କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ୍‌କୁ ଭୁବନେଶ୍ୱର ସମ୍ପ୍ରସାରଣ ଦାବି, ଡିଆରଏମଙ୍କୁ ସ୍ମାରକପତ୍ର ପ୍ରଦାନ

ଜୟପୁର: ପ୍ରତିଦିନ ରାତ୍ରରେ ଜୟପୁର ଦେଇ ଯିବା ଆସିବା କରୁଥିବା କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର ଯାଏଁ ସମ୍ପ୍ରସାରଣ କରିବାକୁ ଜୟପୁର ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏନେଇ ଏକ ଦାବି ପତ୍ର ମଞ୍ଚ ପକ୍ଷରୁ ବିଶାଖାପାଟଣା ଡିଆରଏମ ଅନୁପ ଶତପଥିଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ଏହି ଟ୍ରେନଟି ବିଶାଖାପାଟଣାରେ ଭୋର ୩ଟାରେ ପହଂଚି ପୁଣି ରାତ୍ର ୯ଟା ରେ ଛାଡ଼ୁଛି । ବିଶାଖାପାଟଣାରେ ଟ୍ରେନଟି ୧୮ ଘଣ୍ଟା କାଳ ପଡିରହୁଛି । ସେଠାରୁ ଭୁବନେଶ୍ୱର ଯିବା ଆସିବା ପାଇଁ ସମୟ କେବଳ ୧୨ ଘଣ୍ଟା ଲାଗିବ । ଟ୍ରେନ ରକ୍ଷଣାବେକ୍ଷଣ ଏବଂ ସଫା ସୁତରା ପାଇଁ ବଳକା ୬ ଘଣ୍ଟା ଭୁବନେଶ୍ୱରରେ ଉପଯୋଗ କରିପାରିବ । ଏପରିକି ଏହି ରାସ୍ତାରେ ଭୁବନେଶ୍ୱରକୁ ୨୦ କିମି ଦୂରତା ବି କମିବ । ତେଣୁ ଉକ୍ତ ଟ୍ରେନକୁ ତୁରନ୍ତ ସମ୍ପ୍ରସାରଣ କରାଯାଉ । ଯାହାଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲା ବାସିନ୍ଦା ଉପକୃତ ହେବେ ବୋଲି ମଞ୍ଚ ଡ଼ିଆରଏମଙ୍କୁ ଜଣାଇଛି । ଦାବି ପତ୍ର ପ୍ରଦାନ ବେଳେ ଆବାହକ ରାଜେନ୍ଦ୍ର କୁମାର ଗୌଡ଼, ଟି.ଗୌରୀ ଶଙ୍କର, ପ୍ରଦୀପ୍ତ ପାଣିଗ୍ରାହୀ, ନିରୋଦ ନାୟକ ଆଦି ଉପସ୍ଥିତ ଥିଲେ ।

 

ସମ୍ବନ୍ଧିତ ଖବର