ସାବାସ୍‌ କିଷାନ ଓ ସଞ୍ଜୟ : ସୁଅ ମୁହଁକୁ ଡେଇଁ ବଞ୍ଚାଇଲେ ଜଣଙ୍କ ଜୀବନ

ଜୟପୁର : ଦୁଇ ଯୁବକଙ୍କ ସାହସିକତା ଓ ମାନବିକତାକୁ ନେଇ ଏବେ ସବୁଠି ଚର୍ଚ୍ଚା, ପ୍ରଶଂସା ଓ ସାବାସୀ । କେନାଲରେ ଭାସି ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଏହି ଦୁଇ ଯୁବକ ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ଯୁବକ ଦ୍ୱୟ ହେଲେ କୋରାପୁଟ ଜିଲ୍ଲା ଜୟପୁରର କିଷାନ ମାଝୀ ଓ ସଞ୍ଜୟ ପୂଜାରୀ। ନିଜ ଜୀବନକୁ ପାଣି ଛ଼ଡ଼ାଇ ଭରା କେନାଲରେ ପ୍ରଖର ସୁଅ ମୁହଁକୁ ଡେଇଁ ଜଣଙ୍କ ଜୀବନ ବଞ୍ଚାଇଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ସ୍ଥାନୀୟ ଅଞ୍ଚଳର ଲକ୍ଷ୍ମଣ ସାହୁ ନାମକ ଜଣେ ବ୍ୟକ୍ତି ମର୍ଣ୍ଣିଂ ୱାକ୍‌ରେ ଯାଇଥିଲେ। ଥକ୍କା ମାରିବା ପାଇଁ ଗାନ୍ଧୀଛକ ବ୍ରିଜ୍ ଉପରେ ବସିଥିବା ବେଳେ କୌଣସି କାରଣରୁ ଅଚେତ ହୋଇ କେନାଲରେ ପଡ଼ି ଯାଇଥିଲେ। ଏହି ସମୟରେ ସ୍ଥାନୀୟ କିଛି ଯୁବତୀ ମଇଳା ଫିଙ୍ଗିବାକୁ ଯାଇଥିବା ବେଳେ ଲକ୍ଷ୍ମଣଙ୍କୁ ପାଣିରେ ଭାସୁଥିବା ଦେଖି ପାଟି କରିଥିଲେ। ପାଟି ଶୁଣି ଦୁଇ ଯୁବକ ସଞ୍ଜୟ ଓ କିଷ‌ାନ ସେଠାରେ ପହଞ୍ଚି କାଳ ବିଳମ୍ବ ନକରି ଭରା କେନାଲକୁ ଡେଇଁ ଲକ୍ଷ୍ମଣଙ୍କୁ ଉଦ୍ଧାର କରିଥିଲେ। ପରେ ପୁଲିସ ଗଣମାଧ୍ୟମଠାରୁ ଖବର ପାଇ ସେଠାରେ ପହଞ୍ଚି ଲକ୍ଷ୍ମଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଚିକିତ୍ସା ପରେ ଲକ୍ଷ୍ମଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଘଟଣାରେ ଦୁଇ ଯୁବକଙ୍କ ସାହସିକତା ଓ ମାନବିକତାର ପ୍ରଶଂସା କରିବା ସହ ଜୟପୁର ଟାଉନ୍ ଥାନା ଅଧିକାରୀ ବାଲେଶ୍ବର ଗିଦ୍ଧି ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଥିବାରୁ ତାଙ୍କୁ ସାବାସୀ ଦେଇଛନ୍ତି। ସଞ୍ଜୟ ଆଇଟିଆଇ କରିବା ପରେ ଵେଲ୍ଡିଂ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ କିଷ‌ାନ ଷ୍ଟିକରିଂ କରୁଛନ୍ତି । ଉଭୟ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଅଧାରୁ ପାଠ ଛାଡ଼ିଥିବା ସେମାନେ କହିଛନ୍ତି। ଦୁଇ ଯୁବକଙ୍କ ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ଉଭୟଙ୍କ ସାହସିକତା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର