କିଶାନ କ୍ଷେତ ମଜଦୁର ସଂଘ ପକ୍ଷରୁ ହାଟଡିହି ବ୍ଲକ ଓ ତହସିଲ ଘେରାଉ

ହାଟଡ଼ିହି : ବିଭିନ୍ନ ଦାବିନେଇ ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଘ ପକ୍ଷରୁ ଗୁରୁବାର ଦିନ ହାଟଡିହି ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରିଛି। ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ହାଟଡିହି ବ୍ଲକ କେ ବାଲିପାଳ, ହଦଗଡ ଓ ଧନୁର୍ଜୟପୁର ପଞ୍ଚାୟତର ଏକ ହଜାରରୁ ଊର୍ଦ୍ଧ୍ବ ମହିଳା ଓ ପୁରୁଷ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ।

ଅଲ ଇଣ୍ଡିଆ କିଶାନ କ୍ଷେତ ମଜଦୁର ସଂଘର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ସ୍ୱାଧୀନତାର ୭୬ ବର୍ଷ ପରେ ବି ଜିଲ୍ଲାର କଅଁଳେଇ ବାଲିପାଳ, ଧନୁର୍ଜୟପୁର ଏବଂ ହଦଗଡ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସବୁଦିନିଆରାସ୍ତା ନାହିଁ। ବର୍ଷା ଦିନରେ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଜନଜାତି ଲୋକଙ୍କ ପାଖରେ ଜମିପଟ୍ଟା ନାହିଁ। ସେମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଜମି ପଟ୍ଟା ନଥିବାରୁ ସେମାନଙ୍କ ପିଲାମାନେ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ଥିବା ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରିପାରୁ ନଥିବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ବିଦ୍ୟୁତ୍ ସଂଯୋଗ ନଥିବାରୁ ଏହିସବୁ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିପାରୁ ନାହାନ୍ତି। କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆର ସୁଫଳ ସମ୍ପର୍କରେ ଜାଣିବାରୁ ବିଫଳ ହୋଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଧାରାର ଲମ୍ବା ତାଲିକା ପ୍ରଚାର କରୁଥିବାବେଳେ ବିକାଶର ଧାରାର କୌଣସି ପ୍ରଭାବ ପଡିପାରୁନି।

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଘଟିଛି। ଘରେ ଘରେ ବେକାରୀ ସମସ୍ୟା ଉତ୍କଟ ହେଲାଣି। ନିରୀହ ଲୋକଙ୍କ ଉପରେ ପୁଲିସର ଜୁଲମ ହେଉଛି ବୋଲି ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାସ ମତବ୍ୟକ୍ତ କରିଥିଲେ। ପୁରୁଷାନୁକ୍ରମେ ଦଖଲକରି ଆସୁଥିବା ଚାଷପୋଯୋଗୀ ଓ ବାସପୋଯୋଗୀ ଜମିକୁ ଦଖଲକାରୀଙ୍କ ନାମରେ ପଟ୍ଟା ପ୍ରଦାନ କରିବା, କଅଁଳେଇବାଲିପାଳ ପଞ୍ଚାୟତର ମଲ୍ଲିପୋସି, ସରମୁଣ୍ଡି, ମୟୂରନଚା ଓ ଭଅଁରା ବସ୍ତି ଗୁଡିକୁ ରାଜସ୍ୱ ଗ୍ରାମର ମାନ୍ୟତା, ହଦଗଡ ପଞ୍ଚାୟତର ଦଲକି, ପିତାନାଉ, ରତନମରା, ସୁଜୁନାପାଳ ଆଦି ଜଂଗଲ ଗ୍ରାମ ଗୁଡିକୁ ରାଜସ୍ୱ ଗ୍ରାମ ଘୋଷଣା, କଅଁଳେଇବାଲିପାଳର ସମସ୍ତ ପଡା ଗ୍ରାମକୁ ବିଦ୍ୟୁତ୍ ପ୍ରଭୃତି ୧୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବିଡିଓ ତହସିଲଦାରଙ୍କୁ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର