୯ରୁ ଅକ୍ଟୋବର ୨ପର୍ଯ୍ୟନ୍ତ ସବୁ ବ୍ଲକ ଗସ୍ତ କରିବ କିଷାନ କଂଗ୍ରେସ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତି, ଚାଷୀଙ୍କ ପ୍ରତି ଅଣଦେଖା ଓ ଅବହେଳା ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବଢ଼ିଚାଲିଛି। ଗତ ୨୧ବର୍ଷରେ ୧୦ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କଲେଣି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ କୁଦଗୁଣ୍ଡେପୁର ଚାଷୀ କୈବଲ୍ୟ ରୋହିଦାସ। ସେ ଅମଳ କରିଥିବା ଧାନ ବିକ୍ରି କରିନପାରିବାରୁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ତେଣୁ ତାଙ୍କ ପରିବାରକୁ ରାଜ୍ୟ ସରକାର ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ବୋଲି କିଷାନ କଂଗ୍ରେସ ଦାବି କରିଛି।

ପିସିସି କିଷାନ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାରଙ୍କ ଟୋକନ ଅବଧି ସମସ୍ୟା ଯୋଗୁଁ ୨୦ ହଜାରରୁ ଉର୍ଦ୍ଧ ପଞ୍ଜୀକୃତ ଚାଷୀ ସେମାନଙ୍କ ରବି ଧାନ ବିକ୍ରି କରିପାରି ନାହାନ୍ତି। ସେହିଭଳି କୈବଲ୍ୟ ୧୦ ଏକର ଜମିରେ ଧାନ ଚାଷ କରିଥିଲେ । ସେ ୨୦୦ କୁଇଣ୍ଟାଲ ଧାନ ଅମଳ କରିଥିବା ବେଳେ ମାତ୍ର ୪୫ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ଟୋକୋନ ପାଇଥିଲେ । ବଳକା ୧୬୦ କୁଇଣ୍ଟାଲ ଧାନ ସରକାର ନକିଣିବାରୁ ସେ ଖୁବ୍ କମ୍‌ ଦରରେ ବେପାରୀଙ୍କୁ ବିକିଲେ। କଷ୍ଟ ଉପାର୍ଜିତ ଧାନର ସେ ଉଚିତ୍ ମୂଲ୍ୟ ନପାଇବାରୁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଛନ୍ତି । ତେଣୁ ଏହି ଆତ୍ମହତ୍ୟା ଘଟଣା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଦାୟୀ। ରାଜ୍ୟ ସରକାର ଏହି ଘଟଣାର ନ୍ୟାୟିକ ତଦନ୍ତ କରିବା ସହ ମୃତ ଚାଷୀ କୈବଲ୍ୟଙ୍କ ପରିବାରକୁ ତୁରନ୍ତ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ସେହିପରି ବର୍ତ୍ତମାନ ରାଜ୍ୟରେ କୃଷି ଓ କୃଷକମାନଙ୍କର ସମସ୍ୟା ଅତ୍ୟନ୍ତ ଉଦବେଗ ଜନକ ପରିସ୍ଥିତରେ ପହଞ୍ଚିଛି । କୃଷି ଉତ୍ପାଦିତ ଦ୍ରବ୍ୟର ଅଭାବି ବିକ୍ରି, ସୁବିପଣନ,ସଂଗ୍ରହ ଓ ସଂରକ୍ଷଣରେ ଘୋର ଅବ୍ୟବସ୍ଥା, ଜଳସେଚନ କ୍ଷତ୍ରରେ ବିଫଳତା, ଲୋକ ସଂଖ୍ୟା ଅନୁପାତରେ ଚାଷଜମି କମିବା, ୧୦ ଲକ୍ଷ ହେକ୍ଟର ଚାଷଜମି ପଡ଼ିଆ ପଡ଼ିବା,ଦାଦନ ଶ୍ରମିକ ବୃଦ୍ଧି,ଭାଗଚାଷୀ ସମସ୍ୟା ଏବଂ ଠିକଣା ସମୟରେ ଚାଷୀଙ୍କୁ ବିହନ, ସାର, କୃଷିଋଣ,କୃଷି ଯନ୍ତ୍ରପାତି ଅନ୍ୟାନ୍ୟ କୃଷି ସହାୟତା ଯୋଗାଇ ଦେବାରେ ସରକାର ଘୋର ଅବହେଳା କରି ଚାଲିଛନ୍ତି। ତେଣୁ ରାଜ୍ୟର କୃଷି ଓ କୃଷକଙ୍କ ବାସ୍ତବ ସ୍ଥିତି ତୃଣମୂଳ ସ୍ତରରୁ ସମୀକ୍ଷା କରିବା ପାଇଁ ଆସନ୍ତା ୯ତାରିଖରୁ ଅକ୍ଟୋବର (କ୍ରାନ୍ତି ଦିବସରୁ ଗାନ୍ଧୀ ଜୟନ୍ତୀ) ପର୍ଯ୍ୟନ୍ତ କିସାନ କଂଗ୍ରେସର ପ୍ରତିନିଧି ମଣ୍ଡଳୀ ୫ଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ବ୍ଲକକୁ ଗସ୍ତ କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର