ସିଫାରେ ‘କିଷାନ ଭାଗିଦାରୀ ପ୍ରାଥମିକତା ହମାରି’ ଅଭିଯାନ

ବାଲିଅନ୍ତା: ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଇସିଆର ସିଫା, କେବିକେ ଖୋର୍ଧା ଏବଂ ଆତ୍ମା ଖୋର୍ଧାର ମିଳିତ ସହଯୋଗରେ ସିଫା ସଭାକକ୍ଷରେ ‘କିଷାନ ଭାଗିଦାରୀ ପ୍ରାଥମିକତା ହମାରି’ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଖୋର୍ଧା ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ୩୦୦ ପୁରୁଷ ଚାଷୀଙ୍କ ସହିତ ମହିଳା କୃଷିଜୀବୀ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଉଦ୍‌ଯାପନୀ ଦିବସ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସିଫାରେ କୃଷି କ୍ଷେତ୍ର ନୂତନ ଚିନ୍ତାଧାରା, ଆଭିମୁଖ୍ୟ, ଆଲୋଚନାଚକ୍ର, କର୍ମଶାଳା ଆଦି ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ଯୋଜନା କୌଶଳ ଉପରେ ସିଫାର ନିର୍ଦ୍ଦେଶକ ଡ. ସରୋଜ କୁମାର ସ୍ବାଇଁ ସୂଚନା ଦେଇଥିଲେ।

ପ୍ରଧାନମନ୍ତ୍ରୀ ସିଚାଇ ଯୋଜନା, କେନ୍ଦ୍ର ମତ୍ସ୍ୟ ସଂପଦ ଯୋଜନା, ଜାତୀୟ ଇ- ମାର୍କେଟିଂ, କୃଷକ ଉତ୍ପାଦକ ସଂଗଠନ ପ୍ରତିଷ୍ଠା, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ଜୈବିକ ଓ ପ୍ରାକୃତିକ କୃଷି ଉପରେ ଚାଷୀ ସଚେତନତା ବ୍ୟାପକ କରାଯିବ। କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସମ୍ଭାଷଣର ସିଧା ପ୍ରସାରଣ କରାଯାଇଥିଲା। ଖୋର୍ଧା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଫୁଲ୍ଲ କୁମାର ମହାରଣା ପ୍ରାକୃତିକ କୃଷିର ବିଶେଷତ୍ବ ସଂପର୍କରେ ସୂଚନା ଦେଇଥିଲେ। ଓୟୁଏଟି ଅଗ୍ରୋନମି ବିଭାଗର ମୁଖ୍ୟ ପ୍ରଫେସର ରବୀନ୍ଦ୍ର ପାଇକରାୟ, ପ୍ରାକ୍ତନ ଡିନ୍‌ ଲଳିତ ମୋହନ ଗଡ଼ନାୟକ, ରାଜ୍ୟ ବାୟୋକେମେଷ୍ଟ୍ରି ବିଭାଗର ସହକାରୀ ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କେଭିକେ ଖୋର୍ଧା ମୁଖ୍ୟ ଅଜୟ ଦାଶ ସ୍ବାଗତ ଭାଷଣ ଓ ପ୍ରଧାନ ବୈଜ୍ଞାନିକ ଡ. ଚନ୍ଦ୍ରକାନ୍ତ ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର