ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଚାଷୀକୁଳ ଘୋର ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ପରିବର୍ତ୍ତେ ଚରମ ଅବହେଳା ଓ ଅଣଦେଖା କରି ଆସୁଛନ୍ତି। ଚିରାଚରିତ ଢଙ୍ଗରେ ଫସଲ କ୍ଷୟକ୍ଷତିର ଆକଳନରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯେଉଁ ସହାୟତା ପ୍ରଦାନ କରାଯାଏ ତାହା ସମୁଦ୍ରକୁ ଶଙ୍ଖେ। ଚଳିତବର୍ଷ ଖରିଫ ଚାଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ପ୍ରଭାବିତ ହୋଇଛି। ପରବର୍ତ୍ତୀ ସମୟରେ ପ୍ରବଳ ବର୍ଷା ଏବଂ ଅକ୍ଟୋବର ନଭେମ୍ବର ମାସର ଅଦିନିଆ ବର୍ଷା ଓ ଚକଡ଼ା ପୋକ ଦ୍ୱାରା ବ୍ୟାପକ ଭାବରେ ଫସଲ ନଷ୍ଟ ହୋଇଥିବା ବେଳେ ଗତ ଡିସେମ୍ବର ୫ ଓ ୬ ତାରିଖରେ ବାତ୍ୟା ଜୱାଦ ପ୍ରଭାବରେ ପ୍ରବଳ ବର୍ଷା ଦ୍ୱାରା ଉପକୂଳବର୍ତ୍ତୀ ୧୨ଟି ଜିଲ୍ଲାରେ ଲକ୍ଷ ଲକ୍ଷ ହେକ୍ଟର ଜମିରେ ଧାନ ଓ ପନିପରିବା ଫସଲ ଉଜୁଡ଼ି ଯାଇଛି। ସରକାରଙ୍କ ପକ୍ଷରୁ ଯେଉଁ ୫ ଲକ୍ଷ ୭୮ ହଜାର ହେକ୍ଟର ଫସଲ ନଷ୍ଟ ହୋଇଥିବାର ଆକଳନ କରାଯାଇଛି ତାହା ସଠିକ୍ ଭାବେ ଆକଳନ କରାଯାଇନାହିଁ ବୋଲି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।
ରିଲିଫ୍ କୋଡର ସଂଶୋଧନ ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଚାଷୀଙ୍କୁ ତ୍ୱରିତ ସହାୟତା ଯୋଗାଇ ଦେବା ଆଦି ଦାବିରେ ଆଜି ରାଜଭବନ ସମ୍ମୁଖରେ କିଷାନ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ଉପସଭାପତି ଶିବାନନ୍ଦ ରାୟ, କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାସ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ଦାବିରେ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ୪ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜଭବନକୁ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ସହିତ ଆଲୋଚନା କରି ୧୧ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସର ଉପାଧ୍ୟକ୍ଷ ଶଶି ଭୂଷଣ ପାତ୍ର, ସୁବାସ ରାଉତ, ଜିଲ୍ଲା କିଷାନ କଂଗ୍ରେସର ସଭାପତି ରଘୁନାଥ ପଲିଆ, ସାନନ୍ଦ ମିଶ୍ର, ଭବାନୀ ଚରଣ ରଥ, ଦାଶରଥୀ ସାହୁ, ସଦାନନ୍ଦ ଓଝା, ନରେନ୍ଦ୍ର ପଣ୍ଡା, ବ୍ରିବର ସାହୁ, ସ୍ୱପ୍ନେଶ୍ୱର ପୃଷ୍ଟି, ପଦ୍ମଚରଣ ସାହୁ, ନାରାୟଣ ପରିଡ଼ା, ବସନ୍ତ କୁମାର ମହାରଣା ପ୍ରମୁଖ ୩୦ଟି ଜିଲ୍ଲାର ଚାଷୀ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ। ଯଦି ସରକାରଙ୍କ ପକ୍ଷରୁ ଆସନ୍ତା ୧୫ ଦିନ ମଧ୍ୟରେ ଚାଷୀଙ୍କ କ୍ଷତି ଭରଣା କରା ନଯାଏ ତାହେଲେ ପ୍ରତି ଜିଲ୍ଲା ଓ ବ୍ଳକସ୍ତରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।