ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ଢେଙ୍କାନାଳରେ କିଷାନ ସମାବେଶ

ଢେଙ୍କାନାଳ: ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ୍‌, କୃଷିଋଣ ଛାଡ, ଜମିକୁ ଜଳ ଯୋଗାଣ ଆଦି ବିଭିନ୍ନ ଦାବି ନେଇ ଆଜି ନବନିର୍ମାଣ କୃଷକ ସଂଗଠନ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଜୟ କିଷାନ ମହାସମାବେଶ ଆୟୋଜିତ ହୋଇଛି। ଏହି ସମାବେଶରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇଛନ୍ତି। ଏହି ସମାବେଶରେ ନବନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକ, ସର୍ବଭାରତୀୟ ସଂଯୋଜକ ଅକ୍ଷୟ କୁମାର, ବରିଷ୍ଠ ସାମ୍ବାଦିକ ରବି ଦାସ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭରତ, ରଶ୍ମୀରଞ୍ଜନ ମହାନ୍ତି, ନିମାଇଁ ଚରଣ ରାୟ, ‘ଐରା’ ରାଜ୍ୟ ମହିଳା ସଂଗଠନର ମୁଖ୍ୟ ମଧୁମିତା ସାମଲ, ଯୁବ ସଂଗଠନର ମନ୍‌ସୁର ଅଲ୍ଲୀଙ୍କ ସମେତ ବିଭିନ୍ନ ଜିଲ୍ଲାର ସଂଯୋଜକମାନେ ଯୋଗ ଦେଇଛନ୍ତି।
କୃଷକମାନଙ୍କ ନ୍ୟାୟୋଚିତ ଦାବିକୁ ସରକାର ଉପେକ୍ଷା କରି ଆସୁଛନ୍ତି। ପ୍ରାକୃତିକ ଦୈବୀ ଦୁର୍ବିପାକ ଓ ହାତୀ ଉପଦ୍ରବରେ ଫସଲହାନି ଘଟୁଥିଲେ ମଧ୍ୟ ସେଥିପାଇଁ କ୍ଷତିପୂରଣ ମିଳୁନାହିଁ। ଏମିତିକି ଚାଷ ଉଜୁଡ଼ିଯିବା କାରଣରୁ ଚାଷୀ ଆତ୍ମହତ୍ୟା କଲେ ବି ସରକାର ବିଭିନ୍ନ ଆଳ ଦେଖାଇ ଏହାକୁ ଭିନ୍ନ ରୂପ ଦେଉଛନ୍ତି। ଧାନମଣ୍ଡିରେ ଚାଷୀମାନଙ୍କୁ ଶୋଷଣ କରାଯିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷି ଯୋଜନାରେ ଅର୍ଥ ବାଟମାରଣା ହୋଇଚାଲିଛି। ଏହାର ପ୍ରତିବାଦରେ ଚଷା ପୁଅ ନିଜ ହକ୍‌ ଲଢ଼େଇ ପାଇଁ ରାଜରାସ୍ତାକୁ ଓହ୍ଳାଇବାକୁ ପ୍ରସ୍ତୁତ ହୋଇଛନ୍ତି। ଏ ପରିପ୍ରେକ୍ଷୀରେ ଆଜି ଦିନ ୧୧ଟା ସମୟରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖ ମିନି ଷ୍ଟାଡିୟମଠାରେ ବିଶାଳ କୃଷକ ମହାସମାବେଶ ଅନୁଷ୍ଠିତ ହେଉଛି। ସମାବେଶ ପୂର୍ବରୁ ଏକ ବିରାଟ ଶୋଭାଯାତ୍ରାରେ ନବନିର୍ମାଣ କୃଷକ ସଙ୍ଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ସଭାମଞ୍ଚ ନିକଟକୁ ପାଛୋଟି ନିଆଯାଇଥିଲା।

ସମ୍ବନ୍ଧିତ ଖବର