେଥିପାଇଁ ଠେକି ଓ ଶିକାରେ ପାଣି ରଖିଛନ୍ତି। ସେହିପରି ଜଙ୍ଗଲୀ ପ୍ରାଣୀଙ୍କ ପାଇଁ କୁଣ୍ଡରେ ପାଣି ଯୋଗାଇବା ବ୍ୟବସ୍ଥା କରାଯାଇଛି। କିନ୍ନର ଚିନ୍ମୟୀ ଦାସଙ୍କ ଉଦ୍ୟମରେ ଏଭଳି ଏକ ନିଆରା ଉଦ୍ୟମ ଆରମ୍ଭ ହୋଇଥିଲାବେଳେ ଆଗକୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଏମିତି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଜରପଡ଼ା ଜଙ୍ଗଲ ମୌଜା ଅଞ୍ଚଳରେ ଥିବା ପାହାଡ଼ ଜଙ୍ଗଲକୁ ଆଜି କିନ୍ନର ଚିନ୍ମୟୀ ଦାସ ଓ ଜରପଡ଼ା ରେଞ୍ଜ ଅଧିକାରୀ ମାଧବ ଚନ୍ଦ୍ର ନାଏକଙ୍କ ନେତୃତ୍ବରେ ପ୍ରାୟ ୫୦ ଜଣ ସମାଜସେବୀ ଓ ବନ କର୍ମଚାରୀ ଚଢ଼ିଥିଲେ। ଏଥିରେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ମହିଳା ମଧ୍ୟ ଥିଲେ। ସମସ୍ତଙ୍କ ହାତରେ ଥିଲା ପାଣି ଠେକି। ପ୍ରାୟ ୨ ଶହ ଫୁଟ ପାହାଡ଼ ଚଢ଼ି ସେମାନେ ବିଭିନ୍ନ ସ୍ଥାନରେ ଏହି ପାଣି ଭର୍ତ୍ତି ଠେକିକୁ ଥୋଇ ଦେଇଥିଲେ। ପାହାଡ଼ର ବିଭିନ୍ନ ଭାଗରେ ଉଚ୍ଚ ସ୍ଥାନଗୁଡ଼ିକରେ ଏହି ପାଣି ଠେକି ରଖାଯାଇଥିଲା। କିଛି ଗଛରେ ପାଣି ଭର୍ତ୍ତି ଠେକିକୁ ଶିକାରେ ସେମାନେ ଝୁଲାଇ ଦେଇଥିଲେ।
ଏହି ପାହାଡ଼ରେ ବିଭିନ୍ନ ପ୍ରକାରର ପକ୍ଷୀ ବସା ବାନ୍ଧିଥିଲାବେଳେ ହଜାର ହଜାର ପକ୍ଷୀ ରହୁଛନ୍ତି। ପାହାଡ଼ ପାଖାପାଖି କୌଣସି ଜଳାଶୟ ନ ଥିବାରୁ ସେମାନେ ପାଣି ପାଇଁ ଖରାଦିନେ ଡହଳବିକଳ ହୁଅନ୍ତି। ଏପରିକି ପାଣି ଅଭାବରୁ ପକ୍ଷୀମାନେ ମୃ୍ତ୍ୟୁମୁଖରେ ପଡ଼ିବାର ଉଦାହରଣ ରହିଛି। ଏଥର ଅଧିକ ଖରା ହେବାର ପୂର୍ବାନୁମାନ କରାଯାଉଥିଲାବେଳେ ପକ୍ଷୀମାନେ ଯେମିତି ପିଇବା ପାଣି ପାଇଁ ସମସ୍ୟାରେ ନ ପଡ଼ିବେ ସେଥିନେଇ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। ଏପରିକି ପକ୍ଷୀଙ୍କ ଖାଇବା ପାଇଁ ପାହାଡ଼ ଉପରେ ଚାଉଳ ଓ ଗହମ ମଧ୍ୟ ରଖାଯାଇଛି।
କିନ୍ନର ତଥା ସମାଜସେବୀ ଚିନ୍ମୟୀ ଦାସଙ୍କ ଏହି ପକ୍ଷୀପ୍ରେମ ନୂଆ କଥା ନୁହେଁ। ଆଗରୁ ବିଭିନ୍ନ ପାହାଡ଼ ଓ ଜଙ୍ଗଲରେ ମଧ୍ୟ ସେ ବନ୍ୟପ୍ରାଣୀ ଓ ପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିଛନ୍ତି। ଏଥର ଏଥିରେ ବନ କର୍ମଚାରୀଙ୍କୁ ସାମିଲ କରି ଏହାକୁ ବ୍ୟାପକ କରିବା ପାଇଁ ଯୋଜନା କରାଯାଇଥିବା ଚିନ୍ମୟୀ କହିଛନ୍ତି।
ଜରପଡ଼ା ରେଞ୍ଜ ଅଧିକାରୀ ମାଧବ ନାୟକ କହିଛନ୍ତି ଯେ, ଚିନ୍ମୟୀ ଦାସଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ଆଜି ତାଙ୍କ ସହ ବନକର୍ମଚାରୀ ମିଶି ପାହାଡ଼ ଉପରେ ପାଣି ଠେକି ରଖିଛନ୍ତି। ବିଭିନ୍ନ ଗାଁରେ ଥିବା ବନ ସୁରକ୍ଷା ସମିତିଗୁଡ଼ିକ ମଧ୍ୟ ଜଙ୍ଗଲରେ ଏମିତି ପାଣି ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।