ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜଣେ ବ୍ୟକ୍ତି ୩୯ଟି ପ୍ଲଟ କିଣିଥିବା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂଗୀନ ଅଭିଯୋଗ ଆଣିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି ଯେ, କିରୁଥିକା ପ୍ରଭାକରନ୍‌ ନାମରେ ଜଣେ ବ୍ୟକ୍ତି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜମି କିଣିଛନ୍ତି। ବଡ଼ବଡ଼ିଆଙ୍କ ସ‌ହଯୋଗ ବିନା ଜଣେ ବ୍ୟକ୍ତି ଏତେସଂଖ୍ୟକ ଜମି କିଣିବା କ’ଣ ସମ୍ଭବ ବୋଲି ‌ସେ ପ୍ରଶ୍ନ ଉଠାଇଛନ୍ତି। ଯଦି ଜଣେ ବ୍ୟକ୍ତିଙ୍କୁ ସହଯୋଗ କରି ଏତେ ପରିମାଣରେ ଜମି କିଣିବାକୁ ଅନୁମତି ଦିଆଯିବ, ତା’ହେଲେ ଓଡ଼ିଶାର ଚାଷୀ କେଉଁଠିକୁ ଯିବେ? ଓଡ଼ିଆ ଚାଷୀମାନେ କ’ଣ ଛତିଶଗଡ଼ ଓ ଝାଡ଼ଖଣ୍ଡ ଯିବେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ମୋର ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକେ କହୁଛନ୍ତି, ସରକାରଙ୍କ ଛତ୍ରଛାୟା ତଳେ ପ୍ରଭାକରନ ଅଧିକରୁ ଅଧିକ ଜମି କିଣୁଛନ୍ତି। ଓଡ଼ିଶାର ଖଣି ଓ ଧାତୁରୁ ଟଙ୍କା ଉପାର୍ଜନ କରି ଜଣେ ଅଣଓଡ଼ିଆ ଜମି କିଣୁଛନ୍ତି। ଏଥି ପ୍ରତି ସତର୍କ ରହିବାର ସମୟ ଆସିଛି।

Advertisment

publive-image

ଅନ୍ୟପଟରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି କିରୁଥିକା ପ୍ରଭାକରନ୍‌। ସେ କହିଛନ୍ତି ଯେ, ଆଇନ ଅନୁସାରେ ଜାଗା କିଣିଛି। କାହାରିଠାରୁ ବଳପୂର୍ବକ ଜମି ନେଇନି। ଭାରତୀୟ ନାଗରିକ ଅନୁସାରେ ଜାଗା କିଣିବାର ଅଧିକାର ରହିଛି। ଆଇନ ଅନୁସାରେ ଜମି କିଣିଛି ଏବଂ ଏସବୁର ଦସ୍ତାବିଜ ରଖିଛି।

ସୂଚନାଯୋଗ୍ୟ, ସାଂସଦ ଅପରାଜିତାଙ୍କ ଅଭିଯୋଗ ଅନୁସାରେ କିରୁଥିକା ପ୍ରଭାକରନ୍ ଭୁବନେଶ୍ବର ତହସିଲ ଅଧୀନରେ ମୋଟ ୩୯ଟି ପ୍ଲଟ କିଣିଛନ୍ତି। ସେ କିଣିଥିବା ପ୍ଲଟ ଗୁଡ଼ିକ ଗିରିଙ୍ଗପୁଟ, ଭଗବତୀପୁର, ଦାରୁଠେଙ୍ଗ, ଜୁଝାଗଡ଼, ପଥରଗଡ଼ିଆ, ପଡ଼ାସାହି, ଘାଟିକିଆ, ବାପୁଜୀନଗର, ଚନ୍ଦ୍ରଶେଖରପୁର ଓ ସୁନ୍ଦରପୁରରେ ରହିଛି। ଏସବୁ ଜମିର ପରିମାଣ ୧୭ ଏକର ୭୪୬୫ ଡେସିମିଲ।